ସ୍ବାଭିମାନ ଦିବସ ସ୍ବତନ୍ତ୍ର: ଜନ୍ମପୀଠ ସତ୍ୟଭାମାପୁରରେ ଉଦ୍‌ଘାଟନ ହେବ ସଂଗ୍ରହାଳୟ

ସାଲେପୁର: ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁର। ପ୍ରାୟ ୪ ବର୍ଷ ତଳେ ମଧୁବାବୁଙ୍କ ଜନ୍ମପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଇଥିଲା। ହେଲେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏ ଯାଏ ମଧୁ ବାବୁଙ୍କ ପୀଠରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ହୋଇ ପାରି ନାହିଁ। କେବଳ ପୀଠରେ ଥିବା ରସ କୁଣ୍ଡର ପୁନରୁଦ୍ଧାର କରାଯିବା ସହିତ ନୂତନ ଭାବେ ସଂଗ୍ରହାଳୟ ନିର୍ମାଣ କରାଯାଇଛି। ଏହି ସଂଗ୍ରହାଳୟକୁ ଚଳିତ ବର୍ଷ ମଧୁ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଉଦ୍‌ଘାଟନ ହେବାକୁ ଥିବା ସଂଗ୍ରହାଳୟରେ ମଧୁ ବାବୁଙ୍କ କୌଣସି ସାମଗ୍ରୀ ରହି ନଥିବା ଜଣାପଡିଛି।

ମଧୁ ବାବୁଙ୍କ ଜନ୍ମପୀଠ ନିକଟରେ ତାଙ୍କ ଦ୍ଵାରା ୧୯୦୫ ମସିହାରେ ତିଆରି ହୋଇଥିବା ଗୃହକୁ ମଧୁ କୋଠି କୁହାଯାଏ। ରକ୍ଷଣାବେକ୍ଷଣ ଅଭାବରୁ ଏହି ମଧୁ କୋଠିର ସ୍ଥିତି ଶୋଚନୀୟ ହେବାରେ ‌ଲାଗିଛି। ମଧୁ ବାବୁ ସ୍ନାନ କରୁଥିବା ପୁଷ୍କରିଣୀକୁ ଲୋକେ କନକ ଦୁର୍ଗା ପୁଷ୍କରିଣୀ ବୋଲି କହିଥାନ୍ତି। ସେହି ପୁଷ୍କରିଣୀର ମଧ୍ୟ ପୁନରୁଦ୍ଧାର କରାଯାଇ ନାହିଁ। ମଧୁ ବାବୁଙ୍କଏନ୍ତୁଡ଼ିଶାଳ, ଢ଼ିଙ୍କି ଶାଳ, ଅତ୍ୟାଧୁନିକ ପାଠାଗାର ସ୍ଥାପନ, ତାଙ୍କ ବ୍ୟବହୃତ ସାମଗ୍ରୀ, ରଚନା, ହସ୍ତଲିପି, ବିରଳ କୀର୍ତ୍ତିର ସଂରକ୍ଷଣ, ବାଲି ପୋଖରୀ ଇତ୍ୟାଦିର ବିକାଶ ଯୋଜନା ଏକପ୍ରକାର ଅଟକିଯାଇଛି। ଜନ୍ମ ପୀଠ ସହିତ ମଧୁ କୋଠି ପରିସରରେ ଜଙ୍ଗଲିଆ ପରିବେଶ ଦେଖିବାକୁ ମିଳିଛି। ପର୍ଯ୍ୟଟନସ୍ଥଳୀର ମାନ୍ୟତା ପରେ ଏଠାରେ ଅଡିଟୋରିୟମ ସ୍ଥାପନ, କଟକ ଚାନ୍ଦବାଲି ରାସ୍ତାର ମଧୁବଜର (ପାଗା)  ଛକ ଠାରେ ମଧୁସ୍ମୃତି ତୋରଣ ନିର୍ମାଣ, ମଧୁ ବାବୁଙ୍କ ମଣ୍ଡପକୁ ସମ୍ପୂର୍ଣ ଆବଦ୍ଧ କରିବା, ଜନ୍ମ ପୀଠରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ, ବାଲି ପୋଖରୀରେ ବୋଟିଂ ବ୍ୟବସ୍ଥା କରିବା, ମଧୁ ବାବୁଙ୍କ ଜନ୍ମ ପୀଠକୁ ଜାତୀୟ ସ୍ମାରକୀ ପୀଠର ମାନ୍ୟତା ପ୍ରଦାନ, ସଂଗ୍ରହାଳୟର ରକ୍ଷଣାବେକ୍ଷଣ ପାଇଁ କର୍ମଚାରୀ ନିଯୁକ୍ତି ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାନ୍ତ କୁମାର ଭୂୟାଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର