ସ୍ବର୍ଗଦ୍ବାରରେ ବିଷ୍ଣୁଙ୍କ ଅନ୍ତିମ ସଂସ୍କାର

ପୁରୀ/ଜଗତସିଂହପୁର: ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମରଶରୀର ଆଜି ପଞ୍ଚଭୂତରେ ଲୀନ ହୋଇଛି। ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯାଦା ସହ ସ୍ବର୍ଗତ ଦାସଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ଶ୍ରୀ ଦାସଙ୍କ ପୁଅ ବିଜୟ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ଦାସ ଗତକାଲି ଇହଲୀଳା ସମ୍ବରଣ କରିଥିଲେ।

ସେଠାରୁ ସ୍ବର୍ଗତ ଦା‌ସଙ୍କ ମରଶରୀରକୁ ତାଙ୍କ ପରିବାରବର୍ଗ ଧରି ସ୍ବର୍ଗଦ୍ବାର ଆସିଥିଲେ। ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତିମ ଦର୍ଶନ ପାଇଁ ସହକର୍ମୀ ଓ ଆତ୍ମୀୟଙ୍କ ଭିଡ଼ ଲାଗିଥିଲା। ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦା‌ସ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତି ବେହେରା, ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି, ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରତାପ ଚନ୍ଦ୍ର ସ୍ବାଇଁ, ରାଜ୍ୟ ଛାତ୍ର ବିଜେଡି ସଂପାଦକ ଶୁଭାଶିଷ ଖୁଣ୍ଟିଆ, ପୁରୀ ନଗର ବି‌ଜେଡି କୋଷାଧ୍ୟକ୍ଷ ପ୍ରସନ୍ନ ମହାପାତ୍ର, ବିଜେଡି ନେତା ସବ୍ୟସାଚୀ ମହାପାତ୍ର, ଭକ୍ତ ଦାସ, କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, କଟକ ଜୋନ ଛାତ୍ର ବିଜେଡି ଉପସଭ‌ାପତି ପ୍ରଭୃତି ଭୂଷଣ ମହାପାତ୍ର, ବିଜେଡି ନେତା ବସନ୍ତ ମହାପାତ୍ର, ଛାତ୍ର ନେତା ରଶ୍ମିରଂଜନ ଚୌଧୁରୀ ଓ ଶ୍ରୀ ଦାସଙ୍କ ବ୍ୟକ୍ତିଗତ ସହାୟକ ନିରଂଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଦାସଙ୍କୁ ଶେ‌ଷ ସମ୍ମାନ ଜଣାଇଥିଲେ। ଶେଷକୃତ୍ୟ ବେଳେ ସ୍ବର୍ଗତ ଦାସଙ୍କ ସାନ ଭାଇ ମାନସ ରଂଜନ ଦାସ, ଭାଣିଜୀ ଜ୍ବାଇଁ ମନୋଜ ଭୋଇ, ଭଣଜା ସନ୍ତୋଷ ଦାସ, ପୁତୁରା ଦିଲୀପ ଦାସ, ସୁଜିତ ଦାସ, ଦୁର୍ଗାମାଧବ ଦାସ ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ।

ସ୍ବର୍ଗଦ୍ବାରକୁ ଆଣିବା ପୂର୍ବରୁ ଅଭୂତପୂର୍ବ ଜନସମୁଦ୍ର ଭିତରେ ପୂର୍ବତନ ମନ୍ତ୍ରୀ, ସାଂସଦ, ବରିଷ୍ଠ ବିଧାୟକ, ଅପ୍ରତିଦ୍ବନ୍ଦ୍ବୀ ଜନନେତା ବିଷ୍ଣୁ ଦାସଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲା ଜଗତସିଂହପୁର ମାଟି। ଆଜି ତାଙ୍କ ପାର୍ଥିବ ଶରୀର ଏଠାରେ ପହଞ୍ଚିବା ପରେ ଲୋକମାନେ କଟକ ଜଗତସିଂହପୁର ରାସ୍ତାର ଉଭୟ ପାର୍ଶ୍ବରେ ଧାଡ଼ି ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍‌ ପଡ଼ିଆରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ତାଙ୍କ ପାର୍ଥିବ ଶରୀରକୁ ପୈତୃକ ଘର ମକୁନ୍ଦପୁରକୁ ନିଆଯାଇଥିଲା। ସେଠାରେ ପ୍ରିୟଜନମାନେ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର