ରାଉରକେଲା : ଜରୁରୀକାଳୀନ ପରିସ୍ଥିତିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଆଭ୍ୟନ୍ତରୀଣ ନିରାପତ୍ତା ଆଇନ (ମିସା) ବଳରେ ଗିରଫ ହୋଇଥିବା ରାଜ୍ୟର ପ୍ରଥମ ଛାତ୍ର ନେତା ଥିଲେ ସିଆଇଟିୟୁର ସର୍ବଭାରତୀୟ ଉସଭାପତି ବିଷ୍ଣୁ ମହାନ୍ତି।

Advertisment

ଏହି ଆଇନ ବଳରେ ତାଙ୍କୁ ଥରେ କି ଦୁଇ ଥର ନୁହେଁ ୪ ଥର ଗିରଫ ହୋଇ ଜେଲ୍‌ ଯିବାକୁ ପଡ଼ିଥିଲା। ପୂର୍ବରୁ ତିନି ଥର ଓ ୧୯୭୫ ଜୁନ୍‌ରେ ଥରେ ଏମିତି ପ୍ରାୟ ୪ ବର୍ଷରୁ ଅଧିକ ସମୟ ଢ଼େଙ୍କାନାଳ ଓ ସୁନ୍ଦରଗଡ଼ ଜେଲ୍‌ରେ ରହିଥିଲେ। ୧୯୭୭ ଜରୁରୀକାଳୀନ ପରିସ୍ଥିତି ଉଠିବା ପରେ ସେ ଜେଲ୍‌ରୁ ବାହାରିଥିଲେ। ତାଙ୍କ ସହ ବହୁ ପୂର୍ବତନମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ଜେଲରେ ରହିଥିଲେ। ଜରୁରୀକାଳୀନ ପରିସ୍ଥିତି ସଂକ୍ରାନ୍ତ ଶ୍ରୀ ମହାନ୍ତି ତାଙ୍କ ଅନୁଭୂତି କହିଛନ୍ତି। ସେ ବାମପନ୍ଥୀ ଛାତ୍ର ନେତା ଥିଲେ। ରାଉରକେଲା ସରକାରୀ କଲେଜରେ ୫ ଥର ସଭାପତି ଥିଲେ। ୧୯୭୫ ଜୁନ୍‌ ୨୬ରେ କେନ୍ଦ୍ର ସରକାର ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ତିନି ଦିନ ପରେ ଅର୍ଥାତ୍‌ ଜୁନ୍‌ ୨୯ରେ ସେକ୍ଟର-୧୬ ଅଞ୍ଚଳକୁ ପୁଲିସ ଘେରାବନ୍ଦୀ କରି ତାଙ୍କୁ ଗିରଫ କରି ନେଇଥିଲେ। ରାଉରକେଲାରୁ ପୁଲିସ ତାଙ୍କୁ ଢ଼େଙ୍କାନାଳ ଜେଲକୁ ନେଇଯାଇଥିଲେ। ଜେଲରେ ମାସେ କି ଦୁଇ ମାସ ନୁହେଁ ୧୯ ମାସ ରହିଥିଲେ। ଜେଲ ଭିତରେ ମଧ୍ୟ ଆନ୍ଦୋଳନ ଜାରି ରଖିଥିଲେ। ତାଙ୍କ ସହ ସ୍ବର୍ଗତା ରମାଦେବୀଙ୍କ ପୁଅ ମନମୋହନ ଚୌଧୁରୀ, ପୂର୍ବତନ ମନ୍ତ୍ରୀ ପ୍ରତାପ ମହାନ୍ତି, ପୂର୍ବତନ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସୁରେନ୍ଦ୍ର ନାୟକ, ପୁଲିସ ଆଇଜି ଜେ.ଏମ୍‌. ସାମଲ୍‌, ବ୍ରହ୍ମପୁରର ତତ୍କାଳୀନ ବିଧାୟକ ଅଜୟ ଜେନା ପ୍ରମୁଖ ଜେଲ୍‌ରେ ଥିଲେ। ଜେଲ ଥାଇ ମଧ୍ୟ ଆନ୍ଦୋଳନ ଜାରି ରଖିଥିଲେ। ଏଥିପାଇଁ ତାଙ୍କୁ ଜେଲ୍‌ରେ ମାଡ଼ ମଧ୍ୟ ଖାଇବାକୁ ପଡ଼ିଥିଲା।

ଏହା ପୂର୍ବରୁ ଅର୍ଥାତ୍‌ ୧୯୭୨ ମାର୍ଚ୍ଚରେ ମିସା ଆଇନ ବଳରେ ଗିରଫ ହୋଇଥିଲେ। ପ୍ରାୟ ୨୦ ହଜାର ଠିକା ଶ୍ରମିକଙ୍କ ଆନ୍ଦୋଳନକୁ ସମର୍ଥନ କରିଥିବାରୁ ତାଙ୍କୁ ପୁଲିସ ଗିରଫ କରିଥିଲେ। ୮ ମାସ ସୁନ୍ଦରଗଡ଼ ଜେଲ୍‌ରେ ରହିଥିଲେ। ବର୍ଷକ ପରେ ୧୯୭୩ ଅଗଷ୍ଟ ମାସରେ ଛାତ୍ର ସଭାପତି ଭାବେ ପାନପୋଷରେ ସରକାରୀ କଲେଜ ବିଲ୍‌ଡିଂ ନିର୍ମାଣ ଦାବିରେ ଆନ୍ଦୋଳନକୁ ଜୋରଦାର କରିଥିଲେ। ଆନ୍ଦୋଳନରେ ଶହ ଶହ କଲେଜ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ପୁଲିସ ତାଙ୍କୁ ମିସା ଆଇନରେ ଗିରଫ କରି ସୁନ୍ଦରଗଡ଼ ଜେଲ୍‌କୁ ପଠାଇଥିଲେ। ୧୧ ମାସ ରହିବା ପରେ ଜେଲ୍‌ରୁ ବାହାରିଥିଲେ। ୧୯୭୪ ଏପ୍ରିଲରେ ପୁଣି ସେ ମିସା ଆଇନ ବଳରେ ଗିରଫ ହୋଇଥିଲେ। ସେହି ସମୟରେ ଐତିହାସିକ ରେଳ ଶ୍ରମିକ ଧର୍ମଘଟ ହୋଇଥିଲା। ସାରା ଦେଶରେ ପ୍ରାୟ ୧୮ ଲକ୍ଷରୁ ଅଧିକ ରେଳ ଶ୍ରମିକ ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଛାତ୍ରନେତା ଶ୍ରୀ ମହାନ୍ତି ଆନ୍ଦୋଳନକୁ ସମର୍ଥନ ଜଣାଇ ସାମିଲ ହୋଇଥିଲେ। ରେଳ କର୍ମଚାରୀ ନେତା ଓ ତାଙ୍କ ନେତୃତ୍ବରେ ହଜାର ହଜାର ରେଳ ଶ୍ରମିକ ବନ୍ଧମୁଣ୍ଡାସ୍ଥ ହାୱଡା-ମୁମ୍ବାଇ ରେଳ ଲାଇନରେ ଧାରଣା ବସିଥିଲେ। ରେଳ ଯାତାୟତ ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ମିସା ଆଇନ ବଳରେ ପୁଲିସ ଶ୍ରୀ ମହାନ୍ତିଙ୍କ ସହ ଅନ୍ୟମାନଙ୍କୁ ଗିରଫ କରିଥିଲେ। ଶ୍ରୀ ମହାନ୍ତି ପ୍ରାୟ ୧୦ ମାସ ସୁନ୍ଦରଗଡ଼ ଜେଲ୍‌ରେ ରହିଥିଲେ। କେନ୍ଦ୍ର ସରକାର ବି‌ରୋଧୀମାନଙ୍କୁ ଦମନ କରିବାକୁ ଯେଉଁ ଏବେ ଯେଉଁ ପଦକ୍ଷେପ ନେଉଛନ୍ତି, ତାହା ଜରୁରୀକାଳୀନ ପରିସ୍ଥିତି ଠାରୁ କିଛି କମ୍‌ ନୁହେଁ ବୋଲି ସେ ‌କହିଛନ୍ତି।