କଟକ : ପୁରୀରୁ ଓଡ଼ିଶାର ୫ ହଜାରରୁ ଅଧିକ ପ୍ରିଆକ୍ଟିଭ୍ ସିମ୍ କାର୍ଡ ସାଇବର ଅପରାଧୀଙ୍କୁ ବିକ୍ରି କାରବାରର ମାଷ୍ଟରମାଇଣ୍ଡ ବିଶ୍ବଜିତ ପ୍ରଧାନ ଓ ଜ୍ଞାନ ରଞ୍ଜନ ପାତ୍ର ଓରଫ ଜ୍ଞାନ ରିମାଣ୍ଡରେ ଆସିଛନ୍ତି। କଟକ ସାଇବର୍ ଥାନା ପୁଲିସ ଏହି ଦୁଇ ଜଣଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି। ଏମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ପୁଲିସ ଜବତ କରିଥିବା ବେଳେ ସାଇବର୍ ଅପରାଧୀଙ୍କ ସହିତ ହୋଇଥିବା ଆର୍ଥିକ କାରବାର ଯାଞ୍ଚ କରାଯାଉଛି।

Advertisment

ସୂଚନା ଅନୁଯାୟୀ, ଜ୍ଞାନ ଅନ୍‌ଲାଇନ୍ ଗେମିଂ ଆପ୍ଲିକେସନ୍‌ ମାଧ୍ୟମରେ ଆସାମ ଗୌହାଟୀର ଯେଉଁ ଯୁବକ ସହିତ ସମ୍ପର୍କ ଯୋଡ଼ିଥିଲା, ଉକ୍ତ ଯୁବକକୁ ଜେରାସମୟରେ ଠାବ କରାଯାଇଛି। ସେହିଭଳି ବିଶ୍ବଜିତ ଦିଲ୍ଲୀର ଯେଉଁ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଯୋଡ଼ିଥିଲା ତାକୁ ବି ପୁଲିସ ଚିହ୍ନଟ କରିଛି। ଏହି ଯୁବକ ଯେଉଁ ଅଞ୍ଚଳର ପୁଲିସ ସମ୍ପୃକ୍ତ ଥାନା ପୁଲିସ ସହିତ ଯୋଗାଯୋଗ କରିଛି। ଅନ୍ୟ ୬ ସହଯୋଗୀ ସିଧାସଳଖ ସାଇବର୍ ଅପରାଧ ଗ୍ୟାଙ୍ଗ ସହିତ ସମ୍ପର୍କରେ ନଥିଲା। ଜ୍ଞାନ ଓ ବିଶ୍ବଜିତ ସେମାନଙ୍କୁ ନିୟନ୍ତ୍ରଣ କରୁଥିଲେ। ଅନ୍ୟପଟେ ଜ୍ଞାନ ଓ ବିଶ୍ବଜିତଙ୍କ ଫୋନ୍ ପେକୁ ସାଇବର୍ ଅପରାଧୀ ପାଖାପାଖି ୨୫ ଲକ୍ଷରୁ ଅଧିକ ଟଙ୍କା ପଠାଇଥିବାରୁ ପୁଲିସ ବ୍ୟାଙ୍କ୍ ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଆଣି ଅନୁଧ୍ୟାନ ଚଳାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ କଟକ ସାଇବର୍ ଥାନା ପୁଲିସ ଗଲା ୧୦ ତାରିଖରେ ଏହି ଦୁଇ ଜଣଙ୍କ ସମେତ ୮ ଜଣଙ୍କୁ ଗିରଫ କରିଥିଲା। ପୁରୀ ବାସେଳିସାହିର ବାବୁନା ଦାସ ଓରଫ ବାବୁ, କୁଣ୍ଢେଇବେଣ୍ଟସାହିର ରାକେଶ କୁମାର ନାୟକ ଓରଫ କାଳିଆ, ପେଣ୍ଠକଟାର ଜ୍ୟୋତିରଞ୍ଜନ ସାହୁ ଓରଫ ପିଣ୍ଟୁ, ସଦର ନୂଆସାହିର ମହାବୀର ଦାସ, ସତ୍ୟବାଦିର ବିଶ୍ବଜିତ୍‌ ଷଡ଼ଙ୍ଗୀ ଓରଫ ବିଶ୍ବ, ସୌମ୍ୟରଞ୍ଜନ ଖଣ୍ଡାୟତରାୟ ଓରଫ ଡୁଗୁଲଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କୁ ଜେରାପରେ କଟକ ସାଇବର୍ ଥାନା ପୁଲିସ ଅଢ଼େଇ ହଜାର ସିମ୍‌କାର୍ଡର ତଥ୍ୟ ଆଣିଛି। କେଉଁ ସ୍ଥାନରେ ଏହି ସିମ୍‌କାର୍ଡ ବ୍ୟବହାର ହୋଇଛି ସେ ନେଇ ତଥ୍ୟ ହସ୍ତଗତ କରିଛି।