ସ୍ବପ୍ନ ଦେଖି ଘର କଥା ମନେପଡ଼ିଲା, ୨୨ ବର୍ଷ ପରେ ଘରକୁ ଫେରିଲେ ବିଶ୍ବମ୍ଭର

ସ୍ବପ୍ନ ଦେଖି ଘର କଥା ମନେପଡ଼ିଲା, ୨୨ ବର୍ଷ ପରେ ଘରକୁ ଫେରିଲେ ବିଶ୍ବମ୍ଭର

କବାଟବନ୍ଧ: ପେଟରୋଗର ଅସ୍ତ୍ରୋପଚାର ପରେ ୫ ବର୍ଷ ଘରେ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଧାରକରଜ କରି ଚକିତ୍ସା ହୋଇଥିଲେ। ଏଣେ ଘରେ ବସିବାରୁ ରୋଜଗାର ନଥିବାରୁ ମାନସିକ ଭାରସାମ୍ୟ ହରାଇଲେ। ହଠାତ ଦିନେ ସେ ଘର ଛାଡ଼ି ଚାଲିଗଲେ। ତା’ ପରଠାରୁ ଆଉ ଘର-ପରିବାର ସହ ତାଙ୍କର କୌଣସି ସଂପର୍କ ନଥିଲା। ଘରଲୋକ ଖୋଜିଖୋଜି ନିରାଶ ହୋଇ ସବୁ ଆଶା ଛାଡ଼ିଦେଇଥିଲେ। ଦୀର୍ଘ ୨୨ ବର୍ଷ ପରେ ସେ ଘରକୁ ଫେରିଲେ। ଆଜି ତାଙ୍କୁ ଦେଖିବାକୁ ପ୍ରବଳ ଗହଳି। ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତ ତୋଟାସାହି ଗ୍ରାମର ସ୍ବର୍ଗତ ଅନନ୍ତ ରାଉତଙ୍କ ପୁଅ ବିଶ୍ବମ୍ବର ରାଉତ (୫୫)ଙ୍କୁ ପାଇ ଆଜି ପରିବାରର ଖୁସି କହିଲେ ନସରେ। ଏହା ଭିତରେ ଅନେକ କିଛି ବଦଳିଯାଇଛି। ସେ ମଧ୍ୟ ବାଟ ପଚାରିପଚାରି ନିଜ ଘରକୁ ଫେରିଛନ୍ତି। ଘରେ ବଡ଼ଭାଇ କୁଶ ଚନ୍ଦ୍ର ରାଉତ ବିଶ୍ବମ୍ବରଙ୍କ ଏକମାତ୍ର ଝିଅକୁ ବିବାହ ମଧ୍ୟ କରାଇଛନ୍ତି।

ବିଶ୍ବମ୍ବରଙ୍କୁ ଯେତେବେଳେ ୩୩ ବର୍ଷ ହୋଇଥିଲା ସେ ଘରୁ ପଳାଇ ଯାଇଥିଲେ। ଚଢ଼େଇଧରା ଅଞ୍ଚଳର ସଂପର୍କୀୟ ଭାଇ ସୁନାକର ସହ ମୁମ୍ବାଇ ଚାଲିଯାଇଥିଲେ। ସେତେବେଳେ ଘରେ ତାଙ୍କର ପତ୍ନୀ ସମେତ ୫ ବର୍ଷର ଝିଅ ଓ ୩ ବର୍ଷ, ଦେଢ଼ ବର୍ଷ ଓ ୭ ମାସର ୩ ଜଣ ପୁଅ ଥିଲେ। ମୁମ୍ବାଇରେ ଟାଇଲ ମିସ୍ତ୍ରି ପାଖରେ ହେଲପର ଭାବେ କାମ କରିଥିଲେ। କିଛିଦିନ ପରେ ସେଠାରେ ସୁନାକରଙ୍କ ମୃତ୍ୟୁ ଘଟିଥିଲା। ଏହା ବିଶ୍ବମ୍ବରଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ସେ ନିଜ ଘରକଥା ବି ଭୁଲିଗଲେ।

ମୁମ୍ବାଇ ମନୋହରପଡ଼ାରେ ଏକା ରହି ହିନ୍ଦୀ ଓ ସ୍ଥାନୀୟ ଭାଷା ଶିଖି କାମ କରିବାରେ ଲାଗିଲେ। ସେଠାରେ ଗତ ମଙ୍ଗବାର ରାତିରେ ଶୋଇଥିବା ବେଳେ ସ୍ବପ୍ନରେ ହଠାତ୍ ଘରକଥା ମନେପଡ଼ିଲା। ମାଲିକଙ୍କଠାରୁ ୩ ହଜାର ଟଙ୍କା ମାଗି ଟ୍ରେନ୍ ଯୋଗେ ଭୁବନେଶ୍ବର ଆସି ଆଜି ପୂର୍ବାହ୍ନ ୧୧ ଟାରେ ନିଜ ଗାଁ ରାଇଛନ୍ଦା (ତୋଟାସାହି) ରେ ପହଞ୍ଚିଥିଲେ। ୨୨ ବର୍ଷ ହେଲା ନିଖୋଜ ଥିବାରୁ ବିଭିନ୍ନ ଚାପରେ ଘରେ ତାଙ୍କର ଶୁଦ୍ଧିକ୍ରିୟା ନିମନ୍ତେ ଆଲୋଚନା ଚାଲିଥିଲା। ଏପରି ସମୟରେ ହଠାତ୍ ବିଶ୍ବମ୍ବର ଘରେ ପହଞ୍ଚିଥିବାରୁ ପତ୍ନୀ ସଂଯୁକ୍ତା ଅତ୍ୟନ୍ତ ଆନନ୍ଦିତ ବୋଲି ପ୍ରକାଶ କରିଛନ୍ତି। ବଡ଼ପୁଅ ରଂଜନଙ୍କ କହିବାନୁସାରେ ମୋ ବାପା ଘରକୁ ଫେରିବା ସ୍ବପ୍ନ ଭଳି ଲାଗୁଛି। ବିଶ୍ବମ୍ବରଙ୍କ ଗାଁ ସାଙ୍ଗ ଗୋବର୍ଦ୍ଧନ ସାହୁ ପୁରୁଣା ଦିନକୁ ମନେପକାଇ ବହୁତ ଆନନ୍ଦିତ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe