ଫେରିଗଲେ ୪ ମନ୍ତ୍ରୀ, ୮ରୁ ଅଧିକ ବିଧାୟକ, ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ବାତିଲ

ସଟ୍‌ଡାଉନ୍‌ ଯୋଗୁଁ ଅନୁମତି ଦେଲେନି ଏସ୍‌ପି

ଜଗତସିଂହପୁର : ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁଚରଣ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଚାରିଟି ସ୍ଥାନରେ ପ୍ରତିମୂର୍ତ୍ତି  ଉନ୍ମୋଚନ ପାଇଁ ରବିିବାର ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ଆୟୋଜନ କରାଯାଇଥିଲା। ଏଥିରେ କ୍ୟାବିନେଟ୍‌ ସ୍ତରୀୟ ୪ ମନ୍ତ୍ରୀ ଓ ୮ରୁ ଅଧିକ ବିଧାୟକ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମକୁ ଏସ୍‌ପି ଅଖିଳେଶ୍ବର ସିଂ ବାତିଲ କରିଦେଇଥିଲେ। ସଟ୍‌ଡାଉନ୍‌ରେ ଏମିତି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପୁଲିସ ଅନୁମତି ନ ଦେବାରୁ ବାଧ୍ୟ ହୋଇ ଅଧାରାସ୍ତାରୁ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ରାଜନେତାମାନେ ଫେରିଯାଇଥିଲେ। ଏଣୁ ଏହି କାର୍ଯ୍ୟକ୍ରମକୁ ଅନ୍ୟ କୌଣସି ଦିନରେ ଆୟୋଜନ କରିବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହାକୁ ନେଇ ଆଜି ଜଗତସିଂହପୁର ଜିଲ୍ଲାରେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ତିର୍ତ୍ତୋଲ ସମେତ ରଘୁନାଥପୁର ଓ ବିରିଡ଼ିରେ ସ୍ବର୍ଗତ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ ବୋଲି ଚୂଡ଼ାନ୍ତ କରାଯାଇଥିଲା। ତିର୍ତ୍ତୋଲ ବ୍ଲକ୍‌ ଛକ, ରଘୁନାଥପୁର ବ୍ଲକ୍ ଛକ ଏବଂ ବିରିଡ଼ିରେ ଦୁଇ ଜାଗା କଇଜଙ୍ଗା ଓ ଦଳୀୟ କାର୍ଯ୍ୟାଳୟରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥାନ୍ତା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ବିକ୍ରମ କେଶରୀ ଆରୁଖ, ସମୀର ଦାଶ, ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ, ବିଧାୟକ ପ୍ରଶାନ୍ତ ମୁଦୁଲି, ସମ୍ବିତ ରାଉତରାୟ, ସ୍ବର୍ଗତ ଦାସଙ୍କ ପୁଅ ତଥା ବିଧାୟକ ବିଜୟ ଶଙ୍କର ଦାସ, ଅତନୁ ସବ୍ୟସାଚୀ ନାୟକ, ଚନ୍ଦ୍ରସାରଥି ବେହେରା, ପ୍ରଶାନ୍ତ ବେହେରା, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ସଞ୍ଜୟ ଦାସବର୍ମାଙ୍କ ସମେତ ଆଉ କିଛି ରାଜନେତା ଯୋଗଦେବେ ବୋଲି ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ବ୍ୟାନର୍‌ ଲଗାଯାଇଥିଲା। ଆଜି ସକାଳୁ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଥିବା ସ୍ଥାନଗୁଡ଼ିକରେ ସାଜସଜ୍ଜା, ତୋରଣ ଓ ଶତାଧିକ କର୍ମୀଙ୍କ ଭିଡ଼ ଜମିଥିଲା। କେବଳ ଅତିଥିମାନେ ପହଞ୍ଚିବା ପରେ ବେଶ୍ ଜାକଜମକରେ ଏହି କାର୍ଯ୍ୟକ୍ରମକୁ ଦଳ ପକ୍ଷରୁ କରାଯାଇଥାନ୍ତା।

ମାତ୍ର ହଠାତ୍‌ ସମସ୍ତ ଥାନାକୁ ଏହି କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଆସିଥିଲା। ପ୍ରଥମେ ରଘୁନାଥପୁର ବ୍ଲକ୍ ଛକରେ ଏସ୍‌ଡିପିଓ ଦୀପକ ରଂଜନ ଜେନା ପହଞ୍ଚି କାର୍ଯ୍ୟକ୍ରମ ବାତିଲ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ କହିଥିଲେ। ଫଳରେ ଏହି ଖବର ବିଜୁଳି ବେଗରେ ଅତିଥିମାନଙ୍କ ପାଖରେ ପହଞ୍ଚି ଯାଇଥିଲା। ସେତେବେଳକୁ ଅଧିକାଂଶ ଅତିଥି କାର୍ଯ୍ୟକ୍ରମ ସ୍ଥଳକୁ ଆଗମନ କରି ରାସ୍ତାରେ ଥିଲେ। ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ହୋଇ ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ଏହାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇ ଫେରିଯାଇଥିଲେ। ଆଉ କିଛି ନେତା ଜଗତସିଂହପୁରରେ ପହଞ୍ଚି ସାରିଥିବାରୁ ବାଧ୍ୟ ହୋଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ତିର୍ତ୍ତୋଲସ୍ଥିତ ଘରକୁ ଚାଲିଯାଇଥିବା ଶୁଣିବାକୁ ମିଳିଛି।

ସମ୍ବନ୍ଧିତ ଖବର