ପରଲୋକରେ ବିଷ୍ଣୁ ସେଠୀ

ଭୁବନେଶ୍ବର/ଭଦ୍ରକ : ବରିଷ୍ଠ ବିଜେପି ବିଧାୟକ, ରାଜ୍ୟ ବିରୋଧୀ ଦଳର ଉପନେତା ତଥା ଭଦ୍ରକ ଧାମନଗର ନିର୍ବାଚନମଣ୍ଡଳୀର ଲୋକପ୍ରିୟ ରାଜନେତା ବିଷ୍ଣୁ ସେଠୀ ଆଉନାହାନ୍ତି।ସୋମବାର ସକାଳ ୬ଟା ୪୫ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

ତାଙ୍କୁ ମାତ୍ର ୬୧ ବର୍ଷ ହୋଇଥିଲା। ମଧୁମେହ ଓ ଯକୃତ୍‌ ରୋଗରେ ପୀଡ଼ିତ ହୋଇ ସେ ମାସେ ହେଲା ଭୁବନେଶ୍ବର ଏମ୍‌ସ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ତାଙ୍କର ଧର୍ମପତ୍ନୀ ଉର୍ମିଳା ପାଣିଗ୍ରାହୀ, ଏକମାତ୍ର ଝିଅ ସ୍ମୃତି ସରଣ୍ୟା ଓ ପୁଅ ସୂରଜ ସୂର୍ଯ୍ୟବଂଶୀ ଅଛନ୍ତି। ବିଷ୍ଣୁଙ୍କ ଅକାଳ ବିୟୋଗରେ ଜନ୍ମମାଟି ତିହିଡ଼ି ବ୍ଲକ, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ ଜିଲ୍ଲା ସମେତ ରାଜ୍ୟବ୍ୟାପୀ ଶୋକର ଛାୟା ଖେଳିଯାଇଛି।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ, କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ବିଶେଶ୍ବର ଟୁଡ଼ୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟର ବହୁ ତୁଙ୍ଗ ନେତା ତାଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଷ୍ଣୁଙ୍କ ଆକସ୍ମିକ ମୃତ୍ୟୁ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି ଦଳମତ ନିର୍ବି‌ଶେଷରେ ବହୁ ବିଧାୟକ ଓ ସାଂସଦ ମତବ୍ୟକ୍ତ କରିଛନ୍ତି। ତାଙ୍କର ଅମାୟିକ ବ୍ୟବହାର ଓ ହସହସ ମୁହଁରେ ରୋକ୍‌ଠୋକ୍‌ କଥାକୁ ଲୋକେ ଖାଲି ପସନ୍ଦ କରୁନଥିଲେ, ଉଭୟ ବିଧାନସଭା ଓ ଗଣମାଧ୍ୟମ ପାଇଁ ଥିଲେ ସେ ଜଣେ ଚର୍ଚ୍ଚିତ ନେତା। ଜନ୍ମମାଟି ତିହିଡ଼ି ବ୍ଲକ ମଙ୍ଗରାଜପୁର ଗାଁରେ ତାଙ୍କର ଅନ୍ତ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଛି।

୧୯୬୧ ମସିହା ଜୁନ୍ ୫ ତାରିଖରେ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡା ପଞ୍ଚାୟତର ମଙ୍ଗରାଜପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ବିଷ୍ଣୁ। ଗାଁ ସ୍କୁଲରୁ ପାଠପଢ଼ା ଶେ‌ଷ ପରେ ଭଦ୍ରକ କଲେଜରୁ ଆଇଏ ଓ ଇତିହାସ ଅନର୍ସରେ ସ୍ନାତକ ପରେ ୧୯୮୪ ମସିହାରେ ସେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଇତିହାସରେ ଏମ୍‌ଏ କରିଥିଲେ। ଛାତ୍ର ଜୀବନରୁ ସେ ଏବିଭିପି ସଙ୍ଗଠନ ସହ ଜଡ଼ିତ ରହି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସକ୍ରିୟ ସଦସ୍ୟ ଥିଲେ। ଉଚ୍ଚଶିକ୍ଷା ପରେ ବିଷ୍ଣୁ ୧୯୮୯ ମସିହାରେ ଭଦ୍ରକରୁ ପ୍ରକାଶିତ ‘ବିଶେଷ ଖବର’ ପତ୍ରିକାରେ ସହ ସଂପାଦକ ଭାବେ ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ। ୧୯୯୧ ମସିହାରେ ସକ୍ରିୟ ରାଜନୀତିକୁ ଓହ୍ଲାଇଥିଲେ ବିଷ୍ଣୁ। ୧୯୯୧ ଓ ୧୯୯୬ ସାଧାରଣ ନିର୍ବାଚନରେ ସେ ବିଜେପିରୁ ଦୁଇଥର ଭଦ୍ରକ ସାଂସଦ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାଜିତ ହୋଇଥିଲେ। ୧୯୯୭ ମସିହା ପର୍ଯ୍ୟନ୍ତ ସେ ଭଦ୍ରକ ଜିଲ୍ଲା ବିଜେପି ସଭାପତି ଦାୟିତ୍ବରେ ଥିଲେ। ଜିଲ୍ଲା ବିଜେପିର ତିନିତିନି ଥର ସଭାପତି ସାଙ୍ଗକୁ ରାଜ୍ୟ ବିଜେପିର ସଂପାଦକ ଦାୟିତ୍ବ ତୁଲାଇଥିଲେ। ବିଜେପି ଦଳିତ ମୋର୍ଚ୍ଚାର ରାଜ୍ୟ ଉପସଭାପତି ମଧ୍ୟ ଥିଲେ। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ତାଙ୍କର ସଂପର୍କ ଅତି ନିବିଡ଼ ଥିଲା। ବାରମ୍ବାର ପରାଜୟ ସତ୍ତ୍ବେ ବିଷ୍ଣୁ କେବେ ରାଜନୀତିରୁ ପଛକୁ ହଟିନଥିଲେ କି ଦଳ ବଦଳାଇ ନ ଥିଲେ। ୨୦୦୦ ମସିହାରେ ଚାନ୍ଦବାଲି ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ପ୍ରଥମେ ନିର୍ବାଚିତ ହୋଇଥିଲେ। ତେବେ ୨୦୦୯ରେ ଚାନ୍ଦବାଲି ନିର୍ବାଚନମଣ୍ଡଳୀରୁ ସେ ପରାଜିତ ହୋଇଥିଲେ ମଧ୍ୟ ବିଜେପି-ବିଜେଡି ମେଣ୍ଟ ସରକାର ଥିବାରୁ ସେହିବର୍ଷ ତାଙ୍କୁ ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ଭାବେ ଅବସ୍ଥ‌ାପିତ କରାଯାଇଥିଲା। ୨୦୧୪ରେ ରାଜ୍ୟ ବିଜେପି ଉପସଭାପତି ଓ ୨୦୧୯ ସାଧାରଣ ନିର୍ବାଚନରେ ସେ ଧାମନଗର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ବିରୋଧୀ ଦଳ ଉପନେତା ଭାବେ ଦାୟିତ୍ବ ନିର୍ବାହ କରି ଆସୁଥିଲେ।

ବିଷ୍ଣୁ ଖାଲି ରାଜନେତା ନ ଥିଲେ, ସାହିତ୍ୟିକ ଭାବେ ମଧ୍ୟ ପରିଚିତ ଥିଲେ। ସେ ‘ଘାସଫୁଲ’ ସାହିତ୍ୟ ପତ୍ରିକାର ସଂପାଦକ ଥିଲେ। ଜଣେ ମେଳାପୀ ଓ ସାଲିସବିହୀନ ରାଜନେତା ଭାବେ ସେ ଯେତିକି ପରିଚିତ ଥିଲେ; କର୍ମୀ, ସାଧାରଣ ଜନତାଙ୍କର ମଧ୍ୟ ସେତିକି ଆଦରଣୀୟ ଥିଲେ। କୌଣସି ପ୍ରସଙ୍ଗରେ ପ୍ରତିକ୍ରିୟା ବା ବାଇଟ୍‌ ନେବାକୁ ହେଲେ ଆଗ ବିଷ୍ଣୁଙ୍କୁ ଖୋଜା ପଡ଼ୁଥିଲା। ସେ ମଧ୍ୟ ଗଣମାଧ୍ୟମ ଆଗରେ ନିର୍ଲିପ୍ତ ଓ ମୁକ୍ତକଣ୍ଠରେ ନିଜର ଅଭିବ୍ୟକ୍ତି ପ୍ରଦାନ କରୁଥିଲେ, ସେ ବିବାଦୀୟ ହେଉ ବା ସାଧାରଣ ପ୍ରସଙ୍ଗ। ଗରିବ, ଅସହାୟଙ୍କ ପାଇଁ ତାଙ୍କ ସ୍ବର ଥିଲା ବେଶ୍‌ ଶାଣିତ। ବିଷ୍ଣୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଏମ୍‌ସକୁ ଆସି ତାଙ୍କର ଶେଷଦର୍ଶନ କରିଥିଲେ। ରାଜ୍ୟ ବିଜେପି କାର୍ଯ୍ୟାଳୟ ଓ ବିଧାନସଭା ପରିସରରେ ତାଙ୍କ ଶବାଧାରରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଭଦ୍ରକ ଧାମନଗର ଛକରୁ ତାଙ୍କ ମରଶରୀରକୁ ବିରାଟ ଶୋଭାଯାତ୍ରାରେ ନିର୍ବାଚନମଣ୍ଡଳୀ ଧାମନଗରକୁ ନିଆଯାଇଥିଲା। ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ନିଜ ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ। ଭଦ୍ରକ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦିବଂଗତ ନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ସହରର କୁଆଁଶସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରୁ ବିଷ୍ଣୁଙ୍କ ପାର୍ଥିବ ଶରୀରକୁ ନିଜ ଜନ୍ମମାଟି ମଙ୍ଗରାଜପୁର ନିଆଯାଇ ଶେଷକୃତ୍ୟ ସଂପନ୍ନ କରାଯାଇଛି। ଏକମାତ୍ର ପୁଅ ସୂରଜ ସୂର୍ଯ୍ୟବଂଶୀ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧିତ ଖବର