ସରକାରଙ୍କ ବିଚିତ୍ର ନିଷ୍ପତ୍ତି! ଭଙ୍ଗାଯିବ ଲୋକସମ୍ପର୍କ ଭବନ, ତୋଳାଯିବ ଓଏମ୍‌ସି ଅଫିସ

ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ଏବେ ଅଜବ ନିଶା ଘାରିଛି। ଭାଙ୍ଗିବା ଓ ଗଢ଼ିବା। ଏହି ନିଶା ଏବେ ଏମିତି ମୁଣ୍ଡକୁ ଚଢ଼ିଛି ଯେ କରୋନା ଜନିତ ଆର୍ଥିକ ସ୍ଥିତିକୁ ବି ନଜର ନାହିଁ। ନୂଆ ପ୍ରକଳ୍ପ କରି କୋଟି କୋଟି କୋଟି ଟଙ୍କା ଖର୍ଚ୍ଚ କରିବାର ବାଟ ଖୋଲି ଦିଆଯାଉଛି। ଏବେ ଲୋଲୁପ ଦୃଷ୍ଟି ପଡ଼ିଛି ଲୋକସମ୍ପର୍କ ଭବନ ଉପରେ। ଏହି ଭବନକୁ ମାଟିରେ ମିଶାଇ ସେଠାରେ ଅତ୍ୟାଧୁନିକ କୋଠା ତିଆରି କରିବ ଓଡ଼ିଶା ଖଣି ନିଗମ(ଓଏମ୍‌ସି)। ସେହି ଭବନରେ ଓଏମ୍‌ସି ନିଜର କାର୍ଯ୍ୟାଳୟ ଖୋଲିବା ସହ ବାକି ଅଂଶକୁ ଭଡ଼ା ଦେବ। ପ୍ରଶାସନିକ ସ୍ତରରେ ଏପରି ଏକ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଦୁଇଟି ସରକାରୀ ସଂସ୍ଥାର ସ୍ଥାନ ପରିବର୍ତ୍ତନ କରି ହଜାରେ କୋଟିରୁ ଅଧିକ ଟଙ୍କା ସ୍ବାହା କରିବାର ଯୋଜନା ପଛରେ ଉଦ୍ଦେଶ୍ୟ କ’ଣ ତାହା ବୁଝାପଡ଼ୁନି।

ରାଜ୍ୟ ଅତିଥି ଭବନକୁ ଲାଗି କୃଷି ଭବନ। କୃଷି ଭବନ ପାଚେରିକୁ ଲାଗି ୩ ଏକରରୁ ଅଧିକ ପରିମିତ ଜମିରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ଭବନ କାର୍ଯ୍ୟାଳୟ ଚାଲୁଛି। ସେଠାରେ ଥିବା ଲୋକସମ୍ପର୍କ ଭବନର କୋଠା ସମ୍ପୂର୍ଣ୍ଣ ଭାବେ ଠିକ୍‌ଠାକ୍‌ ଅଛି। ସମୟସ୍ରୋତରେ ସରକାର କ୍ଷମତାକୁ ଆସିଛନ୍ତି ଓ ଯାଇଛନ୍ତି। ଏ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ସେମାନଙ୍କ ସରକାରଙ୍କ କାର୍ଯ୍ୟାବଳୀକୁ ସ୍ମୃତିରେ ସାଇତି ରଖିବାରେ ଏହି ଭବନ ମୁକ ସାକ୍ଷୀ। ରାଜ୍ୟ ସରକାରଙ୍କ ସମସ୍ତ ଘଟଣାବଳୀର ଭିଡିଓ ଓ ସ୍ଥିର ଚିତ୍ର ସାଙ୍ଗକୁ ପ୍ରାମାଣିକ ଚଳଚିତ୍ର, ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ରେକର୍ଡ଼ିଂ ସବୁ ସାଇତି ରଖାଯାଇଥାଏ। ଏବେ ପ୍ରଶାସନିକ ନିଷ୍ପତ୍ତି ମୁତାବକ, ଓଏମ୍‌ସି କାର୍ଯ୍ୟାଳୟକୁ ଏଠାକୁ ସ୍ଥାନାନ୍ତର କରାଯିବ। ସେଠାରେ ଓଏମ୍‌ସି ପ୍ରଚୁର ଅର୍ଥ ଖର୍ଚ୍ଚ କରି ନିଜର କାର୍ଯ୍ୟାଳୟ କରିବା ସହିତ ଅନ୍ୟକୁ ଭଡ଼ା ଦେବା ପାଇଁ ବହୁତଳ ପ୍ରାସାଦ ବ୍ୟବସାୟିକ ଅଫିସ୍‌ କମ୍ପ୍ଲେକ୍‌ସ କରିବାକୁ ଯୋଜନା କରିଛି। ଆଉ ଲୋକସମ୍ପର୍କ କାର୍ଯ୍ୟାଳୟଟିକୁ ଏବେ ଚାଲୁଥିବା ଓଏମ୍‌ସି ଅଫିସକୁ ସ୍ଥାନାନ୍ତର ହେବ।

ଅଫିସର ବାବୁମାନଙ୍କର ଏପରି ନିଷ୍ପତ୍ତିକୁ ନେଇ ଖୋଦ ସରକାରୀ ଅଧିକାରୀଙ୍କ ଭିତରେ ଭିନ୍ନ ମତ ପ୍ରକାଶ ପାଇଛି। କିଛି ଅଧିକାରୀଙ୍କ କହିବା କଥା, କୌଣସି ବି ପରିସ୍ଥିତିରେ ସୂଚନା ଓ ଲୋକସମ୍ପର୍କ ଭବନକୁ ଭଙ୍ଗା ନ ଯାଉ। ଯଦି ଓଏମ୍‌ସି ନିଜସ୍ବ ଆୟ ବୃଦ୍ଧି କରିବାକୁ ଚାହୁଁଛି, ତାହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ସାମନା ଓ ଖାରବେଳ ଭବନ ପାଖରେ ବିନା ନିର୍ମାଣରେ ସରକାରୀ ଜମି ପଡ଼ିରହିଛି। ସେଠାରେ ବ୍ୟାବସାୟିକ କମ୍ପ୍ଲେକ୍ସ ପାଇଁ ନିର୍ମାଣ କରି ଭଡ଼ା ଦିଆଯାଇପାରିବ। କୋଠା ଭାଙ୍ଗିବା ନିଷ୍ପତ୍ତି ଉଚିତ ନୁହେଁ। ବର୍ତ୍ତମାନ ସ୍ଥିତିରେ ଲୋକସମ୍ପର୍କ କୋଠା ଭାଙ୍ଗିବାର ଆବଶ୍ୟକତା ବି କିଛି ନାହିଁ। ପୁରୀ ସୌନ୍ଦର୍ଯ୍ୟୀକରଣ ପାଇଁ ଐତିହ୍ୟ ବହନ କରୁଥିବା ବହୁ ପୁରୁଣା ମଠକୁ ସରକାର ଭାଙ୍ଗିଦେଲେ। ଏବେ ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ କିଛି ମଠ ଭଙ୍ଗାସରିଲାଣି। ଐତିହ୍ୟ କୀର୍ତ୍ତୀରାଜି ଓ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିର ସ୍ବାକ୍ଷର ବହନ କରୁଥିବା ପୁରାତନ ସୌଧଗୁଡ଼ିକୁ ସୁରକ୍ଷିତ ରଖିବା ସରକାରଙ୍କ ଦାୟିତ୍ବ। କିନ୍ତୁ ପ୍ରଶାସନିକ ସ୍ତରରେ ଯେପରି ନିଷ୍ପତ୍ତି ନିଆଯାଉଛି, ସେଥିରେ କେବଳ ରାଜକୋଷକୁ ଖାଲି କରିବାକୁ ସବୁ ଯୋଜନା କରାଯାଉଛି ବୋଲି ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ସମ୍ବନ୍ଧିତ ଖବର