ଠାକୁରମୁଣ୍ଡା : ଉଦ୍ଧାର କାର୍ଯ୍ୟରେ ସେ ଥିଲେ ଧୁରନ୍ଧର। ଅନେକଙ୍କୁ ଆହ୍ବାନ ଭରା ପରିସ୍ଥିତିରେ ପାଣିରୁ ସୁରକ୍ଷିତ ଭାବେ ଉଦ୍ଧାର କରି ପ୍ରଶଂସା ସାଉଁଟିଥିଲେ। ହେଲେ ସେହି ଭଳି ଏକ ଅପରେସନ୍ ବେଳେ ତାଙ୍କ ଜୀବନ ଚାଲିଯିବ ଏ କଥା କେହି କଳ୍ପନା କରିପାରୁ ନାହାନ୍ତି। ଗତକାଲି ମହାନଦୀର ମୁଣ୍ଡଳୀ ବ୍ୟାରେଜ୍ରେ ହାତୀ ଉଦ୍ଧାର ବେଳେ ବୋଟ୍ ଓଲଟି ପ୍ରାଣ ହରାଇଥିବା ଓଡ୍ରାଫ ଟିମ୍ର ବୋଟ୍ ଡ୍ରାଇଭର ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଡକେଇପାଳ ଗାଁ ମୁକ୍ତାଝରି ସାହିର ସୀତାରାମ ମୁର୍ମୁ। ଚାକିରି କାଳରେ ୫ ଶହରୁ ଅଧିକ ଲୋକଙ୍କୁ ବିପର୍ଯ୍ୟୟ ସମୟରେ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ପୁଅର ଯେ ପାଣିରେ ବୁଡ଼ି ଜୀବନ ଯାଇଛି ତାକୁ ସହଜରେ ବିଶ୍ବାସ କରି ପାରୁନାହାନ୍ତି ପରିବାର ଲୋକ।
ସୀତାରାମ ଗତକାଲି ଠାରୁ ନିଖୋଜ ଥିଲେ ମଧ୍ୟ ବାପା, ଭାଇ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀ ଆଶା ହରାଇ ନ ଥିଲେ। ସୀତାରାମ କେଉଁଠି କୂଳରେ ଲାଗି ବଞ୍ଚି ଯାଇଥିବେ ବୋଲି ମନକୁ ଦୃଢ଼ କରି ରହିଥିଲେ। ହେଲେ ଶନିବାର ମୃତଦେହ ମିଳିବା ପରେ ଗାଁରେ କାନ୍ଦବୋବାଳି ପଡ଼ିଥିଲା। ଜନ୍ମମାଟି ଡକେଇପାଳ ଲୁହରେ ଭିଜୁଥିବା ବେଳେ ସୀତାରାମଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ଲୁହଭରା ଆଖିରେ ଅନେଇ ବସିଛନ୍ତି ଗ୍ରାମବାସୀ। କର୍ତ୍ତବ୍ୟ ବେଳେ ପ୍ରାଣ ହରାଇଥିବା ସୀତାରାମଙ୍କ ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।