ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଇନ୍‌ଟାକ୍: ଟାଗୋରଙ୍କ ପଥେର୍‌ ପୁରୀ ଘର ନ ଭାଙ୍ଗି ସଂରକ୍ଷିତ ରଖାଯାଉ

ଭୁବେନଶ୍ବର : ନୋବେଲ୍ ପୁରସ୍କାର ପ୍ରାପ୍ତ କବି ଗୁରୁ ରବୀନ୍ଦ୍ର ନାଥ ଟାଗୋରଙ୍କ ପୁରୀରେ ଥିବା ପଥେର୍‌ ପୁରୀ କୋଠା ଭାଙ୍ଗିବା ନେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ବିରୋଧ କରିଛି ଇଣ୍ଡିଆନ୍ ନ୍ୟାସ୍‌ନାଲ୍ ଟ୍ରଷ୍ଟ୍‌ ଫର୍‌ ଆର୍ଟ୍‌ ଆଣ୍ଡ୍‌ କଲଚରାଲ୍‌ ହେରିଟେଜ୍‌ ବା ଇନଟାକ୍। ଶହେବର୍ଷରୁ ଅଧିକ ପୁରୁଣା ଓ ଗୁରୁ ରବୀନ୍ଦ୍ର ନାଥ ଟାଗୋରଙ୍କ ବହୁ ସ୍ମୃତି ବହନ କରୁଥିବା ଏହି ଐତିହ୍ୟ ସମ୍ପନ୍ନ କୋଠାକୁ ନ ଭାଙ୍ଗି ଏହାର ସଂରକ୍ଷଣ କରିବାକୁ ସଂସ୍ଥା ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏ ନେଇ ପୁରୀ ଜିଲ୍ଲପାଳ ବଲଵନ୍ତ୍‌ ସିଂହଙ୍କୁ ଇନ୍‌ଟାକ୍ର ଓଡ଼ିଶା ଚାପ୍ଟର ଆବାହକ ତଥା ପୂର୍ବତନ ପୁଲିସ ଡିଜି ଅମୀୟ ଭୂଷଣ ତ୍ରିପାଠୀ ଚିଠି ଲେଖିଛନ୍ତି।

ଖବରକାଗଜରେ ପ୍ରକାଶିତ ଖବରକୁ ଆଧାର କରି ଚିଠିରେ ଶ୍ରୀ ତ୍ରିପାଠୀ ଦର୍ଶାଇଛନ୍ତି, ସ୍ବର୍ଗତ ଟାଗୋରଙ୍କ ଦ୍ବାରା ନିର୍ମିତ ହୋଇଥିବା ପଥେର୍ ପୁରୀ ଘର ବିପଦସଂକୁଳ ଅବସ୍ଥାରେ ଥିବାରୁ ତାକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଟାଗୋର ପୁରୀକୁ ଭାରି ଭଲପାଉଥିଲେ। ଏଠାରେ ଥିବା ତାଙ୍କର ପଥେର ପୁରୀ ଘରେ ସେ ବହୁ କାଳଜୟୀ ସାହିତ୍ୟ ରଚନା କରିଛନ୍ତି। ଏହି କୋଠା ଘରେ ଟାଗୋରଙ୍କ ବହୁ ସାରସ୍ବତ ସାଧନାର ସ୍ମୃତି ବହନ କରୁଛି। ଏପରି ଅମୂଲ୍ୟ ଐତିହ୍ୟ ସମ୍ପନ୍ନ କୋଠାକୁ ଭଙ୍ଗା ନ ଯାଇ ତାର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ କରାଯିବା ଉଚିତ୍। ବିପଦସଂକୁଳ କୋଠା ବୋଲି ଘୋଷଣା କରି ଏହାକୁ ଭାଙ୍ଗିବା ପାଇଁ ପୂର୍ତ୍ତ ବିଭାଗ ତାର ରକ୍ଷଣାବେକ୍ଷଣ ଦିଗଟି ବିଷୟରେ ଚିନ୍ତା କରିନି। ଅତୀତରେ କଟକ ସହରରେ ବହୁ ପୁରୁଣା କୋଠାକୁ ବିପଦସଂକୁଳ ବୋଲି ପୂର୍ତ୍ତ ବିଭାଗ ଘୋଷଣା କରିଥିଲା। କିନ୍ତୁ ଇନ୍‌ଟାକ୍‌ର ସଫଳ ଉଦ୍ୟମରେ ସେସବୁ କୋଠାକୁ ସଂରକ୍ଷିତ କରି ରଖାଯାଇପାରିଛି। କନିକା ଲାଇବ୍ରେରୀ ଓ ରେଭେନ୍‌ସା ବିଶ୍ବବିଦ୍ୟାଳୟର ଆସେମ୍ଲି ହଲ୍‌, ପୁରୁଣା ସର୍କିଟ ହାଉସ୍ ଓ ବୋର୍ଡ଼ ଅଫ୍ ରେଭିନ୍ୟୁ କୋଠା ଏହାର ଉଦାହରଣ ବୋଲି ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି। ସେହିପରି ପୁରୀରେ ଥିବା ଇନ୍‌ଟାକ୍‌ର ସଫଳ ପ୍ରୟାସ ଯୋଗୁଁ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପିତା ଜାନକୀ ନାଥ ବୋଷ ପୁରୀରେ ନିର୍ମାଣ କରିଥିବା କୋଠାର ପୁନରୁଦ୍ଧାର କରାଯାଇ ସଂରକ୍ଷଣ କରାଯାଇଛି।

ସମ୍ବଲପୁର ସହରରେ ଥିବା ସୁପ୍ରସିଦ୍ଧ ଆସାମୀ ଲେଖକ ବେଜବରୁଆଙ୍କ କୋଠାକୁ ଭାଙ୍ଗିବା ପାଇଁ ଘୋଷଣା କରାଯାଇଥିଲା। କିନ୍ତୁ ଇନ୍‌ଟାକ୍‌ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେବା ପରଠୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଆଗେଇଚାଲିଛି। ଏକଥା ସମ୍ବଲପୁର ଜିଲ୍ଲାପାଳ ଥିବାବେଳେ ଶ୍ରୀ ସିଂହ ଭଲଭାବେ ଉପଲବ୍ଧି କରିଥିବା କଥା ଶ୍ରୀ ତ୍ରିପାଠୀ ଉଲ୍ଲେଖ କରିଛନ୍ତି। ପୁରୁଣା କୋଠାର ଯାଞ୍ଚ ପରେ ନିରାପଦ ଦୃଷ୍ଟିରୁ ବିପଦସଂକୁଳ ଦର୍ଶାଇ ଭାଙ୍ଗିବା ପାଇଁ ଘୋଷଣା କରିବା ଚିରାଚରିତ ବ୍ୟପାର। କିନ୍ତୁ ଐତିହ୍ୟ ଗୁରୁତ୍ବ ବହନ କରୁଥିବା କୋଠାକୁ ନ ଭାଙ୍ଗି ସଂରକ୍ଷଣ ରଖି ପାରିଲେ ତାର ମର୍ଯ୍ୟାଦା ବୃଦ୍ଧି ପାଇବ। ଗୁରୁ ଟାଗୋରଙ୍କ ପୁରୀ ସ୍ଥିତ ପଥେର୍‌ ପୁରୀ କୋଠାକୁ ଭାଙ୍ଗିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଶ୍ରୀ ତ୍ରିପାଠୀ ଚିଠିରେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର