ବୁଦ୍ଧଙ୍କ ଜନ୍ମ ସ୍ଥାନ ଓଡ଼ିଶାରେ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ୍‌

ଭୁବନେଶ୍ୱର : ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲ୍ଲି ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବି କରୁଛନ୍ତି। ଭାରତୀୟ ସଂସ୍କୃତିକୁ ନେଇ ଏପରି ଅଙ୍ଗୁଳି ଉଠାଇବା ପରେ ଏହାକୁ ନେଇ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ୍‌ ଯୁକ୍ତିସଙ୍ଗତ ଭାବେ ଏକ ଭିନ୍ନ ପ୍ରସଙ୍ଗ ଉଠାଇଛି। ଓଡ଼ିଶା ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ବୋଲି ସମସ୍ତ ପ୍ରମାଣ ରହିଛି ବୋଲି ଐତିହାସିକ ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ କହିଛନ୍ତି। ମାତ୍ର ନେପାଳ ପୂର୍ବରୁ ଏହାକୁ ଅଗ୍ରାହ୍ୟ କରି ଆସିଥିବାରୁ ଡ. ତ୍ରିପାଠୀ କହିଛନ୍ତି, ‘ନିଉ ହରାଇଜନ୍‌ସ ଅଫ୍ ବୁଦ୍ଧିଜିମ ଇନ୍‌ ଓଡ଼ିଶା’ ପୁସ୍ତକରେ ଏ ସମ୍ପର୍କରେ ସବିଶେଷ ପ୍ରମାଣ ଦିଆଯାଇଛି। ଏହି ପୁସ୍ତକ ପୂର୍ବତନ ମୁଖ୍ୟ ଶାସନସଚିବ ତଥା ଇତିହାସ ଗବେଷକ ଡ. ଅଜିତ କୁମାର ତ୍ରିପାଠୀ, ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଓ ଡ. ଚନ୍ଦ୍ରଭାନୁ ପଟେଲ୍‌ଙ୍କ ଦ୍ବାରା ଲେଖାଯାଇଛି। ପୁସ୍ତକରେ ଥିବା ପ୍ରତ୍ୟେକ ତଥ୍ୟକୁ ଐତିହାସିକ ଡ. ସୁନିଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଗବେଷକମଣ୍ଡଳୀ ଅନୁଶୀଳନ କରିଛନ୍ତି। ବହୁ ଐତିହାସିକମାନଙ୍କ ମଧ୍ୟରେ ଏହା ଆଲୋଡ଼ନ ସୃଷ୍ଟି କରିଛି।

ଡ. ପ୍ରଫୁଲ୍ଲ ତ୍ରିପାଠୀ କହିଛନ୍ତି, ଯଦି କୌଣସି ତଥ୍ୟଭିତ୍ତିକ ଇତିହାସ ନଥାଇ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ ନେପାଳରେ ଥିବା କଥା ସେଇ ଦେଶର ପ୍ରଧାନମନ୍ତ୍ରୀ ଯୁକ୍ତି କରୁଛନ୍ତି, ତେବେ ନିଶ୍ଚିତ ତଥ୍ୟ ଥିବା ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଭାରତରେ ତଥା ଓଡ଼ିଶାରେ ଥିବାର କହିବାରେ କୁଣ୍ଠିତ କାହିଁକି? ଏହାକୁ ଦୃଢ଼ ଭାବେ ଉପସ୍ଥାପନ ସହ ପ୍ରମାଣିତ କରିବା ଉଦ୍ଦେଶ୍ୟ ନେଇ ଟ୍ରଷ୍ଟ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି କରାଯିବ। ‌ଯଦି ନେପାଳ ପକ୍ଷରୁ ଏନେଇ କୌଣସି ଯୁକ୍ତି ରଖିବା ପାଇଁ ଡକାଯାଏ, ତେବେ ଯଥାର୍ଥ ଯୁକ୍ତି ଉପସ୍ଥାପନ ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଗବେଷକଦ୍ବୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସେହିଭଳି ଶ୍ରୀଗୀତଗୋବିନ୍ଦର ସ୍ରଷ୍ଟା ଶ୍ରୀଜୟଦେବଙ୍କ ଜନ୍ମସ୍ଥାନ ଓ ମହାକବି କାଳିଦାସଙ୍କ ମେଘଦୂତ ବର୍ଣ୍ଣିତ ରାମଗିରି ଓଡ଼ିଶାରେ ରହିଥିବାର ଦୃଢ଼ ଯୁକ୍ତି ଏହି ଗବେଷକଦ୍ବୟ ପୁସ୍ତକରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର

Comments are closed.