ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁରସ୍ଥିତ ଏସିଆର ସର୍ବବୃହତ୍ତ ଚୁନ ପଥର ଖଣି ବିଶ୍ରା ଷ୍ଟୋନ୍ ଲାଇମ୍ ଏଣ୍ଡ କମ୍ପାନି (ବିଏସ୍ଏଲ୍)କୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଛି। ଦୀର୍ଘ ବର୍ଷ ଧରି ସେଲ୍ର ବିଭିନ୍ନ ଇସ୍ପାତ କାରଖାନାକୁ ଡୋଲାମାଇଟ୍ ଯୋଗାଇ ଦେଇ ଆସୁଥିବା ଏହି ଖଣିରୁ ପଥର ନେବା ପାଇଁ ଆଉ କେହି ରାଜି ହେଉନାହାନ୍ତି। ଏପରିକି ଏହି ଖଣି ନିକଟରେ ଥିବା ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) ମଧ୍ୟ ଏବେ ବାହାରୁ ଡୋଲାମାଇଟ୍ କିଣୁଛି। ତେଣୁ ଗତ ଦୁଇ ମାସ ହେଲା ଖଣିରୁ ଡୋଲାମାଇଟ୍ ବିକ୍ରି ଏକପ୍ରକାର ବନ୍ଦ ହୋଇଯାଇଛି। ତେଣୁ ବିଏସ୍ଏଲ୍ରେ କାର୍ଯ୍ୟରତ ଶ୍ରମିକ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାର ହୋଇପଡ଼ିଛି।
୧୯୧୦ ମସିହାରେ ବିଏସ୍ଏଲ୍ ଖଣି ଆରମ୍ଭ ହୋଇଥିଲା। ଇଂରେଜ ଶାସନ ସମୟରେ ଏହାକୁ ବାର୍ଡ ଏଣ୍ଡ ଗ୍ରୁପ୍ କମ୍ପାନି ପରିଚାଳନା କରୁଥିଲେ। ଏହି ଖଣିରୁ ସେଲ୍ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ସମେତ ଦୁର୍ଗାପୁର, ବୋକାରୋ, ଭିଲାଇ, ଭାଇଜାକ୍ ପ୍ରଭୃତି ଇସ୍ପାତ କାରଖାନା ସମେତ ଅଧିକାଂଶ କାରଖାନା ବିଏସ୍ଏଲ୍ରୁ ଡୋଲାମାଇଟ୍ ନେଇ ଇସ୍ପାତ ଉତ୍ପାଦନ କରୁଥିଲେ। ଗତ ୩ ମାସ ହେଲା ଏହି କାରଖାନାା ଗୁଡ଼ିକ ବିଏସ୍ଏଲ୍ ସହିତ ଏକପ୍ରକାର ସମ୍ପର୍କ ଛିନ୍ନ କରିଛନ୍ତି। ଦୁଇ ମାସ ହେଲା ରାଉରକେଲା ଇସ୍ପାତ କାରଖାନା ବିଏସ୍ଏଲ୍ରୁ ଡୋଲାମାଇଟ୍ ନ ଦେଇ ଛତିଶଗଡ଼ର ବେଲା ଓ ଭୁଟାନ୍ରୁ ଡୋଲାମାଇଟ୍ ଆଣୁଛି। ଛତିଶଗଡ଼ ଓ ଭୁଟାନର ବେସରକାରୀ ଖଣିରୁ ଏହି ଡୋଲାମାଇଟ୍ ଆର୍ଏସ୍ପିକୁ ଆସୁଥିବା ବେଳେ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲମିଟେଡ (ଆର୍ଆଇଏନ୍ଏଲ୍) ଅଧିନରେ ଥିବା ବିଏସ୍ଏଲ୍କୁ ଉପେକ୍ଷା କରାଯାଉଛି।
ଡୋଲାମାଇଟ୍େର ଅଧିକ ‘ସିଲିକା’ ଥିବା ଦର୍ଶାଇ ବିଏସ୍ଏଲ୍ରୁ ସେଲ୍ ଅଧିନସ୍ଥ ସବୁ କାରଖାନା ଏବେ ଆର୍ଏସ୍ପିରୁ ଡୋଲାମାଇଟ୍ ନେଉ ନଥିବା କୁହାଯାଉଛି। ଆରମ୍ଭରୁ ଯେଉଁ ଡୋଲାମାଇଟ୍ ନେଇ ସେଲ୍ ଇସ୍ପାତ ଉତ୍ପାଦନ କରୁଥିଲା, ଅଚାନକ ତାହା କିଭଳି ଅକାମୀ ହୋଇଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଏସ୍ଏଲ୍କୁ ବନ୍ଦ କରିବା ପାଇଁ ଏହା ଏକ ବିରାଟ ଷଡ଼ଯନ୍ତ୍ର ବୋଲି କୁହାଯାଉଛି। ପ୍ରତି ମାସରେ ବିଏସ୍ଏଲ୍ ୨୨ଟି ରୢାକ୍ ଡୋଲାମାଇଟ୍ ବାହରକୁ ପଠାଉଥିବା ବେଳେ ଚଳିତ ମାସରେ ଏପର୍ଯ୍ୟନ୍ତ ମାତ୍ର ୨ ରୢାକ୍ ମାଲ୍ ପରିବହନ କରିଛି। ଗତ ଅପ୍ରେଲ୍ ମାସରେ ମାତ୍ର ୧୨ ରୢାକ୍ ମାଲ୍ ପରିବହନ ହୋଇଥିଲା। ଏତେ କମ୍ ପରିମାଣରେ ମାଲ୍ ବିକ୍ରି ଖଣିର ଆର୍ଥିକ ସ୍ଥିତକୁ ଦୋହଲାଇ ଦେଇଛି। ପୂର୍ବରୁ ଖଣିର ଶ୍ରମିକ ଓ କର୍ମଚାରୀମାନେ ୧୭ ମାସ ହେଲା ଦରମା ପାଇ ନଥିବା ବେଳେ ଏବେ ପରିସ୍ଥିତି ଆହୁରି ସଙ୍କଟାପନ୍ନ ହେବ ବୋଲି ତିନି ଶ୍ରମିକ ସଂଗଠନ କହିଛନ୍ତି। ଆଜି ବୀରମିତ୍ରପୁର ଠାରେ ବିଭିନ୍ନ ଶ୍ରମିକ ସଂଗଠନର ପ୍ରତିନିଧି ଏକଜୁଟ୍ ହୋଇ ଏ ସମ୍ପର୍କରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେହେତୁ ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଦାୟିତ୍ବରେ ଅଛନ୍ତି, ତେଣୁ ସେ ଏସିଆର ଏହି ସର୍ବବୃହତ୍ ଓ ସର୍ବ ପୁରାତନ ଖଣିକୁ ବଞ୍ଚାାଇ ରଖିବାକୁ ଉଦ୍ୟମ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି। ଏ ସମ୍ପର୍କରେ ଜାଣିବା ପାଇଁ ବିଏସ୍ଏଲ୍ ଖଣି ଅଧିକାରୀଙ୍କ ସହିତ ଯୋଗାଯୋଗ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା।
ଉଲ୍ଲେଖଯୋଗ୍ୟ ଯେ ବିଏସ୍ଏଲ୍ ଖଣି ଆରମ୍ଭରେ ୨୦ ହଜାରରୁ ଅଧିକ ଆଦିବାସୀ ଶ୍ରମିକ କାର୍ଯ୍ୟ କରୁଥିଲେ। ଏବେ ତାହା ୬ ଶହକୁ ଖସି ଆସିଛି।