କୁନ୍ଦୁଲି ଗଣଦୁଷ୍କର୍ମ ମାମଲା: କ୍ରାଇମବ୍ରାଞ୍ଚ ଦାବି ନେଇ ନବୀନ ନିବାସରେ ପହଞ୍ଚିଥିବା ବିଷ୍ଣୁ ଦାସ ଭେଟି ପାରିଲେ ନାହିଁ ନବୀନଙ୍କୁ

ଭୁବନେଶ୍ୱର: ସୋମବାର ସକାଳେ ବିଜେଡି ଦଳିତ ସେଲର ଆବାହକ ବିଷ୍ଣୁଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ ନବୀନ ନିବାସ ଯାଇଥିଲେ। ହେଲେ ବିଷ୍ଣୁଦାସ ନବୀନଙ୍କୁ ଦେଖାକରି ପାରି ନଥିଲେ।

ଏହି ପ୍ରସଙ୍ଗରେ ବିଷ୍ଣୁ ଦାସ କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କ୍ରାଇମବ୍ରାଞ୍ଚ ଦାବି କରିଥାନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିଲି ନାହିଁ। ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଥିଲେ, ତାଙ୍କର ଆସିବା ବିଳମ୍ବ ହେଲା। ଏହା ପ୍ରକୃତ କାରଣ ନା ଏହା ପଛରେ ଅନ୍ୟ କିଛି ରହସ୍ୟ ଅଛି ବୋଲି ବିଷ୍ଣୁ ଦାସ କହିଛନ୍ତି।

ଗତ ଶୁକ୍ରବାର ଦିନ ବିଜେଡି ଦଳିତ ସେଲର ମୁଖ୍ୟ ବିଷ୍ଣୁଦାସ ସାମ୍ବାଦିକ ସମ୍ମିଳନୀରେ କୁନ୍ଦୁଲି ଗଣଦୁଷ୍କର୍ମ କେବଳ ଏସଓଜି ଜବାନମାନଙ୍କ ଦ୍ୱାରା ହିଁ ଘଟିଛି ବୋଲି କହିଥିଲେ । ମାଓ ଦମନ ପାଇଁ କାର୍ଯ୍ୟ କରୁଥିବା ଏସଓଜି ରାଜ୍ୟ ଗୃହ ବିଭାଗ ଅଧୀନରେ କାର୍ଯ୍ୟ କରୁଛି । ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଗୃହ ବିଭାଗକୁ ଟାର୍ଗେଟ କରିବା ବିଷ୍ଣୁଙ୍କ ମହଙ୍ଗା ପଡିଲା କି ? ସେଦିନ ବିଷ୍ଣୁଙ୍କ ମନ୍ତବ୍ୟର ପରେ ବିଜେପି ସ୍ପଷ୍ଟିକରଣ ଦାବି କରିଥିଲା । ଏହାକୁ ନେଇ ରାଜନୀତି ଜୋର ଧରିଥିଲା ।

ଅଗଷ୍ଟ ୧୦ରେ କୁନ୍ଦୁଲି ଗଣଦୁଷ୍କର୍ମ ପରେ କୋରାପୁଟ ଏସପି ବିଶାଲ ସିଂହ କହିଥିଲେ, ସେ ଅଞ୍ଚଳକୁ ଏସଓଜି ଓ ବିଏସଏଫ ଜବାନମାନେ ଯାଇ ନଥାନ୍ତି । ଅଗଷ୍ଟ ୧୧ରେ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଏଥିରେ ନକ୍ସଲ ସଂପୃକ୍ତ ଥାଇପାରନ୍ତି ବୋଲି କହିଥିଲେ, ଯାହାକୁ ବିରୋଧ କରିଥିଲେ ନକ୍ସଲ ସଂଗଠନ । ବିଷ୍ଣୁ ଦାସ ମର୍ଯ୍ୟାଦାସମ୍ପନ୍ନ ପଦରେ ରହି ଗୃହ ବିଭାଗକୁ ଟାର୍ଗେଟ କରିବା ବିଜେଡିକୁ ଅଡୁଆ ପରିସ୍ଥିତିରେ ପକାଇଥିଲା ।

ଉଲ୍ଲେଖଯୋଗ୍ୟ, କୁନ୍ଦୁଲି ବଜାରରୁ ଘରକୁ ଫେରୁଥିଲା ବେଳେ ବିଏସଏଫ, କୋବ୍ରା ବାହିନୀର ୪ ଜଣ ଜୋରଜବରଦସ୍ତ ଗଣଦୁଷ୍କର୍ମ କରିଥିବା କଥା ପୀଡ଼ିତାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ । ବିଏସଏଫ ଓ କୋବ୍ରା ବାହିନୀର ଜବାନମାନେ ଏ ପ୍ରକାର ଅପରାଧିକ ଘଟଣାରେ ଲିପ୍ତ ଥିବା କଥା ସ୍ଥାନୀୟ ଲୋକମାନେ ପ୍ରକାଶ କରିଥିଲେ । ବିଜେଡିର ଅନୁସୂଚିତ ଜାତି ସେଲ ପକ୍ଷରୁ ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ । ସେମାନଙ୍କ ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଦ୍ୱାରା ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଛି ।

ଦୁଇ ଦିନ ହେଲା ଏହି ଘଟଣାକୁ ନେଇ ରାଜଭବନ ସମ୍ମୁଖରେ ଧାରଣା ଦେଉଥିବା କଂଗ୍ରେସ ବି ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରିଛି । ଦଳର ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ତଥା ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିଛନ୍ତି, ବିଜେଡ଼ି ଦଳିତ ସେଲ ଆବାହକ ବିଷ୍ଣୁ ଦାସ ଏସଓଜି ଜବାନ ଦୁଷ୍କର୍ମରେ ସଂପୃକ୍ତ ବୋଲି ଆଜି ପ୍ରକାଶ କରିବା ପରେ ରାଜ୍ୟ ପୁଲିସ ଡିଜି କାହା ଇଙ୍ଗିତରେ ଘଟଣା ଘଟିବାର ଅଧଘଣ୍ଟା ଭିତରେ ଏଥିରେ ଯବାନଙ୍କ ସଂପୃକ୍ତି ନାହିଁ ବୋଲି ଗଣମାଧ୍ୟମରେ କହିଥିଲେ ? ନବୀନ ସରକାରଙ୍କ ପକ୍ଷରୁ କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାକୁ ଚପାଇ ଦେବାପାଇଁ ଚକ୍ରାନ୍ତ ହୋଇଥିଲା । ମାତ୍ର କଂଗ୍ରେସର ଆନ୍ଦୋଳନ ଫଳରେ ସତ୍ୟ ପଦାକୁ ଆସିଛି।

ରବିବାର ଶ୍ରୀ ଦାସ ଗଣମାଧ୍ୟମକୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ବିଜେଡି ଅନୁସୂଚିତ ଜାତି ସେଲ ପକ୍ଷରୁ ତଦନ୍ତ ରିପୋର୍ଟ ସମ୍ପର୍କରେ ମୁଁ ସାମ୍ବାଦିକ ସମ୍ମିଳନୀରେ ଲିଖିତ ଭାବେ ସୂଚନା ଦେଇଥିଲି, କିନ୍ତୁ କେତେକ ଗଣମାଧ୍ୟମରେ ମୋ ବକ୍ତବ୍ୟକୁ କଦର୍ଥ କରି ଏସଓଜି ଜବାନଙ୍କ ସଂପୃକ୍ତି ଥିବା କଥା ପ୍ରକାଶ କରୁଛନ୍ତି। ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଶ୍ରୀ ଦାସ ସ୍ପଷ୍ଟୀକରଣ ଦେଇଥିଲେ ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି ।

ସମ୍ବନ୍ଧିତ ଖବର