ଜଗତସିଂହପୁର ଟାଉନ୍‌: ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ ହୋଇପଡ଼ିଛନ୍ତି। ଗତକାଲି ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ଆଜି ଅସ୍ତ୍ରୋପଚାର କରାଯାଇ ତାଙ୍କୁ ଆଇସିୟୁରେ ରଖା ଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଏଥି ପୂର୍ବରୁ ଶ୍ରୀ ଦାସ ଅନେକ ରୋଗରେ ପୀଡ଼ିତ ଥିଲେ। ଏମିତିକି ଗତ ନିର୍ବାଚନ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ପ୍ରଚାରରେ ଆସି ପାରି ନଥିଲେ। ମେଡିକାଲରେ ରହି ମଧ୍ୟ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିଲେ । ନିର୍ବାଚନ ପରେ ନିର୍ବାଚନ ମଣ୍ଡଳୀକୁ ପ୍ରାୟତଃ ଆସୁ ନଥିଲେ। ତାଙ୍କ ପୁଅ ବିଜୟ ଶଙ୍କର ଦାସ ବିଭିନ୍ନ ଉନ୍ନୟନ ମୂଳକ କାମରେ ଆସି ଶିଳାନ୍ୟାସ, ଉଦ୍‌ଘାଟନ କରୁଥିବା ଦେଖିବାକୁ ମିଳିଥିଲା। ଶ୍ରୀ ଦାସ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ୫ ଥର ବିଧାୟକ, ତିର୍ତ୍ତୋଲରେ ଥରେ ଏଭଳି ମୋଟ ୬ ଥର ବିଧାୟକ ହୋଇଛନ୍ତି। ୯ ମାସ ପାଇଁ ରାଜ୍ୟସଭା ସାଂସଦ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ, ଗଣଶିକ୍ଷା ମନ୍ତ୍ରୀ ସହ ଅନେକ ପଦପଦବିରେ ରହିଛନ୍ତି।