କଟକ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଷ୍ଟାଣ୍ଡିଂ କାଉନ୍‌ସିଲ୍‌ ବିଶ୍ବଜିତ ମହାନ୍ତି(୫୪)ଙ୍କର ରବିବାର ପ୍ରତ୍ୟୁଷରେ ହୃଦ୍‌ଘାତରେ ପରଲୋକ ଘଟିଛି। ଅନ୍ତିମ ଶଯ୍ୟା ନିକଟରେ ପତ୍ନୀ ସବିତା ମହାନ୍ତି, ଭାଇ କାଳନ୍ଦୀ ମହାନ୍ତି, ହରେକୃଷ୍ଣ ମହାନ୍ତି, ବଳରାମ ମହାନ୍ତିଙ୍କ ସମେତ ଆତ୍ମୀୟସ୍ବଜନ ଉପସ୍ଥିତ ଥିଲେ। ପରଲୋକ ଖବର ପାଇ ବହୁ ବିଶି‌ଷ୍ଟ ବ୍ୟକ୍ତି ସିଡିଏ ସେକ୍ଟର-୧୦ସ୍ଥିତ ବାସଭବନରେ ତାଙ୍କର ଶେଷ ଦର୍ଶନ କରିଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ସେକ୍ଟର୍‌-୧୦ ଅଞ୍ଚଳ ପରିକ୍ରମା କରାଯିବାପରେ କର୍ମସ୍ଥଳ ଓଡ଼ିଶା ହାଇକୋର୍ଟ, ଗଣଶିକ୍ଷା ଆଇନ ସେଲ୍ କାର୍ଯ୍ୟାଳୟକୁ ନିଆଯାଇଥିଲା। ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ସତ୍ୟଜିତ ମହାନ୍ତି ମୁଖାଗ୍ନି ଦେଇଥିଲେ।

Advertisment

ଡକ୍ଟର ଜଷ୍ଟିସ ଅକ୍ଷୟ କୁମାର ରଥ, ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ, ଆଡ୍‌ଭୋକେଟ୍‌ ଜେନେରାଲ୍‌ ଅଶୋକ କୁମାର ପରିଜା, ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ, ଗଣଶିକ୍ଷା ବିଭାଗ ଷ୍ଟାଣ୍ଡିଂ କାଉନସିଲ୍‌ ନୀଳାମ୍ବର ଜେନା ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସ୍ବର୍ଗତ ମହାନ୍ତି ୨୦୧୬ରେ ହାଇକୋର୍ଟରେ ଗଣଶିକ୍ଷା ବିଭାଗ ଷ୍ଟାଣ୍ଡିଂ କାଉନସିଲ୍‌ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରି ଆସୁଥିଲେ। ସରକାରଙ୍କ ପକ୍ଷରୁ ସେ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ‌ଜଣେ ଦକ୍ଷ ଆଇନଜୀବୀ ଭାବେ ତାଙ୍କର ବେଶ୍‌ ସୁନାମ ଥିଲା।