ରଘୁନାଥପୁର/ଗୋପାଳପୁର : ରଘୁନାଥପୁର ବ୍ଲକ୍‌ ନିକଟରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାର୍ଶ୍ବରୁ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଦାବିରେ ଅନଶନ ଚଳାଇଥିବା ଇଂ. ହିମାଂଶୁ ମଲ୍ଲିକ ଓ ବ୍ଲକ୍ କଂଗ୍ରେସ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ଆମରଣ ଅନଶନ ସପ୍ତମ ଦିନରେ ପହଞ୍ଚିଛି।

Advertisment

ଆଜି ହିମାଂଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନଶନ ସ୍ଥଳରେ ଜଗତିସଂହପୁର ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ପହଞ୍ଚି ସେମାନଙ୍କ ଦାବିକୁ ରାଜ୍ୟ ସରକାରଙ୍କୁ ପଠାଇବେ, ସରକାରଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ ପୂର୍ବତନ ମନ୍ତ୍ରୀ ବିଷ୍ଣୁଦାସଙ୍କ ପ୍ରତିମୂର୍ତ୍ତିର ସ୍ଥିତାବସ୍ଥା ବଜାୟ ରହିବ। ଘୋଡ଼ା ‌ହୋଇଥିବା ପ୍ରତିମୂର୍ତ୍ତିକୁ କେହି ଉନ୍ମୋଚନ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେବାପରେ କଂଗ୍ରେସ କର୍ମୀମାନେ ଧାରଣାରୁ ଓହରି ଯାଇଛନ୍ତି।

ଅନ୍ୟପକ୍ଷରେ ୯ ଦିନ ହେଲା ଧାରଣା ଜାରି ରଖିଥିବା ନବନିର୍ମାଣ କୃଷକ ସଂଗଠନର ରାଜ୍ୟ କର୍ମକର୍ତ୍ତା ଦେବୀପ୍ରସାଦ ମହାରଣା ଘୋଷଣା କରିଛନ୍ତି, ସରକାରଙ୍କ ଠାରୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ। ଆନ୍ଦୋଳନସ୍ଥଳରେ ଆଜି ଅପରାହ୍ଣରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ପୂର୍ବତନ ସାଂସଦ ରଂଜୀବ ବିଶ୍ବାଳ, ପିସିସି କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ବାଳ ପ୍ରମୁଖ ପହଞ୍ଚି ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରି ଅଞ୍ଚଳବାସୀଙ୍କ ଦାବି ଓ ଭାବାବେଗକୁ ସମ୍ମାନ ଜଣାଇ ସରକାର ତୁରନ୍ତ ବିଷ୍ଣୁଦାସଙ୍କ ପ୍ରତିମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରିଥିଲେ।