ବିଧାୟକଙ୍କୁ ମିଳୁନି ଘର, ଶୂନ୍ୟକାଳରେ ବିଷ୍ଣୁଙ୍କ ଗୀତ

ଭୁବନେଶ୍ବର: ବିଧାୟକମାନଙ୍କୁ ସରକାରୀ କ୍ବାର୍ଟର୍ସ ମିଳୁନଥିବା ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଶୂନ୍ୟକାଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ସରକାରଙ୍କୁ ଘେରିଥିଲେ। ବୈଧାନିକ ପ୍ରଶ୍ନ ଉତଥାପନ କରି ଶ୍ରୀ ସେଠୀ କହିଥିଲେ, ସେ ବିଧାୟକ ଭାବେ ଜିତିବାର ୯ମାସ ବିତିଗଲାଣି। ହେଲେ ଏବେ ବି ସେ ୧୦ଫୁଟରୁ ୧୨ ଫୁଟ ଏକ ଘରେ ରହୁଛନ୍ତି। ବାବାଜୀ ହୋଇଗଲେଣି। କାରଣ ଛୁଆପିଲାଙ୍କୁ ଆଣି ରଖିପାରୁନାହାନ୍ତି। ମୋ ସରକାରରେ ଏତେ କଥା କରାଯାଉଛି, ବିଧାୟକମାନଙ୍କୁ ଗୋଟିଏ ଘର ଦିଆଯାଇ ପାରୁନାହିଁ। ଚିଠା ତିଆରିରେ ୭ମାସ ବିତିଗଲାଣି। କ୍ବାର୍ଟର୍ସ ମିଳିବାକୁ ଆଉ ୭ମାସ ଲାଗିଯିବ। ତୃତୀୟ ମହଲାରେ କାହାକୁ ଜଣକୁ କହିଲେ କ୍ବାର୍ଟର୍ସ ମିଳିବ ବୋଲି କହୁଛନ୍ତି। ଆମେ ସେଠି ଯାଇପାରିବୁନି। ବାଚସ୍ପତି କହିଦିଅନ୍ତୁ, ଆମକୁ କ୍ବାର୍ଟର୍ସ ଦିଆଯାଉ।

ଶ୍ରୀ ସେଠୀ ଏହି ଅବସରରେ ସୁନନ୍ଦା ପଟ୍ଟନାୟକ ଗାଇଥିବା ଭୈରବୀ ରାଗ ସ୍ୱରର ଲୋକପ୍ରିୟ ଗୀତ ଜୀବନ ପାତ୍ର ମୋ.. ତାଳରେ ଗୀତ ବି ଗାଇଥିଲେ।
ନବୀନ ବାବୁ ଜନପ୍ରିୟ ସରକାର
ନଦେଲ ଘର ଖଣ୍ଡେ କହିବି କି ଆଉ
ବର୍ଷଟିଏ ବିତିଲା ସୁଗାର ବଢ଼ିଗଲା
ସରକାର ଏଥର ଚିତାପଟ୍ଟାଙ୍ଗ ନହେଉ

ବିଜେପିର କେଉଁ କେଉଁମାନେ କ୍ବାର୍ଟର୍ସ ପାଇନାହାନ୍ତି, ସେମାନେ ଛିଡ଼ା ହୁଅନ୍ତୁ ବୋଲି ସୂଚାଇ ଶ୍ରୀ ସେଠୀ କହିଥିଲେ, ବିଧାୟକ ହେବା ପରେ ଆମେମାନେ ସନ୍ନ୍ୟାସୀ ଜୀବନ ବିତାଉଛୁ। ଏଠାକୁ ଆସୁଥିବା ଏରିଆ ଲୋକ, ସାମ୍ବାଦିକମାନଙ୍କୁ ଛିଡ଼ା କରାଇ ବି କଥାବାର୍ତ୍ତା କରିହେଉନି। ସକାଳୁ ରାତି ଯାଏଁ ପ୍ରବଳ ଭିଡ଼ ଭିତରେ ନିଜକୁ ବସିବା ପାଇଁ ଜାଗା ମିଳୁନି। ଏମିତି କି ବେଳେ ବେଳେ କାହାରି ପିଲା ବେଡ୍ ଉପରେ ଖେଳି ସୁସୁ କରି ଦେଉଥିବାରୁ ରାତିରେ ଶୋଇବା ବି କଷ୍ଟକର ହେଉଛି। ପୂରା ଅସହାୟ, ବାନା ଅବସ୍ଥାରେ ରହିଛୁ। ଆମ ଭଳି ବିପିଏଲ୍ ମାର୍କା ଏମ୍‌ଏଲ୍‌ଏମାନଙ୍କୁ ସରକାର କାହିଁକି ହୀନସ୍ତା କରୁଛନ୍ତି? ବୋଲି ସେ ବାଚସ୍ପତିଙ୍କୁ ପ୍ରଶ୍ନ କରିଥିେଲ। ଶ୍ରୀ ସେଠୀ କହିଥିଲେ, ଅବସରପ୍ରାପ୍ତ ଆଇଏଏସ୍ ଓ ଆଇପିଏସ୍‌ମାନଙ୍କୁ ଗେହ୍ଲାପୁଅ କରି ଆଉଟସୋର୍ସିଂରେ ରଖୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ବଡ଼ ବଡ଼ ବଙ୍ଗଳା ଦେଉଛନ୍ତି। ବିଧାୟକମାନଙ୍କୁ ଘୃଣା କାହିଁକି? ଶ୍ରୀ ସେଠୀଙ୍କ ମନ୍ତବ୍ୟକୁ ବିଜେଡିରୁ ବିରୋଧ ଆରମ୍ଭ ହୋଇଥିଲା। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କିଛି କହୁଥିବା ବେଳେ ଶ୍ରୀ ସେଠୀ ଏହାର ତୀବ୍ର ପ୍ରତିବାଦ କରିଥିଲେ। କହିଥିଲେ, ସେମିତି ହେଲେ ଗୃହ ଚଳାଇ ଦେବୁନାହିଁ। ଅଚଳ କରିଦେବୁ। ଯେଉଁ ଦିନ ଘର ପାଇବୁ, ପୂରା ପାଞ୍ଚବର୍ଷ ପରେ ଯାଇ ଛାଡ଼ିବୁ। ଅନ୍ୟଥା ଏବେ ନିରବରେ ଛିଡ଼ା େହାଇ ରହିବୁ। ବାଚସ୍ପତି ଚାମ୍ବରକୁ ଡାକିବାରୁ ଶ୍ରୀ ସେଠୀ କହିଥିଲେ ଯେ ପୂର୍ବରୁ ବାଚସ୍ପତିଙ୍କୁ ଫେରାଦ େହାଇଛୁ। ତାଲିକାର ୧୪ ନମ୍ବରରେ ତାଙ୍କ ନାମ ଅଛି। ହେଲେ ମିଳୁନି। ଏ ସଂକ୍ରାନ୍ତରେ ସେ ବାଚସ୍ପତିଙ୍କଠାରୁ ରୁଲିଂ ଦାବି କରିଥିଲେ।

ସମ୍ବନ୍ଧିତ ଖବର