ରେଡ୍‌ କାର୍ପେଟ୍‌କୁ ବିଶ୍ବଭୂଷଣଙ୍କ ନା, ମହାମହିମ ନ ଲେଖିବାକୁ ବି ନିର୍ଦ୍ଦେଶ

ଭୁବନେଶ୍ବର,: ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଶପଥ ନେଲା ବେଳେ ତାଙ୍କୁ ‘ମହାମହିମ’ ସମ୍ବୋଧନ ନ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଏହା ସହ ସରକାରୀ ଫାଇଲ୍‌ରେ ଆଉ ‘ମହାମହିମ’ ନ ଲେଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ରାଜ୍ୟପାଳଙ୍କ ଗସ୍ତ ବେଳେ ‌େରଡ୍‌ କାର୍ପେଟ୍‌ ନ ପକାଇବାକୁ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର ଏହି ପଦକ୍ଷେପ ଆନ୍ଧ୍ରପ୍ରଦେଶରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ଗତ ମାସରେ ଆନ୍ଧ୍ରପ୍ରଦେଶର ଶ୍ରୀସାଇଲାମର ପଛୁଆ ଆଦିବାସୀ ଅଞ୍ଚଳରେ ଏକ ଆଦିବାସୀ ସମାବେଶରେ ଯୋଗ ଦେବାକୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଯାଇଥିଲେ। ସେଠାରେ ତାଙ୍କ ପାଇଁ ଆଡ଼ମ୍ବରପୂର୍ଣ୍ଣ ରେଡ୍‌ କାର୍ପେଟ୍‌ର ବ୍ୟବସ୍ଥା କରାଯାଇଥିଲା। ଏଥିରେ ସେ ବିରକ୍ତି ପ୍ରକାଶ କରିଥିଲେ। କେବଳ ଆଦିବାସୀ ଅଞ୍ଚଳ ନୁହେଁ, ତାଙ୍କର ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଏପରି ରେଡ୍‌ କାର୍ପେଟ୍‌ ବ୍ୟବସ୍ଥା ନ କରିବାକୁ ଶ୍ରୀ ହରିଚନ୍ଦନ ତାଙ୍କ ପ୍ରମୁଖ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଥି ପାଇଁ ଜିଲ୍ଲାପାଳମାନଙ୍କୁ ଅନୁରୂପ ଆଦେଶ ଦେବାକୁ କହିଥିଲେ। ଏହା ପରେ ସବୁ ଜିଲ୍ଲାପାଳମାନଙ୍କୁ ଏ ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଶ୍ରୀ ହରିଚନ୍ଦନ କହିଛନ୍ତି, ସାଧାରଣ ଜୀବନରେ ଓ ସରକାରୀ କ୍ଷେତ୍ରରେ ସାଧାରଣ ମଣିଷ ପରି ଚଳିବା ଓ ସାଧୁତା ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ। ସବୁ କ୍ଷେତ୍ରରେ ମିତବ୍ୟୟିତା ଅବଲମ୍ବନ କରିବା ସହ ଜନସାଧାରଣଙ୍କ ବିକାଶକୁ ଗୁରୁତ୍ବ ପ୍ରଦାନ କରାଯିବା ଉଚିତ। ସରକାରୀ ଅର୍ଥରେ ବ୍ୟୟବହୁଳ ଓ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ଗ୍ରହଣ କରିବା କିମ୍ବା ଜୀବନଯାପନ କରିବା ଅନୈତିକ ଓ ଅମାନବୀୟ।

ସମ୍ବନ୍ଧିତ ଖବର