ମାଟିରେ ମିଶିବ ବିଶ୍ବକବିଙ୍କ ସାଧନା ପୀଠ, ଟାଗୋର ଏଇଠି ଲେଖିଥିଲେ ଅନେକ କବିତା

ଐତିହ୍ୟ ଜଡିତ ଆବେଗପୂର୍ଣ୍ଣ ସ୍ଥାନକୁ ଅଣଦେଖା

ପୁରୀ: ପୁରୀରେ ଏବେ ମଠ ଭଂଗା ଚାଲିଛି। ଶହ ଶହ ବର୍ଷର ପ୍ରାଚୀନ ମଠ ସବୁ ମାଟିରେ ମିଶୁଛି। ଅନ୍ୟପକ୍ଷରେ ଭାରତର ପ୍ରମୁଖ ବ୍ୟକ୍ତିତ୍ବଙ୍କ ସ୍ମୃତି ବହନ କରୁଥିବା ତଥା ଆବେଗଜଡ଼ିତ କୋଠାକୁ ଭାଂଗୁଥିବା ପ୍ରଶାସନ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଭଳି କିଛି ପଦକ୍ଷେପ ନେଉନାହିଁ। ପ୍ରଶାସନ ଐତିହ୍ୟ ଜଡ଼ିତ ଆବେଗପୂର୍ଣ୍ଣ କୋଠାକୁ ସୁରକ୍ଷିତ କରିବା ବା ଅନ୍ୟତ୍ର ସେମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ କୌଣସି ନିର୍ମାଣ କରୁନଥିବ‌ା ଅଭିଯୋଗ ହୋଇଛି। ଏଭଳି ପ୍ରସଙ୍ଗକୁ ନେଇ ଏବେ ପୁରୀର ସାହିତ୍ୟିକମ‌ାନେ ଆଗକୁ ଆସିଛନ୍ତି। ଭାରତର ପ୍ରଥମ ନୋବେଲ ବିଜେତା, ଜାତୀୟ ସଂଗୀତ ‘ଜନଗଣ ମନ..’ର ରଚୟିତା ତଥା ଗାନ୍ଧୀଙ୍କୁ ମହାତ୍ମା ଆଖ୍ୟା ଦେଇଥିବା ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ସ୍ମୃତି ରକ୍ଷ‌ା ପାଇଁ କିଛି ପଦକ୍ଷେପ ନିଆଯାଇନାହିଁ। ବରଂ ଏଠାରେ ବିଶ୍ବକବିଙ୍କ ସ୍ମୃତି ବହନ କରୁଥିବା ତଥା ଟାଗୋରଙ୍କ ସାଧନା ପୀଠକୁ ମାଟିରେ ମିଶାଇ ଦେବାକୁ ଯୋଜନା ହୋଇଛି।

ସ୍ଥାନୀୟ ସୁବାସ ବୋଷ ଛକ ନିକଟସ୍ଥ ପାଥେରପୁରୀ ଛାତ୍ରାବାସ ଏବେ ମାଟିରେ ମିଶିବ। ଟାଗୋରଙ୍କ ସ୍ମୃତି ବହନ କରୁଥିବା ଏହି କୋଠା ଭାଂଗିବାକୁ ପ୍ରଶାସନ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି। ଅସୁରକ୍ଷିତ କାରଣରୁ ଏକ କୋଠା ଭାଂଗିବା ମଧ୍ୟ ଜରୁରୀ ହୋଇପଡ଼ିଛି। ତେବେ ପ୍ରଶାସନ ବିଶ୍ବକବିଙ୍କ ସ୍ମୃତି ବିଜଡିତ ଏହି ସ୍ଥାନରେ ଏକ ସଂଗ୍ରହାଳୟ, ପାଠାଗାର କିମ୍ବା ସମ୍ମିଳନୀ କକ୍ଷ ପ୍ରତିଷ୍ଠା କରିବାକୁ ଦାବି ହୋଇଛି। କୁହାଯାଏ, ଟାଗୋର ‌ଯେତେବେଳେ ବି ପୁରୀ ଆସୁଥିଲେ, ଏହି ପାଥେରପୁରୀ ଭବନରେ ରହୁଥିଲେ। ଏଠାରେ ରହଣି ସମୟରେ ବିଶ୍ବକବି ବହୁ କବିତା ରଚନା କରିଥିଲେ। ତାଙ୍କ ରଚିତ ସମୁଦ୍ରପ୍ରତି, ସିନ୍ଧୁ ତରଙ୍ଗ, ମହାମାନବେର ସାଗରତୀର ଭଳି କବିତା ଏଠାରେ ଲେଖିଥିବା କୁହାଯାଏ। ତେବେ ଟାଗୋରଙ୍କ ସ୍ମୃତି ଥିବା ଏହି ସ୍ଥାନରେ ପୂର୍ବରୁ ସାମନ୍ତଚନ୍ଦ୍ର ଶେଖର ମହାବିଦ୍ୟାଳୟ ଜୁନିଅର୍‌ କଲେଜର ଛାତ୍ରାବାସ ଚାଲିଥିଲା। ତେବେ କୋଠାଟି ଅସୁରକ୍ଷିତ ହୋଇଯିବାରୁ ଏଠାରୁ ଛାତ୍ରମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଏବେ ବି ଏହି ପାଥେରପୁରୀରେ ବିଶ୍ବକବିଙ୍କ ପ୍ରତିମୂର୍ତ୍ତି, ଫ‌ଟୋ ଓ ଅନ୍ୟାନ୍ୟ ସ୍ମୃତି ରହିଛି। ମାତ୍ର ପ୍ରଶାସନ ଏହାର ରକ୍ଷ‌ଣାବେକ୍ଷଣ କରୁନାହିଁ। କୁହାଯାଏ ବିଶ୍ବ କବି ଏହି ସ୍ଥାନରେ ୧୮୯୧ରୁ ୧୮୯୩ ପର୍ଯ୍ୟନ୍ତ ରହିଥିଲେ। ‌ସେ ‌ଯେତେବେଳେ ବି ପୁରୀ ଆସୁଥିଲେ ଏଠାରେ ହିଁ ରହୁଥିଲେ। ଭାରତର ଅନେକ ସ୍ଥାନରେ ବିଶ୍ବକବିଙ୍କ ନାମରେ ଅନେକ ଭବନ ଓ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି। ମାତ୍ର ପୁରୀରେ ତାଙ୍କର ଅନେକ ସ୍ମୃତି ଥାଇ ମଧ୍ୟ ଏଠାରେ ସ୍ମୃତି ରକ୍ଷା ପାଇଁ କିଛି କରାଯାଇନାହିଁ। ଏ ନେଇ ସାହିତ୍ୟିକ ତଥା ଅଭିନନ୍ଦନିକାର ସଂପାଦକ ଶ୍ୟାମ ପ୍ରକାଶ ସେନାପତି ଆସନ୍ତାକାଲି ପୁରୀ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେବେ ବୋଲି ଜଣାଇଛନ୍ତି। ଟାଗୋରଙ୍କ ସ୍ମତି ରକ୍ଷା ପାଇଁ ପାଥେରପୁରୀ ପ୍ରସାଦକୁ ନବୀକରଣ କରାଯାଇ ବିଶ୍ବକବିଙ୍କ ନାମରେ ଏକ ସଂଗ୍ରହାଳୟ, ରବୀନ୍ଦ୍ର ସ୍ମୃତି ପାଠଗାର ବା ରବୀନ୍ଦ୍ର ସମ୍ମିଳନୀ କକ୍ଷ ପ୍ରତିଷ୍ଠା କରିବାକୁ ଶ୍ରୀ ସେନାପତି ଦାବି ଜଣାଇବେ। ଏହି ଐତିହ୍ୟପୂର୍ଣ୍ଣ ସଂପତ୍ତିକୁ ପ୍ରଶାସନ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ନକରି ଟାଗୋରଙ୍କ ସ୍ମୃତି ଉଦ୍ଦେଶ୍ୟରେ ବ୍ୟବହାର କଲେ ଏହା ବିଶ୍ବ କବିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ହେବ। ତେଣୁ ଐତିହ୍ୟ ଜଡ଼ିତ ଆବେଗପୂର୍ଣ୍ଣ ପ୍ରସଙ୍ଗକୁ ପ୍ରଶାସନ ଅଣଦେଖା ନକରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର