ଦାଶ ବେନହୁର୍‌ଙ୍କୁ ବିଶ୍ୱନାଥ ପଶାୟତ ସାରସ୍ୱତ ସମ୍ମାନ

ବିଶ୍ୱନାଥ ପଶାୟତଙ୍କ ସ୍ମୃତି ସଂଧ୍ୟା

କଟକ: ଜୀବନୀ ଓ ଆତ୍ମଜୀବନୀ ସମକାଳୀନ ସମାଜର ଚିତ୍ର ସମେତ ଇତିହାସର ସୂଚନା ଦେଇଥାଏ। ଏହା ଉତ୍ତରପିଢ଼ିଙ୍କୁ ପ୍ରେରଣା ଦେଇଥାଏ। ଏଥି ପାଇଁ ପ୍ରତିଭାବାନ ବ୍ୟକ୍ତିଙ୍କ ଜୀବନୀ ଅଧିକ ସଂଖ୍ୟାରେ ପ୍ରକାଶ ପାଇବା ଉଚିତ ବୋଲି ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ସାରଳା ଭବନରେ ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱନାଥ ପଶାୟତଙ୍କ ସ୍ମୃତି ସଂଧ୍ୟାକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଇତିହାସ ବିନା କୌଣସି ଜାତି ସୁଦୃଢ଼ ହୋଇପାରେ ନାହିଁ। ଆମ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ପାଇଁ ଓଡ଼ିଆ ଭାଷା ଦୁର୍ବଳ ହେବାରେ ଲାଗିଛି। ମୋବାଇଲ୍‌ ଫୋନ୍‌ ଆମ ଭାଷାର ଶତ୍ରୁ ସାଜିଛି। ଏହା ସହିତ ସନ୍ଧି କରିବା ସମୟ ଆସିଛି। ମୋବାଇଲ୍‌ ଫୋନ୍‌ରେ ଖବର ପଠାଇବା ବେଳେ ଓଡ଼ିଆ ଭାଷା ବ୍ୟବହାର କରିିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ବିଶ୍ୱନାଥ ପଶାୟତଙ୍କ ସ୍ମ୍ରତିଚାରଣ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ସ୍ୱର୍ଗତ ପଶାୟତ ଗରିବ ନଥିଲେ, ହେଲେ ଗରିବ ପାଇଁ ଲଢ଼େଇ କରୁଥିଲେ। ବିଶ୍ୱନାଥ ପଶାୟତଙ୍କ ଜୀବନୀ ପୁସ୍ତକ ପ୍ରକାଶ କରିବାକୁ ଶ୍ରୀ ପଟ୍ଟନାୟକ ଆୟୋଜକଙ୍କୁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ ଯୋଗ ଦେଇ ବିଶ୍ୱନାଥ ପଶାୟତଙ୍କୁ କ୍ରାନ୍ତିକାରୀ ପୁରୁଷ ଭାବେ ବର୍ଣ୍ଣନା କରିିଥିଲେ। ବିଶ୍ୱନାଥ ପଶାୟତଙ୍କ ଭଳି ସଫଳ ବ୍ୟକ୍ତିମାନଙ୍କ ଜୀବନୀ ଆମ ଜାତିର ନିର୍ଭୂଲ ଇତିହାସ ସଂପର୍କରେ ସୂଚନା ଦେବ ବୋଲି ଡକ୍ଟର ରାୟ କହିଥିଲେ। ମୁଖ୍ୟବକ୍ତା ଭାବେ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ବିଶ୍ୱନାଥ ପଶାୟତଙ୍କ ଗରିମାମୟ ଜୀବନୀ ସଂପର୍କରେ ସୂଚନା ଦେବା ସହିତ ତାଙ୍କୁ ସାମ୍ୟବାଦୀ ବିପ୍ଳବୀ ନେତା ଓ ଆଦର୍ଶ ଆଇନଜୀବୀ ଭାବେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁରଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ବିଶ୍ୱନାଥ ପଶାୟତ ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନସ୍ୱରୂପ ସମ୍ବର୍ଦ୍ଧିତ ପ୍ରତିଭା ଦାଶ ବେନ୍‌ହୁରଙ୍କୁ ୨୫ହଜାର ଟଙ୍କା, ମାନପତ୍ର, ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ବେନ୍‌ହୁର କହିଲେ ଯେ, ଏହା ସାହିତ୍ୟର ସମ୍ମାନ। ଏଥି ପାଇଁ ସେ ଅନୁଷ୍ଠାନ ନିକଟରେ କୃତଜ୍ଞ। ଏହା ସହିତ ଏସ୍‌ସିବି ମେଡିକାଲ ପବ୍ଲିକ୍‌ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ତଏସ୍‌ ପଢ଼ିହାରୀଙ୍କୁ ସମ୍ମାନଜନକ ‘ବିଶ୍ୱନାଥ ପଶାୟତ ଜ୍ଞାନବିଜ୍ଞାନ ସମ୍ମାନ’ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ଦାଶ ବେନହୁରଙ୍କ ପତ୍ନୀ ଡକ୍ଟର ଜୟନ୍ତୀ ପଣ୍ଡାଙ୍କୁ ସଂସଦ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସାରଳା ସାହିିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଇଞ୍ଜିନିୟର ପ୍ରଭାକର ସ୍ୱାଇଁ ସ୍ମୃତି ସଂଧ୍ୟାରେ ଅଧ୍ୟକ୍ଷତା କରି କହିଲେ ଯେ, ବିଶ୍ୱନାଥ ପଶାୟତ ଦେଶ ମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ସଂସଦର ସଂପାଦକ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ବିଶ୍ୱନାଥ ପଶାୟତଙ୍କ ସ୍ମୃତିଚାରଣ କରିଥିଲେ। ନାଟ୍ୟକାର ସଞ୍ଜିତ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସରିତା ଦାସ ମାନପତ୍ର ପାଠ କରିଥିଲେ। ଉତ୍ସବରେ ଜଷ୍ଟିସ୍‌ ଅରିଜିତ ପଶାୟତ, ସୁବଳା ପଶାୟତ, ଜଷ୍ଟିସ୍‌ ଅଶୋକ କୁମାର ସାମନ୍ତରାୟ, ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ, ଡାକ୍ତର ନିମାଇଁ ଚରଣ ପରିଜା, ଡାକ୍ତର ନିରଦ କୁମାର ଗଚ୍ଛାୟତ, ଆଇନଜୀବୀ ଧରଣୀଧର ନାୟକ, ଡାକ୍ତର ପ୍ରତାପ କିଶୋର ମହାନ୍ତି, ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଡକ୍ଟର ମହେଶ୍ୱର ମହାନ୍ତି, ଜୟନ୍ତୀ ପଣ୍ଡା, ଗାଳ୍ପିକା ରୁମ୍‌ଝୁମ୍‌ ନାୟକ, ଡକ୍ଟର ପ୍ରଭାତୀ ମିଶ୍ର, ପ୍ରକାଶକ ପିତାମ୍ବର ମିଶ୍ର, ନିର୍ମଳ କୁମାର ପହୀ, ବିଜୟଲକ୍ଷ୍ମୀ ନାୟକ ପ୍ରମୁଖ ବିଶ୍ୱନାଥ ପଶାୟତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶିକ୍ଷାବିତ କୈଳାସ ଚନ୍ଦ୍ର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର