ଡେଲାଙ୍ଗ : ପ୍ରାଚୀନ ଡେଲାଙ୍ଗର ଐତିହାସିକ କୀର୍ତ୍ତିରେ ଭରପୂର ‘ଭୋରଶୈଳ’ ଯାହାକି ବର୍ତ୍ତମାନର ବିଶ୍ୱନାଥ ପାହାଡ଼ ଭାବରେ ପରିଚିତ ତାହା ଏବେ ଅବହେଳିତ ହୋଇ ରହିଛି। ପ୍ରାୟ ୪୬୮ ଫୁଟ୍ ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ର ଅଗ୍ରଭାଗରେ ୩୦ ଫୁଟ ଉଚ୍ଚର ଏକ ମନ୍ଦିର ବିଶ୍ୱନାଥ ଦେବଙ୍କ ବିଜେସ୍ଥଳୀ ରୂପେ ପରିଗଣିତ ହୁଏ। ପାହାଡ଼ଟି ପୁରାତନ କ୍ଷୟପ୍ରାପ୍ତ ଗଣ୍ଡୱ।ନା ଶ୍ରେଣୀର ଅଂଶ ବିଶେଷ। ଏହା ଖଣ୍ଡାଲାଇଟ୍ ବା ଅତିରିକ୍ତ ରୂପାନ୍ତରିତ ପ୍ରାଚୀନ ଆଗ୍ନେୟଶିଳା ଦ୍ବାରା ଗଠିତ। ପୂର୍ବେ ଏହି ପାହାଡ଼ ଘଞ୍ଚ ଅରଣ୍ୟ ଆଚ୍ଛାଦିତ ଥିଲା। କାଳକ୍ରମେ ଚାରିପାଖରେ ଜନବସତି ବୃଦ୍ଧି ସହିତ ଏସବୁ ପ୍ରାୟ ଲୋପ ହୋଇଗଲା। ଏହି ବିଶ୍ୱନାଥ ପାହାଡ଼ର ପୂର୍ବକୁ ଟାଙ୍ଗିଣୀ ମୁଣ୍ଡିଆ ଓ ପଶ୍ଚିମକୁ ସାହାଡ଼ା ମୁଣ୍ଡିଆ, ପାଆଁରା ମୁଣ୍ଡିଆ ଓ ବଣିବକ୍ରେଶ୍ୱର ମୁଣ୍ଡିଆ ଅବସ୍ଥିତ। ଟାଙ୍ଗିଣୀ ମୁଣ୍ଡିଆକୁ ବାଦ୍ ଦେଲେ ଅନ୍ୟଗୁଡ଼ିକ ଏବେ ଅରଣ୍ୟ ଆଚ୍ଛାଦିତ। ଐତିହାସିକ ବିଶ୍ୱନାଥ ପାହାଡ଼ ଡେଲାଙ୍ଗ ଅଞ୍ଚଳର ସାମରିକ, ଅର୍ଥନୈତିକ, ସାମାଜିକ, ଧର୍ମ ଓ ସଂସ୍କୃତିର ମୂକସାକ୍ଷୀ ଭାବେ ଦଣ୍ଡାୟମାନ। ଏହା ପୁରୀରେ ଶାସନ କରୁଥିବା ଗଜପତି ମହାରାଜାଙ୍କର ଶେଷ ଦୁର୍ଗ ଓ ସତର୍କ ପ୍ରହରୀ ସଦୃଶ୍ୟ। କୌଣସି ସମୟରେ ଶତ୍ରୁ ଆକ୍ରମଣର ସୂଚନା ମିଳିବା କ୍ଷଣି ପାହାଡ ଚୂଡ଼ାରେ ଅଗ୍ନି ପ୍ରଜ୍ୱଳନ କରାଯାଇ ତା ମାଧ୍ୟମରେ ରାଜା ବା କର୍ମଚାରୀଙ୍କୁ ସତର୍କ କରାଇ ଦିଆଯାଉଥିଲା।
/sambad/media/post_attachments/wp-content/uploads/2022/09/biswanath-d.jpg)
ଇତିହାସରୁ ଜଣାଯାଏ, ଏହି ପାହାଡ଼ରେ ବୌଦ୍ଧ ଭିକ୍ଷୁମାନେ ପ୍ରସ୍ତର ଗୁମ୍ଫା ମଧ୍ୟରେ ରହିବା ସହ ଏହି ଅଞ୍ଚଳ ବୌଦ୍ଧ ବିହାରର ମର୍ଯ୍ୟାଦା ଲାଭ କରିଥିଲା। ଏବେ ପାହାଡ଼ରେ ରହିଥିବା ଗୁମ୍ଫା, ପାଦଦେଶରେ ପଥର ଖୋଦିତ ବରାହ ବିଷ୍ଣୁ ମୂର୍ତ୍ତି(ସ୍ଥାନୀୟ ଲୋକଙ୍କ ଭାଷାରେ ପନିକିପଟା) ଆଦି ଏଣେତେଣେ ପଡ଼ି ରହିଛି। ବିଶ୍ୱନାଥ ଦେବଙ୍କ ମନ୍ଦିର କଳା, ସ୍ଥାପତ୍ୟ ଓ ଐତିହାସିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ, ଏହା ଏକାଦଶ ଶତାବ୍ଦୀରେ ସୋମବଂଶୀ ଶାସକମାନଙ୍କ ସମୟରେ ନିର୍ମିତ ହୋଇଥିଲା। ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ବିଶ୍ୱନାଥ ପାହାଡ଼ ଉଲ୍ଲେଖଯୋଗ୍ୟ। ପାହାଡ଼ର ଉପରିଭାଗରେ ପ୍ରାକୃତିକ ସୌନ୍ଦର୍ଯ୍ୟ ବାସ୍ତବରେ ଅତ୍ୟନ୍ତ ଚିତ୍ତାକର୍ଷକ। ଏହି ଭଳି ଏକ ମନୋରମ ତଥା ଐତିହାସିକ ସ୍ଥଳୀକୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଚରମ ଅବହେଳା ପ୍ରଦର୍ଶନ କରିଥିବା ସ୍ଥାନୀୟ ବୁଦ୍ଧିଜୀବୀ ମତ ଦିଅନ୍ତି। ପାହାଡ଼ ଉପରକୁ ପାହଚ ନିର୍ମାଣ ଠାରୁ ଆରମ୍ଭ କରି ଅଦ୍ୟାବଧି ଯେତେ ସବୁ ଉନ୍ନୟନ କାର୍ଯ୍ୟ ସମ୍ପାଦନ ହୋଇଛି ତାହା ମୁଖ୍ୟତଃ ବଦାନ୍ୟ ବ୍ୟକ୍ତିମାନଙ୍କ ଅନୁଦାନରେ ହୋଇପାରିଛି।
/sambad/media/post_attachments/wp-content/uploads/2022/09/biswanath-t-750x430.jpg)
ବିଡ଼ମ୍ବନାର ବିଷୟ ବିଶ୍ୱନାଥ ପାହାଡ଼କୁ ୧୯୮୫ ମସିହାରୁ ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରର ସୀକୃତି ଦେଇ ମଧ୍ୟ ଅଦ୍ୟାବଧି କୌଣସି ଉନ୍ନୟନ କାର୍ଯ୍ୟ କରିନାହାନ୍ତି। ୨୦୧୫ ମସିହାରେ ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ତତ୍କାଳୀନ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ ବିଶ୍ୱନାଥ ପାହାଡ଼ ଓ ଅରାଗଡ଼ କୀର୍ତ୍ତିରାଜିର ଉନ୍ନତି ପାଇଁ ଡେଲାଙ୍ଗ ଅଞ୍ଚଳର ବୁଦ୍ଧିଜୀବୀ ତଥା ପ୍ରାକ୍ତନ ସୂଚନା କମିସନର ଜଗଦାନନ୍ଦ, ସ୍ତମ୍ଭକାର ତଥା ଗାନ୍ଧୀବାଦୀ ଲେଖକ ଗୌରାଙ୍ଗ ଚରଣ ପରିଡ଼ା ଓ ବେରବୋଇ ଗାନ୍ଧୀ ସ୍ମାରକୀ ସମିତିର ପୂର୍ବତନ ସଭାପତି ସ୍ୱର୍ଗତ ଅକ୍ଷୟ କୁମାର ନାୟକଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଥିଲେ। ୨୦୧୫ ଏପ୍ରିଲ ୨୫ରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ବିଶ୍ୱନାଥ ପାହାଡ, ଅରାଗଡ କୀର୍ତ୍ତିରାଜି, ବେନୁପଡା ଗାଦୀବ୍ରହ୍ମମଠ, ଘୋରଡିଆର ତରାପୋଖରୀ ଏବଂ ବେରବୋଇ ଗାନ୍ଧୀ ପୀଠକୁ ନେଇ ଏକ ଟୁରିଷ୍ଟ ହବ୍ ଗଠନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଭୁବନେଶ୍ବରରୁ ପର୍ଯ୍ୟଟକମାନେ ଆସି ପିପିଲିରେ ଚାନ୍ଦୁଆ ଶିଳ୍ପ ପରିଦର୍ଶନ କରିବା ସହ ଡେଲାଙ୍ଗର ଏହି ଐତିହ୍ୟ ସ୍ଥଳ ଭ୍ରମଣ କରିବା ଦ୍ବାରା ଏକ ଗ୍ରାମାଞ୍ଚଳ ପର୍ଯ୍ୟଟନ କେନ୍ଦ୍ର ଗଠିତ ହୋଇପାରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର ସୁଫଳ ମିଳିନାହିଁ। ଏଣୁ ପାନୀୟ ଜଳଯୋଗାଣ, ପାହାଡ଼ ଉପରକୁ ପକ୍କା ରାସ୍ତା ନିର୍ମାଣ, ବନୀକରଣ ପ୍ରଭୃତି ଉନ୍ନୟନ କାର୍ଯ୍ୟର ଆବଶ୍ୟତା ରହିଥିବା ସ୍ଥାନୀୟ ଅଞ୍ଚଳର ନଳିନୀ ରଞ୍ଜନ ପଟ୍ଟନାୟକ, ଶରତ ଚନ୍ଦ୍ର ରାଉତ, ଗୌରାଙ୍ଗ ଚରଣ ପରଡା,ଦୁର୍ଗା ଚରଣ ରାଉତରାୟ, ଦିଲୀପ ଛୋଟରାୟ ପ୍ରମୁଖ ଦାବି କରିଛନ୍ତି।