କୋଟିଆ ପ୍ରତି କ’ଣ ରହିବ ବିଶ୍ବଭୂଷଣଙ୍କ ଆଭିମୁଖ୍ୟ?

ନୂଆ ନିଯୁକ୍ତି ପରେ ଚର୍ଚ୍ଚା

କୋରାପୁଟ : ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନ। ଜଣେ ଓଡ଼ିଆ ଭାବେ ପଡ଼ୋଶୀ ଆନ୍ଧ୍ରର ରାଜ୍ୟପାଳ ହେବା ପରେ ରାଜ୍ୟବାସୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି। ଏହା ଭିତରେ କିନ୍ତୁ କୋରାପୁଟବାସୀ କୋଟିଆ ଭାଗ୍ୟ ଓ ଭବିଷ୍ୟତକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି। ଆନ୍ଧ୍ରର ରାଜ୍ୟପାଳ ଭାବେ ଜଣେ ଓଡ଼ିଆ ନିଯୁକ୍ତି ପାଇଥିବାରୁ ଦୀର୍ଘଦିନ ଧରି ଚାଲିଥିବା କୋଟିଆ ବିବାଦର ସକାରାତ୍ମକ ସମାଧାନ ହେବା ନେଇ ଆଶା ପ୍ରକଟ କରିଛନ୍ତି।

କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ୨୧ଟି ଗାଁକୁ ନେଇ ଆନ୍ଧ୍ର-ଓଡ଼ିଶା ମଧୢରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ବିବାଦ ଯାଇ କୋର୍ଟରେ ପହଞ୍ଚିବା ପରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଅଦାଲତ ନିର୍ଦେଶ ଦେଇଛନ୍ତି। ତଥାପି କୋଟିଆ ଉପରେ ହକ୍‌ ଜାହିର କରିବାକୁ ଉଭୟ ରାଜ୍ୟ ଉଦ୍ୟମ ଜାରି ରଖିଛନ୍ତି।

ଗତବର୍ଷ କୋଟିଆକୁ ନେଇ ଦୁଇ ରାଜ୍ୟ ଭିତରେ ବିବାଦ ଚରମ ସୀମାରେ ପହଞ୍ଚି ଯାଇଥିଲା। ୨୦୧୮ ଜାନୁଆରିରେ ଆନ୍ଧ୍ର ସରକାର ମାତୃଭୂମି କାର୍ଯ୍ୟକ୍ରମ କରି କୋଟିଆ ଉପରେ ଫୋକସ୍‌ କରିଥିଲେ। ଏପରିକି କୋଟିଆକୁ ଆନ୍ଧ୍ର ମାନଚିତ୍ରରେ ମିଶାଇ ଦେବାକୁ ଭରପୂର ଉଦ୍ୟମ କରିଥିଲେ। ସେଥିପାଇଁ ଆନ୍ଧ୍ରର ମାଳ ମାଳ ଅଧିକାରୀ କୋଟିଆକୁ ଆସି କାର୍ଯ୍ୟକ୍ରମ କରିଥିଲେ। ସଭା, ସମିତି କରି ସରକାରୀ ସହାୟତା ବାଣ୍ଟିଲେ। ଆନ୍ଧ୍ରର ଏମିତି ଆଭିମୁଖ୍ୟ ଦେଇ ଓଡ଼ିଶା ସରକାର ମଧ୍ୟ ଚୁପ୍‌ ରହି ନ ଥିଲେ। ବରଂ କୋଟିଆର ବିକାଶ ପାଇଁ ପ୍ରାୟ ଦେଢ ଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏବେ କୋଟିଆ‌ରେ ବିକାଶମୂଳକ କାମ ଚାଲିଥିଲା ବେଳେ ବିବାଦର କିନ୍ତୁ ସମାଧାନ ହେଉନି। ଯାହାକି ଏଠାରେ ଏକ ଅଶ୍ବସ୍ତିକର ପରିବେଶ ସୃ‌ଷ୍ଟି କରୁଛି।

ଏହିଭଳି ଏକ ସମୟରେ ଓଡ଼ିଶାର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଆନ୍ଧ୍ରର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। ସେ ଏହି କୋଟିଆ ବିବାଦ ସହ ଭଲ ଭାବେ ଅବଗତ। ଏକଦା ସରକାରଙ୍କ ଆଇନ ଓ ରାଜସ୍ବ ମନ୍ତ୍ରୀ ଭାବେ କାମ କରି ସାରି ଥିବାରୁ କୋଟିଆ ପ୍ରସଙ୍ଗକୁ ଭଲ ଭାବେ ଜାଣିଛନ୍ତି। ଏହି ବିବାଦର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଘଟଣାକ୍ରମ ସଂପର୍କରେ ସେ ଜାଣିଥିବାରୁ ସେ ସମାଧାନର ବାଟ ବାହାର କରି ପାରନ୍ତି ବୋଲି ଅନୁମାନ କରାଯାଉଛି।

ଖୋଦ୍‌ ଶ୍ରୀ ହରିଚନ୍ଦନ ମଧ୍ୟ ଏଥିନେଇ ଇସାରା ଦେଇ ସାରିଛନ୍ତି। ରାଜ୍ୟପାଳ ଭାବେ ତାଙ୍କୁ ନିଯୁକ୍ତି ମିଳିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଆଇନର ପରିସର ଭିତରେ ରହି ଦୁଇ ରାଜ୍ୟ ଭିତରେ ଦେଖାଦେଇଥିବା ବିଭିନ୍ନ ବିବାଦର ସମାଧାନ କରିବାକୁ ସେ ଉଦ୍ୟମ କରିବେ।

ଅପରପକ୍ଷେ, କୋରାପୁଟବାସୀ ମଧ୍ୟ କୋଟିଆ ବିବ‌ାଦର ସମାଧାନ ପାଇଁ ଆଶା ପ୍ରକଟ କରିଛନ୍ତି। କୋଟିଆ ପାଇଁ ଲଢେଇ କରୁଥିବା ଆମ କୋଟିଆ ସଂଗଠନର ଆବାହକ ତଥା ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା କହିଛନ୍ତି ଯେ, ବିଶ୍ବଭୁଷଣ ହରିଚନ୍ଦନ କୋଟିଆ ବିବାଦ ସମ୍ପର୍କରେ ଭଲ ଭାବେ ଅବଗତ ଅଛନ୍ତି। ଏପରି ଜଣେ ଲୋକେ ଆନ୍ଧ୍ରର ରାଜ୍ୟପାଳ ହେବା ପରେ ଏହି ବିବାଦର ସମାଧାନ ହେବା ଆଶା ବଢି ଯାଇଛି। ସେ ଯଦି ଆନ୍ଧ୍ର ସରକାରଙ୍କୁ ଠିକ ଭାବେ ସମସ୍ୟା ସମ୍ପର୍କରେ ବୁଝାଇ ମାମଲାର ସମାଧାନ କରି ଦିଅନ୍ତେ ତେବେ ଦୁଇ ରାଜ୍ୟ ସହ କୋଟିଆବାସୀଙ୍କ ମଙ୍ଗଳ ହୋଇ ପାରନ୍ତା ବୋଲି ଶ୍ରୀ ପରିଡା କହିଛନ୍ତି।

ସମ୍ବନ୍ଧିତ ଖବର