ବିଶ୍ବନାଥ ତିୱାରୀ ପାଇବେ ଗଂଗାଧର ଜାତୀୟ ସମ୍ମାନ

ସମ୍ବଲପୁର: ବିଶିଷ୍ଟ ହିନ୍ଦୀ କବି ପ୍ରଫେସର ବିଶ୍ବନାଥ ପ୍ରସାଦ ତିୱାରୀ ଚଳିତ ବର୍ଷ କବିତା ପାଇଁ ପ୍ରତିଷ୍ଠିତ ଗଂଗାଧର ଜାତୀୟ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ବିଚାରକ ମଣ୍ଡଳୀର ସୁପାରିସ କ୍ରମେ ବିଶ୍ବବିଦ୍ୟାଳୟର କୁଳପତି ପ୍ର. ଦୀପକ କୁମାର ବେହେରା ତାଙ୍କ ନାମକୁ ଅନୁମୋଦନ କରିଛନ୍ତି। ଆସନ୍ତା ଜାନୁଆରି ୮ ତାରିଖରେ ବିଶ୍ବବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ମାନପତ୍ର, ଅଙ୍ଗବସ୍ତ୍ର ସହ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ପୂର୍ବରୁ ପୁରସ୍କାର ରାଶି ୫୦ ହଜାର ଟଙ୍କା ଥିଲାବେଳେ ଚଳିତ ବର୍ଷଠାରୁ ଏହା ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିବା କୁଳପତି ପ୍ର. ବେହେରା ସୂଚନା ଦେଇଛନ୍ତି। ସ୍ବଭାବ କବି ଗଂଗାଧର ମେହେରଙ୍କ ସ୍ମୃତିରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ୧୯୮୯ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ପ୍ରତି ବର୍ଷ ଦେଶର ଜଣେ ପ୍ରତିଷ୍ଠିତ କବିଙ୍କୁ ଏହା ଦିଆ ଯାଇଥାଏ।

ଏଥର ଏହି ସମ୍ମାନ ପାଇବାକୁ ମନୋନୀତ ପ୍ରଫେସର ତିୱାରୀ ହିନ୍ଦୀ କାବ୍ୟ ଜଗତର ଜଣେ ଜଣାଶୁଣା ନାମ ଓ ପୂର୍ବରୁ କେନ୍ଦ୍ର ସାହିତ୍ୟ ଏକାଡେମିର ସଭାପତି ଓ ଉପସଭାପତି ପଦ ମଣ୍ଡନ କରି ସାରିଛନ୍ତି। ଉତ୍ତର ପ୍ରଦେଶ କୁଶୀନଗର ଜିଲ୍ଲାର ରାୟପୁର ଭୈଁସହୀ-ଭେଡ଼ିହାରୀ ଗାଁରେ ଜନ୍ମିତ ଶ୍ରୀ ତିୱାରୀ ଗୋରଖପୁର ବିଶ୍ବବିଦ୍ୟାଳୟରେ ହିନ୍ଦୀ ବିଭାଗର ମୁଖ୍ୟ ଭାବେ ୨୦୦୧ରେ ଅବସର ଗ୍ରହଣ କରିଥିଲେ। ତାଙ୍କର ରଚିତ ‘ଚିଜୋଁ କୋ ଦେଖକର , ‘ସାଥ ଚଲତେ ହୁଏ, ‘ବିସ୍ତର ଦୁନିଆ କେ ଲିଏ, ‘ଆଖର ଅନନ୍ତ, ‘ଫିର୍ ଭି କୁଛ ରହ ଜାଏଗା’ ଭଳି କବିତା ସଂକଳନ ବେଶ ପାଠକୀୟ ଆଦୃତି ଲାଭ କରିଛି। ଏହା ବ୍ୟତୀତ ଆଧୁନିକ ହିନ୍ଦୀ କବିତା, ସମକାଳୀନ ହିନ୍ଦୀ କବିତା, ରଚନା କେ ସରୋକାର, କବିତା କ୍ୟା ହେ, ଗଦ୍ୟ କେ ପ୍ରତିମାନ, ଆଲୋଚନା କେ ‌ହାସିଏ ପର ଆଦି ପ୍ରବନ୍ଧ ପୁସ୍ତକ, ଆତ୍ମ କି ଧର୍‌ତି, ଅନ୍ତହୀନ ଆକାଶ ଆଦି ଭ୍ରମଣ ପୁସ୍ତକ ମଧ୍ୟ ରଚନା କରିଛନ୍ତି।

ସମ୍ବନ୍ଧିତ ଖବର