ବିଷ୍ଣୁପଦଙ୍କ ପରିବାର ମୁହଁରେ ଫୁଟିଲା ହସ, ସହଯୋଗର ହାତ ବଢ଼ାଇଲା ‘ସୁବର୍ଣ୍ଣ ସଂପର୍କ ପରିବାର’

ଦୀପ ନୁହେଁ, ଜିଇଁବା ପାଇଁ ସାହସର ବହ୍ନି ଜଳାଇଲେ, ଘର ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

ବାଲିଆପାଳ : ଦୀପାବଳିରେ ସମସ୍ତେ ଖୁସି ମନାଉଥିବା ବେଳେ ଦୁଃଖରେ ବୁଡ଼ିରହିଥିବା ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍‌ର ଏକ ପରିବାରର ସଦସ୍ୟଙ୍କ ମୁହଁରେ ହସ ଫୁଟିଛି। ଆଉ ଏଥିପାଇଁ ପ୍ରୟାସ କରିଛି ସୁବର୍ଣ୍ଣ ସଂପର୍କ ପରିବାର। ସଂଗଠନର ସଦସ୍ୟମାନେ ପିଠାପଣା ନଖାଇ, ବାଣ ନଫୁଟାଇ ସେଇ ଅସହାୟ ପରିବାରର ଦୁଃଖ ଲାଘବ ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ଅଗଣାରେ ଦୀପ ନୁହେଁ, ମନରେ ଜିଇଁବା ପାଇଁ ସାହସର ବହ୍ନି ଜାଳିଛନ୍ତି।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଲଙ୍ଗଳେଶ୍ୱର ଗ୍ରାମର ବିଷ୍ଣୁପଦ ବେହେରାଙ୍କ ପରିବାର ଦିନେ ହସଖୁସିରେ ଫାଟି ପଡୁଥିଲା। ପତ୍ନୀ, ପୁଅ, ଝିଅ ସହ ବାପା, ମାଆଙ୍କୁ ନେଇ ଏକ ସୁନ୍ଦର ଭବିଷ୍ୟତର ସ୍ବପ୍ନ ଦେଖୁଥିଲେ ସେ। ବସ୍ ଚଳାଇ ଯେତିକି ରୋଜଗାର ହେଉଥିଲା, ସେଥିରେ ଘର-ପରିବାର ଭଲରେ ଚଳିଯାଉଥିଲା। ପୁଅ ଓ ଝିଅଙ୍କୁ ଭଲ ପାଠ ପଢ଼ାଇ ମଣିଷ କରିବେ ବୋଲି ଦିନରାତି ଏକ କରିଦେଇଥିଲେ ବିଷ୍ଣୁପଦ। ମାତ୍ର ଦଇବ ସହିଲାନି। ତାଙ୍କ ପରିବାର ଉପରେ ଯେମିତି କୋପ ବୃଷ୍ଟି କଲା। ଚାରିବର୍ଷ ତଳେ ଏକ ଦୁର୍ଘଟଣାରେ ବିଷ୍ଣୁପଦ ନିଜର ଆଖି ହରାଇଲେ। ଫଳରେ ସେ ଦିବ୍ୟାଙ୍ଗ ହୋଇ ବର୍ତମାନ ଘରେ ବସିରହିଛନ୍ତି। ସ୍ବାମୀଙ୍କ ଆଖି ନଷ୍ଟ ହେବା ପରେ ପତ୍ନୀ ସୁକାନ୍ତିଙ୍କ ଉପରେ ଘର ଚଳାଇବା ଓ ପିଲାମାନଙ୍କୁ ମଣିଷ କରିବାରର ଗୁରୁ ଦାୟିତ୍ୱ ଥିଲା। ହେଲେ ହାୟ, ବିଧି କେତେ ନିଷ୍ଠୁର! ସୁକାନ୍ତିଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପରେ ତାହା ସ୍ତନ କର୍କଟ ବୋଲି ଜଣାପଡ଼ିଲା। ଯାହା ଏବେ ମସ୍ତିସ୍କକୁ ବ୍ୟାପିଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଯେତିକି ସଂଚୟ ଟଙ୍କା ଥିଲା ବିଷ୍ଣୁପଦଙ୍କ ଚିକିତ୍ସାରେ ସରିଯାଇଥିଲା। ଏବେ ସୁକାନ୍ତିଙ୍କ ଚିକିତ୍ସା ପାଇଁ ଟଙ୍କା ଅଭାବରୁ ବାଧ୍ୟହୋଇ ଘରେ ଥିବା ସମସ୍ତ ଆସବାପତ୍ର ବିକ୍ରି କରାସରିଲାଣି। ଘରଡ଼ିହଟାକୁ ଛାଡ଼ିଦେଲେ ବିଷ୍ଣୁପଦଙ୍କ ପରିବାର ପାଖରେ ଆଉ କିଛି ସମ୍ବଳ ନାହିଁ। ଅର୍ଥ ଅଭାବରୁ ବଡ଼ପୁଅ ପାଠ ଛାଡ଼ି ଏକ ଦୋକାନରେ କାମ କରୁଛି। ସେହିପରି କଲେଜ ପଢ଼ୁଆ ଝିଅର ପାଠପଢ଼ାରେ ଡୋରି ବନ୍ଧା ହେଲାଣି। ଅସଜଡ଼ା ଘର ଜରାଜୀର୍ଣ୍ଣ ଅବସ୍ଥାରେ। ଫଳରେ ପଲିଥିନ୍‌ ତଳେ ଏବେ ଏହି ଦୁଃଖୀ ପରିବାର ଦିନ କାଟୁଛି।

ତେବେ ଏନେଇ କିଛିଦିନ ତଳେ ‘ସମ୍ବାଦ’ରେ ଏକ ଖବର ପ୍ରକାଶିତ ହୋଇଥିଲା। ଫଳରେ ବିଷ୍ଣୁପଦଙ୍କ ଦୁଃଖଭରା କାହାଣୀ ଶୁଣି ମାଟି ମାଆ ପାଇଁ କାର୍ଯ୍ୟ କରୁଥିବା ସ୍ଥାନୀୟ ସୁବର୍ଣ୍ଣ ସଂପର୍କ ପରିବାର ସହଯୋଗର ହାତ ବଢ଼ାଇଛି। ଆଜି ଦୀପାବଳିରେ ସମସ୍ତେ ପିଠା ଖାଇ, ବାଣ ଫୁଟାଇ ଖୁସି ମନାଉଥିବା ବେଳେ ପରିବାରର ସଦସ୍ୟମାନେ ସେଇ ଦୁଃଖୀ ପରିବାର ପାଖରେ ପହଂଚି ହସ ବାଣ୍ଟିଛନ୍ତି। ସୁବର୍ଣ୍ଣ ସଂପର୍କ ପରିବାରର ଆବାହକ ଇଂ. ବିଜୟ କୁମାର ସେଠୀ, ପ୍ରତିଷ୍ଠାତା ସଦସ୍ୟ ପ୍ରଫେସର ମୃତ୍ୟୁଂଜୟ ପଣ୍ଡା ଏବଂ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ସଂଜୟ କୁମାର ପାତ୍ର ପ୍ରମୁଖ ନୂଆଲୁଗା, କମ୍ବଳ, ଛତ‌ା ଆଦି ଧରି ବିଷ୍ଣୁପଦଙ୍କ ଘରକୁ ଯାଇଥିଲେ। ସେଠାରେ ସମସ୍ତଙ୍କୁ ମିଠା ଖୁଆଇବା ସହ ଦୀପ ଓ ଝରାବତି ଜାଳି ସଭିଁଙ୍କ ହସ ଫୁଟାଇବାକୁ ଚେଷ୍ଟା କରିଥିଲେ। ବିଷ୍ଣୁପଦଙ୍କ ପରିବାରକୁ ୨୧ ହଜାର ଟଙ୍କା ଆର୍ଥିକ ସହାୟତା ବି ଦିଆଯାଇଥିଲା। ସେହିପରି ପ୍ରତିମାସ ଝିଅର ପାଠାପଢ଼ା ପାଇଁ ୧ ହଜାର ଟଙ୍କା ଯୋଗଇଦେବାକୁ ବିଷ୍ଣୁପଦଙ୍କୁ ପ୍ରତିଶ୍ରୁତି ମିଳିଥିଲା। ଭଲ ଘର ଖଣ୍ଡେ ନଥିବା ବେଳେ ବିଷ୍ଣୁପଦ କେମିତି ସରକାରଙ୍କ ପକ୍ଷରୁ ଘରଟିଏ ପାଇବେ, ସେନେଇ ରିତିମତ ପ୍ରୟାସ କରାଯିବ ବୋଲି କୁହାଯାଇଥିଲା। ସୁବର୍ଣ୍ଣ ସଂପର୍କ ପରିବାର ସଦସ୍ୟଙ୍କ ଏତେ ଆତ୍ମୀୟତା ଦେଖି ବିଷ୍ଣୁପଦଙ୍କ ସହ ତାଙ୍କ ପରିବାରର ସମସ୍ତେ ଭାବବିହ୍ବଳ ହେବା ସହ କାନ୍ଦି ପକାଇଥିଲେ।

ଏହି ଅବସରରେ ସୁବର୍ଣ୍ଣ ସଂପର୍କ ପରିବାର ସଦସ୍ୟଙ୍କ ସହ ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ଦାସ, ବାଲିଆପାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅମିତାରାଣୀ ପାତ୍ର, ଭେଲ୍‌ର ଅବସରପ୍ରାପ୍ତ ନିର୍ଦ୍ଦେଶକ ମନମୋହନ ସେଠୀ, ଡ. ଗୟାରାମ ଗଙ୍ଗାଇ, ଇଂ. ପ୍ରଭାତ କୁମାର ସେଠୀ, ଗୁଣନିଧି ପାତ୍ର, ପ୍ରଫେସର ସଂଜୟ କୁମାର ଦେ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଅଜୟ କୁମାର ସେଠୀ, ବଣିଆଡ଼ିହା ସେବା ସମବାୟ ସମିତିର ନିର୍ଦ୍ଦେଶକ ଶିଶିର ପଣ୍ଡା, ହରପାର୍ବତୀ ଯୁବକ ସଂଘର ସଭାପତି ତଥା ଯୁବ ସମାଜସେବୀ ପ୍ରଣବ କୁମାର ଜେନା, ଜଗତ ଜୀବନ ଦାସ, ପ୍ରଣବ ସାହୁ, ସାମ୍ବାଦିକ ରବିରଂଜନ ତ୍ରିପାଠୀ, କାହ୍ନୁ ଦାସଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ବିଷ୍ଣୁପଦଙ୍କ ପରିବାରର ମନବଳ ବଢ଼ାଇଥିଲେ।

ସମ୍ବନ୍ଧିତ ଖବର