ଭୁବନେଶ୍ବର/କଟକ: ୨୦୦୬ରେ ବହୁ ଚର୍ଚ୍ଚିତ ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ ଘଟଣାରେ ଫସିଥିବା ପୂର୍ବତନ ପୁଲିସ ଡିଜି (ଜେଲ୍ ବିଭାଗ) ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବୀତିହୋତ୍ର ମହାନ୍ତିଙ୍କର କର୍କଟ ରୋଗରେ ମୃତ୍ୟୁ ଘଟିଛି। ଚୌଦ୍ବାର ସର୍କଲ ଜେଲରେ ଥିବା ବୀତିହୋତ୍ର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ଓଡ଼ିଶାର ପୂର୍ବତନ ପୁଲିସ ଡିଜି ତଥା ୧୯୭୨ ବ୍ୟାଚ୍ ଆଇପିଏସ୍ ଅଫିସର ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବୀତିହୋତ୍ର ମହାନ୍ତି ୨୦୦୬ରେ ଜର୍ମାନୀର ଜଣେ ମହିଳା ସହପାଠୀଙ୍କୁ ରାଜସ୍ଥାନର ଓଲଵାରରେ ଦୁଷ୍କର୍ମ କରିଥିଲେ। ସେତେବେଳେ ସେ ଦିଲ୍ଲୀର ଏକ ଶିକ୍ଷାନୁଷ୍ଠାନରେ ମ୍ୟାନେଜମେଣ୍ଟ ଛାତ୍ର ଥିଲେ। ତାଙ୍କ ବୟସ ମାତ୍ର ୨୫ ବର୍ଷ ଥିଲା। ଏହି ଘଟଣାରେ ସେହିବର୍ଷ ଏପ୍ରିଲ ୧୨ରେ ତାଙ୍କୁ ଗିରଫ କରିବା ପରେ ଜୟପୁର ଫାଷ୍ଟଟ୍ରାକ୍ କୋର୍ଟ ୭ ବର୍ଷ ଜେଲ୍ ଦଣ୍ଡ ଶୁଣାଇଥିଲେ। ୨୦୦୬ ନଭେମ୍ବର ୨୦ରେ ବୀତିହୋତ୍ର ତାଙ୍କ ରୋଗଗ୍ରସ୍ତ ମା’ଙ୍କୁ ଭେଟିବାକୁ ୧୪ ଦିନିଆ ପାରୋଲରେ ଆସି ଫେରାର ହୋଇଯାଇଥିଲେ। ସାତ ବର୍ଷ ପରେ ଅର୍ଥାତ ୨୦୧୩ ମାର୍ଚ୍ଚରେ ତାଙ୍କୁ କେରଳର ତିରୁବନନ୍ତପୁରମରୁ ଗିରଫ କରାଯାଇଥିଲା। ସେଠାରେ ସେ ନିଜକୁ ରାଘବ ରଞ୍ଜନ ପରିଚୟ ଦେଇ ଏକ ବ୍ୟାଙ୍କରେ ଚାକିରି କରିଥିଲେ। ୨୦୨୧ରେ ସୁପ୍ରିମକୋର୍ଟ ବୀତିହୋତ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ ତାଙ୍କୁ ଅଢ଼େଇ ଲକ୍ଷ ଟଙ୍କା ଜାମିନରେ ଛାଡ଼ିଥିଲେ। ଜାମିନ ସମୟରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସରେ ମାସିକ ହାଜର ହେବା ସହିତ ଯଦି ପାସପୋର୍ଟ ଅଛି ତେବେ ତାକୁ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ସର୍ତମୂଳକ ଜାମିନରେ ଥିବା ବୀତିହୋତ୍ର ଆଇନରେ ସ୍ନାତକୋତ୍ତର ପାସ୍ କରିଥିଲେ। ହାଇକୋର୍ଟରେ ୪ଟି ମାମଲା ବି ଲଢ଼ି ଜିତିଥିଲେ। ଏହାରି ଭିତରେ ୨୦୨୩ ଅକ୍ଟୋବରରେ ବିତିହୋତ୍ରଙ୍କର କ୍ୟାନସର ଚିହ୍ନଟ ହୋଇଥିଲା। କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ସେ ଚିକିତ୍ସିତ ହେଉଥିଲେ। ଜୁନ ୫ ପୂର୍ବରୁ ରାଜସ୍ଥାନ ଜେଲରେ ଆତ୍ମସମର୍ପଣ କରିବାକୁ ତାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ ଶାରୀରିକ ଅସୁସ୍ଥତା ଦର୍ଶାଇ ପ୍ରାୟ ୨ ମାସ ତଳେ ଚୌଦ୍ୱାର ସର୍କଲ ଜେଲରେ ଆତ୍ମସମର୍ପଣ କରିଥିଲେ। କିନ୍ତୁ ଜେଲରେ ତାଙ୍କର ଅଧିକ ରକ୍ତସ୍ରାବ ହେବାରୁ ଚିକିତ୍ସା ପାଇଁ ବୀତିହୋତ୍ରଙ୍କୁ ଗଲା ଦେଢ଼ମାସ ତଳେ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ପରଲୋକ ପରେ ଶବ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ବର୍ଗଦ୍ବାରରେ ସଂସ୍କାର କରାଯାଇଛି।