କେତେବେଳେ ବି ଘଟିପାରେ ଦୁର୍ଘଟଣା : ବିରୂପା ପୋଲରେ ଭାଙ୍ଗି ଯାଇଛି ସୁରକ୍ଷା ବାଡ, ମରାମତି ପାଇଁ ନିଘା ନାହିଁ

ଭୁବନେଶ୍ବର:  ପ୍ରତିଦିନ ୧୬ ନମ୍ବର ଜାତୀୟ ରାଜପଥ ଦେଇ ହଜାର ହଜାର ଯାନବାହନ ଚଳାଚଳ କରନ୍ତି । କାରଣ ରାଜ୍ୟର ଦୁଇଟି ପ୍ରମୁଖ ସହର  ଓ ରାଜ୍ୟବାସୀଙ୍କ ଦୁଇଟି ଜୀବନ ରେଖା କୁହାଯାଉଥିବା  କଟକ ଆଉ ଭୁବନେଶ୍ୱରକୁ ଏହି ରାସ୍ତା ଯୋଡ଼ୁଛି  । ହେଲେ ଏହି ଯାନବାହନବହୁଳ ଚଳାଚଳ ରାସ୍ତାରେ  ଯାତ୍ରା ସଂପୂର୍ଣ୍ଣ ବିପଦମୁକ୍ତ ବୋଲି କହିହେବ ନାହିଁ। କାରଣ ଏହି ରାସ୍ତାରେ ଥିବା ନଦୀପୋଲର ବାଡ ଭାଙ୍ଗି ଯାଇଥିବାରୁ ଗାଡି ଚଳାଇବାରେ ଟିକେ ଏପଟେ ସେପଟ ହେଲେ ସିଧା ପୋଲ ତଳକୁ ପଡ଼ିବା ଏକ ପ୍ରକାର ନିଶ୍ଚିତ।

ତେବେ କଟକ ଜଗତପୁରରୁ ମଙ୍ଗୁଳିକୁ ସଂଯୋଗ କରୁଥିବା ବିରୂପା ପୋଲର ସ୍ଥିତି ଅତି ଦୟନୀୟ କହିଲେ ଭୁଲ ହେବ ନାହିଁ । ପୋଲ ଦିନକୁ ଦିନ ଦୁର୍ବଳ ହୋଇଯାଉଥିବା ବେଳେ ପୋଲର ସୁରକ୍ଷା ବାଡ ଭାଙ୍ଗି ଯାଇଛି । ପୋଲରେ ୧୫ରୁ ୨୦ ଫୁଟ ଲମ୍ବ ଯାଏଁ ସୁରକ୍ଷାବାଡ ଭାଙ୍ଗି ଯାଇଛି । କେତେବେଳେ ଯେ, କ’ଣ ଘଟିବ ତାହା କହି ହେବ ନାହିଁ ।

୨୦ ନଭେମ୍ବର ୨୦୧୮ରେ ଜଗତପୁର ମହାନଦୀ ପୋଲର ବାଡ଼ ଭାଙ୍ଗି ତଳକୁ ଖସିପଡିଥିଲା ବସ । ଆଉ ସେଦିନର ସେହି ଘଟଣା ପରେ ଦୁର୍ଘଟଣା ସ୍ଥଳରେ ଲୁହା ରେଲିଂ ଲଗାଇ ଦାୟିତ୍ୱ ସାରିଦେଇଥିବା ଜାତୀୟ ରାଜପଥ କର୍ତୃପକ୍ଷ ବିରୂପା ସେତୁ ଉପରେ ନଜର ଦେଉନାହାଁନ୍ତି । ଏଥିପାଇଁ ରାସ୍ତା ମରାମତି ଦାୟିତ୍ୱରେ ଥିବା ଘରୋଇ ଠିକା ସଂସ୍ଥାକୁ ଦାୟୀ କରୁଛନ୍ତି ଜାତୀୟ ରାଜପଥ କର୍ତୃପକ୍ଷ । ସେପଟେ ରାଜପଥର ଦୂରାବସ୍ଥା ନେଇ ଜାତୀୟ ରାଜପଥ କର୍ତୃପକ୍ଷ, ଆରଡିସି ଓ କଟକ ଜିଲ୍ଲାପାଳଙ୍କୁ ଜଣାଇଥିବା କହିଛନ୍ତି କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ।

ଶ୍ରୀ ଜଗନ୍ନାଥ କନଷ୍ଟ୍ରକସନ୍ ନାମକ ଘରୋଇ ଠିକା ସଂସ୍ଥା କଟକ ଗୋପାଳପୁରରୁ କଟକ-ଗୋବିନ୍ଦପୁର ପର୍ଯ୍ୟନ୍ତ ୩୯ କିଲୋମିଟର ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି । ଆଉ ଏହି ରାସ୍ତାରେ ରହିଛି ମଙ୍ଗୁଳି ଟୋଲ ଗେଟ୍ । ଯେଉଁଠୁ ପ୍ରାୟ ଲକ୍ଷାଧିକ ଟଙ୍କା ରୋଡ ଟ୍ୟାକ୍ସ ଆଦାୟ ହେଉଛି । ଏହି ଟଙ୍କାରେ ଜାତୀୟ ରାଜପଥ ମରାମତି କରାଯିବାର ନିୟମ ରହିଛି, ହେଲେ ରାସ୍ତା ମରାମତି କିଭଳି ହେଉଛି, ତାହା ଏହି ଦୃଶ୍ୟ ବୟାନ କରୁଛି ।

ସମ୍ବନ୍ଧିତ ଖବର