ବିଶ୍ରା କଣ୍ଟେନମେଣ୍ଟ ଜୋନ ଅବଧି ଆହୁରି ୪୮ ଘଣ୍ଟା ବଢ଼ିଲା, ୨୦ ଯାଏଁ ଜାରି ରହିବ କଟକଣା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା କଣ୍ଟେନମେଣ୍ଟ ଜୋନ ଅବଧିକୁ ଆହୁରି ୪୮ ଘଣ୍ଟା ପାଇଁ ବଢ଼ାଇ ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଆଜି ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କଣ୍ଟେନମେଣ୍ଟ କଟକଣା ଏପ୍ରିଲ ୨୦ ତାରିଖ ପୂର୍ବାହ୍ନ ୧୧ଟା ଯାଏଁ  ଜାରି ରହିବ। ଏହା ପୂର୍ବରୁ ମଧ୍ୟ ତିନି ଥର କଟକଣା ଅବଧି ବୃଦ୍ଧି କରାଯାଇଥିଲା ।

ସୂଚନାଯୋଗ୍ୟ, ଗତ ୧୨ ତାରିଖ ସ୍ଥାନୀୟ ଅଞ୍ଚଳରେ ୨ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ଆରମ୍ଭରୁ ୪୮ ଘଣ୍ଟା ପାଇଁ କଟକଲଣା ଲାଗୁ କରାଯାଇଥିଲା । କିନ୍ତୁ ପ୍ରଥମ ଅବଧି ଶେଷ ହେବା ପରେ ଏହାକୁ ପୁଣି ୪୮ ଘଣ୍ଟା ପାଇଁ ବଢ଼ାଯାଇଥିଲା । ଅର୍ଥାତ ୧୬ ତାରିଖ ଯାଏଁ କଟକଣାକୁ ବଢ଼ାଯାଇଥିଲା । ୧୬ରୁ ୧୮ ତାରିଖ ଯାଏଁ ତୃତୀୟ ଥର ପାଇଁ କଣ୍ଟେନମେଣ୍ଟ କଟକଣା ବଢ଼ାଇ ଦିଆଯାଇଥିଲା । ଏବେ ଏହାକୁ ଆଉ ଥରେ ୨୦ ତାରିଖ ପୂର୍ବାହ୍ନ ୧୧ଟା ଯାଏ ବଢ଼ାଇ ଦିଆଯାଇଛି ।

ବିଶ୍ରା କଣ୍ଟେନମେଣ୍ଟ ଜୋନରେ ଅସ୍ଥାୟୀ ମେଡିକାଲ ଶିବିର ଖୋଲାଯାଇଛି । ସ୍ୱତନ୍ତ୍ର ଟିମ ଦ୍ୱାରା ସ୍ୱାବ ନମୁନା ସଂଗ୍ରହ ହେଉଛି । ସେଗୁଡ଼ିକ ପରୀକ୍ଷା ପାଇଁ ଆଇଜିଏଚ ପଠାଯାଉଛି । ପୌରସଂସ୍ଥା ତରଫରୁ ୪୬ଟି ଟିମ ଗଠନ ହୋଇଛି । କଣ୍ଟେନମେଣ୍ଟ ଜୋନରେ ୨ ହଜାର ୩୨୨ଟି ପରିବାରକୁ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, କ୍ଷୀର, ରେସନ୍‌ ସାମଗ୍ରୀ ପନିପରିବା, ଅଣ୍ଡା ଆଦି ପହଞ୍ଚାଯାଉଛି ।

ବିଶ୍ରାରେ ଗତ ୧୨ ତାରିଖ ଦିନ ସକାଳୁ ଜଣେ ୬୭ ବର୍ଷିଅ ବୃଦ୍ଧ ଓ ଅନ୍ୟ ଜଣେ ୧୮ ବର୍ଷିଅ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୧୮ ବର୍ଷିଅ ଯୁବକ ସୁସ୍ଥ ହୋଇ ହାଇଟେକ କୋଭିଡ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏବେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ୧୪ ଦିନ ପାଇଁ ରଖାଯାଇଛି ।

ସମ୍ବନ୍ଧିତ ଖବର