ବିଷ୍ଣୁପଦ ସେଠୀ ହେଲେ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ସଚିବ, କରୋନା କାଳରେ ସାମ୍ନାରେ ଅଛି ଏକାଧିକ ଚ୍ୟାଲେଞ୍ଜ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ । ଏହି ଅଫିସରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେବେ କରୋନା ମହାମାରୀ ବେଳେ ତାଙ୍କ ସାମ୍ନାରେ ଏବେ ରହିଛି ଅନେକ ଚ୍ୟାଲେଞ୍ଜ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ବେଳେ, ପିଲାମାନଙ୍କ ପାଠପଢା କିପରି ସୂଚାରୁରୂପେ ଚାଲିପାରିବ, ଏବଂ ଠିକ୍ ସମୟରେ ପରୀକ୍ଷା କରାଇବା ରହିବ ସବୁଠୁ ବଡ ଦିଗ ।

ତେବେ ପୂର୍ବରୁ ମଧ୍ୟ ଅନେକ ବଡ଼ ବିଭାଗରେ ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରିଆସିଛନ୍ତି ବିଷ୍ଣୁପଦ ସେଠୀ । ଯେତେବେଳେ ଭୟଙ୍କର ସାମୁଦ୍ରିକ ଝଡ ଓଡ଼ିଶା ଆଡକୁ ମାଡିଆସୁଥିଲା, ଲୋକଙ୍କୁ ସତର୍କ କରାଇବା ସହ ବିଭିନ୍ନ ପଦକ୍ଷେପ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସେତେବେଳେ ଏସଆରସି ପଦରେ ଥିବା ଏହି ବରିଷ୍ଠ ଆଇଏଏସ ଅଫିସର । ଏହା ପରେ ତାଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।

କୋଭିଡ୍ ଭଳି ଘଡିସନ୍ଧି ମୁହୂର୍ତ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି ବିଷ୍ଣୁପଦ ସେଠୀ । ସଫଳତାର ସହ ସବୁବେଳେ ନିଜ କର୍ତ୍ତବ୍ୟ କରିଆସିଥିବା ଏହି ବରିଷ୍ଠ ଅଧିକାରୀଙ୍କୁ ଏବେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।

ସମ୍ବନ୍ଧିତ ଖବର