ସୁନ୍ଦରଗଡ: ୩ କି.ମି. ପରିଧିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ବିଶ୍ରା ସହର ସମେତ ୧୦ ଗାଁ ସିଲ୍

ବିଶୋଧନ ହେଲା ସମଗ୍ର ଅଞ୍ଚଳ, ସହରର ୫ ପ୍ରବେଶ ପଥ ସିଲ୍

ରାଉରକେଲା : ମହାମାରୀ କରୋନା ପଶ୍ଚିମ ଓଡ଼ିଶାର କଳାହାଣ୍ଡି ପରେ ଦ୍ୱିତୀୟ ଜିଲ୍ଲା ସୁନ୍ଦରଗଡକୁ ବ୍ୟାପିଛି। ଗତକାଲି ରାଜ୍ୟ ସ୍ବାସ୍ଥ୍ୟବିଭାଗ ଚିହ୍ନଟ କରିଥିବା ୪ କରୋନା ପିଜିଟିଭ୍‌ଙ୍କ ମଧ୍ୟରେ ଦୁଇଜଣ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲାର। ଚିହ୍ନଟ ଦୁଇ ଆକ୍ରାନ୍ତ ରାଉରକେଲା ନିକଟସ୍ଥ ବିଶ୍ରା ବ୍ଲକ ଅନ୍ତର୍ଗତ ଆସିଆନା କଲୋନି ଅଞ୍ଚଳର। ଜଣେ ହେଉଛନ୍ତି ୬୭ ବର୍ଷର ବୃଦ୍ଧ ଓ ଜଣେ ୧୮ ବର୍ଷିୟ ଯୁବକ। ପ୍ରଥମ ଆକ୍ରାନ୍ତ ଜଣକ ଦିଲ୍ଲୀ ନିଜାମୁଦ୍ଦିନ ସମାବେଶ ଓ ଦ୍ବିତୀୟ ଜଣକ ଯାଜପୁର ଅଞ୍ଚଳ ଗସ୍ତ କରି ବିଶ୍ରା ଫେରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ବୃଦ୍ଧ ଜଣକ ମାର୍ଚ୍ଚ ୫ ତାରିଖରେ ରାଉରକେଲାରୁ ଦିଲ୍ଲୀ ଯାଇଥିଲେ। ୬ରୁ ୧୦ ତାରିଖରେ ନିଜାମୁଦ୍ଦିନ ଗସ୍ତ କରିଥିଲେ। ୧୦ରେ କ୍ରାନ୍ତି ଏକ୍ସପ୍ରେସ୍‌ରେ ବିଳାସପୁର ଯାଇଥିଲେ। ସେଠାରୁ ୧୧ ତାରିଖରେ ଟ୍ରେନ୍‌ଯୋଗେ ରାଉରକେଲା ଫେରିଥିଲେ। ୧୨ରେ ରାଉରକେଲାରେ ପହଞ୍ଚିବା ପରେ ଷ୍ଟେସନରୁ ଅଟୋରେ ଆସିଆନା କଲୋନିକୁ ଫେରିଥିଲେ। ପରେ ବୃଦ୍ଧ ଜଣଙ୍କ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିଥିଲେ। ଗତକାଲି ପଜିଟିଭ୍‌ ଜଣା ପଡ଼ିବାପରେ ତାଙ୍କୁ ହାଇଟେକ୍‌ କୋଭିଡ୍‌ ହସ୍ପିଟାଲକୁ ଅଣାଯାଇଥିଲା। ଦ୍ବିତୀୟ ଜଣକ ପ୍ରଥମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେ ପୂର୍ବରୁ ‌କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ବୃଦ୍ଧ ଜଣକ ରହୁଥିବା ଭଡା ଘରର ମାଲିକଙ୍କ ସମେତ ପରିବାରର ୪ ସଦସ୍ୟଙ୍କୁ ମଧ୍ୟ ‌କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଛି। ଉଭୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେତେ ଲୋକ ଆସିଛନ୍ତି, ତାଙ୍କର ଗତିବିଧି କ’ଣ ଓ କେଉଁଠି ରହିଥିଲା, ସେସବୁ ତଥ୍ୟର ଅନୁସନ୍ଧାନ ଜାରି ରହିଛି ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ। ସେ କହିଛନ୍ତି, ଗୋଟିଏ ଦିନରେ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି। ଦୁଇ କରୋନା ଆକ୍ରାନ୍ତ ରହୁଥିବା ଆସିଆନା କଲୋନିର ୩ କି.ମି. ପରିଧିକୁ ଆଗାମୀ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ବିଶ୍ରା ବ୍ଲକର ଜରେଇକେଲା ବସ୍‌ଷ୍ଟପ ଠାରୁ ପୂର୍ଣ୍ଣିମା ମାର୍କେଟ କମ୍ପ୍ଲେକ୍ସ, ପୂର୍ଣ୍ଣିମା ମାର୍କେଟ କମ୍ପ୍ଲେସରୁ ବୁଦେଲଜୋର, ବୁଦେଲଜୋରରୁ ନୟାବସ୍ତି, ନୟାବସ୍ତିରୁ ଭାରତ ପେଟ୍ରୋଲିୟମ୍‌ ‌ଛକ ଓ ଭାରତ ପେଟ୍ରୋଲିୟମ୍‌ ଛକରୁ ଡରେଇକେଲା ବସ୍‌ଷ୍ଟପ୍ କଣ୍ଟେନମେଣ୍ଟ ଜୋନ୍‌ ଭିତରେ ରହିଛି। ଆଜି ପୂର୍ବାହ୍ନ ୧୦ଟାରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଯାତାୟତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହି ଇଲାକାରେ ରହୁଥିବା ସରକାରୀ କିମ୍ବା ଆର୍‌ଏସ୍‌ପି କର୍ମଚାରୀଙ୍କୁ ମଧ୍ୟ ବାହାରକୁ ଆସିବାକୁ ଅନୁମତି ଦିଆ ଯିବନାହିଁ। ସାରୁବାହାଲ, ସନ୍ତୋଷପୁର, ଗୁଡଗୁଡଜୋର୍‌, ଜଡାଟୋଲି, ମନ୍‌କୋ, ସାନପୋଖରୀ, କୋକେରମା, କପରଣ୍ଡା, କପାଟମୁଣ୍ଡା ଓ ମନ୍‌କୋ ସମେତ ବିଶ୍ରା ସହରକୁ ମଧ୍ୟ ସମ୍ପୂର୍ଣ୍ଣ ସିଲ୍‌ କରାଯାଇଛି। ଏହି ପରିଧି ମଧ୍ୟରେ ଆସୁଥିବା ଲୋକଙ୍କୁ ଘରୁ ନ ବାହାରିକୁ ପରାମର୍ଶ ଦିଆଯାଇଛି।

ସେହିପରି କଣ୍ଟେନମେଣ୍ଟ ଏରିଆର ୫ଟି ପ୍ରବେଶ ପଥ, ଯଥା: ଡରେଇକେଲା, ପୁରୁଣା ବିଶ୍ରା, ବୁଧେଲଜୋର ଓ ସନ୍ତୋଷପୁର ଆଦିକୁ ଯାଇଥିବା ରାସ୍ତାଗୁଡ଼ିକୁ ମଧ୍ୟ ସିଲ୍‌ କରି ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ୍‌ ମଧ୍ୟରେ ରହୁଥିବା ପ୍ରାୟ ୧୫୦୦ଟି ପରିବାରର ସଦସ୍ୟମାନଙ୍କର ସ୍ବାବ୍‌ ନମୁନା ସଂଗ୍ରହ ଓ ସର୍ଭେ ପାଇଁ ୨୫ଟି ଟିମ୍‌ ଗଠନ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ୪୫ ଟିମ୍‌କୁ ଦାୟିତ୍ବ ଦିଆଯାଇଛି। ପ୍ରତି ୫୦ଟି ପରିବାର ପାଇଁ ଗୋଟିଏ ମେଡିକାଲ ଟିମ୍ ଓ ଜଣେ ଅଫିସରଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ଆଜିଠାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦୁଇ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ, ବନ୍ଧୁ ପରିଜନ, ସମ୍ପର୍କୀୟ, ପଡୋଶୀ ଓ ସନ୍ଦିଗ୍ଧଙ୍କ ସ୍ବାବ୍‌ ସଂଗ୍ରହ କରିବେ। ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଅନୁରୂପ ଭାବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ଲୋକମାନଙ୍କୁ ତ୍ବରିତ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନୋଡାଲ୍‌ ଅଧିକାରୀ ନିଯୁକ୍ତି କରାଯାଇଛି। ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଉପାୟୁକ୍ତ ସୁଧାଂଶୁ ଭୋଇଙ୍କୁ ବି‌ଶୋଧନ ଦାୟିତ୍ବ ଦିଆଯାଇଛି। ତାଙ୍କ ସହ ଅଛନ୍ତି ବିଶ୍ରା ବ୍ଲକ ତହସିଲଦାର ବିଶ୍ବକେଶନ ପଣ୍ଡା। ଅତ୍ୟାବଶ୍ୟକ ସାମଗ୍ରୀ ବିରତଣ ତଥା ଆଇନଶୃଙ୍ଖଳା ପାଇଁ ଡିଆର୍‌ଡିଏର ଅତିରିକ୍ତ ସହ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ବରଞ୍ଜନ ରଥ, ସହକାରୀ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ ଓ ବିଶ୍ରା ବ୍ଲକର ଈଶ୍ବର ଚନ୍ଦ୍ର ଦାସ ପ୍ରମୁଖ ରହିଛନ୍ତି। ସ୍ବାସ୍ଥ୍ୟ ସମ୍ପର୍କିତ ସହାୟତା ପାଇଁ ବିଶ୍ରା ବ୍ଲକ ସିଏଚ୍‌ସିର ପ୍ରକାଶ ସୁନ୍ଦର ପ୍ରଧାନଙ୍କୁ ଦାୟିତ୍ବ ଦିଆଯାଇଛି। ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ୍‌ ମହାପାତ୍ର ସମସ୍ତ କାର୍ଯ୍ୟ ତଦାରଖ କରିବେ ବୋଲି ଜିଲ୍ଲାପାଳ ଶ୍ରୀ କଲ୍ୟାଣ କହିଛନ୍ତି।

ଆଜି ସାଂବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଓ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସରୋଜ କୁମାର ମିଶ୍ର ଉପସ୍ଥିତ ଥିଲେ। ସେପଟେ ଆଜି ସକାଳେ ଜିଲ୍ଲାପାଳ ଶ୍ରୀ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନର‌ୱଣେ, ରାଉରକେଲା ଏସ୍‌ପି କେ. ଶିବା ସୁବ୍ରମଣି ଓ ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ୍‌ ମହାପାତ୍ର ପ୍ରମୁଖ ଆସିଆନା କଲୋନିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତା’ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ବିଶ୍ରା ସହର ସମେତ ଆଖପାଖ ଅଞ୍ଚଳକୁ ବିଶୋଧନ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର