ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବ ନେଇ ରାଜଭବନର ବିଚିତ୍ର ନିଷ୍ପତ୍ତି: ସରକାରୀକୁ ନା, ଘରୋଇକୁ ହଁ

ଭୁବନେଶ୍ବର : ନଭେମ୍ବର ମାସରେ ଓଡ଼ିଶାରେ କରୋନା ଭୂତାଣୁର ଓମିକ୍ରନ୍‌ ଭାରିଏଣ୍ଟ ଚିହ୍ନଟ ହୋଇ ନ ଥିଲା। ମାତ୍ର ରାଜଭବନ ପକ୍ଷରୁ ନିଷ୍ପତ୍ତି ନିଆଗଲା ଯେ ଏବର୍ଷ ରାଜ୍ୟର କୌଣସି ସରକାରୀ ବିଶ୍ବବିଦ୍ୟାଳୟରେ ସମାବର୍ତନ ଉତ୍ସବ ହେବନି। ରାଜ୍ୟପାଳଙ୍କ ସଚିବାଳୟର ଅତିରିକ୍ତ ସଚିବ ଚିତ୍ତରଞ୍ଜନ ମହାନ୍ତି ନଭେମ୍ବର ୩୦ରେ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଚିଠି ଲେଖି ଏନେଇ ଅବଗତ କରିଥିଲେ। ଏମିତିକି ସମାବର୍ତନ ଉତ୍ସବ ବଦଳରେ ଛାତ୍ରଛାତ୍ରୀଙ୍କ ନିକଟକୁ ଡାକ ଯୋଗେ ଡିଗ୍ରି ସାର୍ଟିଫିକେଟ୍‌ ପଠାଇବାକୁ କହିଲେ। ଯଦି ସମାବର୍ତନ ଉତ୍ସବ ଲାଗି କୁଳାଧିପତି କୌଣସି ବିଶ୍ବବିଦ୍ୟାଳୟକୁ ସହମତି ଦେଇଛନ୍ତି ତେବେ ତାହାକୁ ପ୍ରତ୍ୟାହାର କରାଗଲା ବୋଲି ଅତିରିକ୍ତ ସଚିବ ଶ୍ରୀ ମହାନ୍ତି ଉଲ୍ଲେଖ କରିଥିଲେ।

ଇତିମଧ୍ୟରେ ତିନି ମାସ ବିତିଲାଣି। କରୋନା ସଂକ୍ରମଣ ବି କମିଲାଣି। ଜୀବନଯାତ୍ରା ସ୍ବାଭାବିକ ଅବସ୍ଥାକୁ ଫେରିଲାଣି। କରୋନା କଟକଣା ମଧ୍ୟ ହଟିଛି। ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସ୍ବାଭାବିକ ଭାବେ ଚାଲିଛି। କାର୍ଯ୍ୟକ୍ରମ ମଧ୍ୟ ହେଉଛି। ହେଲେ ସମାବର୍ତନ ଉତ୍ସବ ନ କରିବା ନିଷ୍ପତ୍ତିରେ ଅଟଳ ରହିଛି ରାଜଭବନ। ସମାବର୍ତନ ଉତ୍ସବ କରିବାକୁ ବିଶ୍ବବିଦ୍ୟାଳୟକୁ ଏପର୍ଯ୍ୟନ୍ତ ଅନୁମତି ଦିଆଯାଇ ନାହିଁ। ଗୋଟିଏ ପଟେ ସରକାରୀ ବିଶ୍ବବିଦ୍ୟାଳୟ ଲାଗି କଟକଣା ଲାଗିଥିବା ବେଳେ ଅନ୍ୟପଟେ ଘ‌ରୋଇ ବିଶ୍ବବିଦ୍ୟାଳୟରେ ସମାବର୍ତନ ଉତ୍ସବ ଅନୁଷ୍ଠିତ ହେଉଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଉପସ୍ଥିତ ରହି ଦୀକ୍ଷାନ୍ତ ଭାଷଣ ଦେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଭେଟୁଛନ୍ତି। ଡିଗ୍ରି ମଧ୍ୟ ପ୍ରଦାନ କରୁଛନ୍ତି। ଯାହାକୁ ନେଇ ସରକାରୀ ବିଶ୍ବବିଦ୍ୟାଳୟର ଡିଗ୍ରି ପାଇବାକୁ ଥିବା ଛାତ୍ରଛାତ୍ରୀ ପ୍ରଶ୍ନ ଉଠାଇଛନ୍ତି।

ସେମାନେ କହିଛନ୍ତି ଯେ ସରକାରୀ ବିଶ୍ବବିଦ୍ୟାଳୟରେ କ’ଣ କରୋନା ପଶିଯାଉଛି। ଯେତେବେଳେ ସାରା ରାଜ୍ୟରେ ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଫେରିଛି ସେଭଳି ସ୍ଥଳେ କ’ଣ ପାଇଁ ଏହି କଟକଣା। ଏହା ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତିଙ୍କ ନିଷ୍ପତ୍ତି ନା ଅଧିକାରୀଙ୍କ ମନମାନି। କରୋନାକୁ ନଜରରେ ରଖି ଗୋଟିଏ ବର୍ଷ ଲାଗି ସମାବର୍ତନ ଉତ୍ସବ ନ କରିବା କେତେଦୂର ଯୁକ୍ତିଯୁକ୍ତ। ଏହାଦ୍ବାରା କାହାର କ’ଣ ଲାଭ ହେଉଛି ତାହା ଜଣାନାହିଁ। ମାତ୍ର ଆମ ଭଳି ପିଲାମାନେ ସମାବର୍ତନ ଉତ୍ସବରେ ଡିଗ୍ରି ନ ପାଇବା ଦୁଃଖ ଲାଗୁଛି। ଆମମାନଙ୍କ ପ୍ରତି ଏଭଳି ଅନ୍ୟାୟ ଠିକ୍‌ ନୁହେଁ। କରୋନା ସଂକ୍ରମଣ କମିଥିବାରୁ ଯେତେଶୀଘ୍ର ସମ୍ଭବ ସମାବର୍ତନ ଉତ୍ସବ ଲାଗି ଅନୁମତି ଦିଆଯାଉ।

କରୋନା ଭୟରେ ସମାବର୍ତନ ଉତ୍ସବକୁ ମନା ଥିବା ବେଳେ ଅନ୍ତଃବିଶ୍ବବିଦ୍ୟାଳୟ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତା ଚାଲିଛି। ଗତ ୪ରୁ ୭ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କାର୍ଯ୍ୟକ୍ରମ କରାଯାଇଛି। ଆସନ୍ତା ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଓ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଯେଉଁଥିରେ ସାରା ରାଜ୍ୟର ଶତାଧିକ ପିଲା ଏକାଠି ହେଉଛନ୍ତି। ସେଠାରେ କରୋନା ବ୍ୟାପିବନି ତ? ସେହିପରି ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଗୁରୁବାର ଆୱାର୍ଡ ଗିଭିଙ୍ଗ୍‌ ଉତ୍ସବ ଅନୁଷ୍ଠିତ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ଡକ୍ଟୋରାଲ ଡିଗ୍ରି, ଗୋଲ୍ଡ ମେଡାଲ ପରି ବିଭିନ୍ନ ପୁରସ୍କାର ପ୍ରଦାନ କରାଯିବାର ଥିଲା। ମାତ୍ର ଏବେ ତାହାକୁ ବାତିଲ୍‌ କରାଯାଇଥିବା ଜଣାପଡ଼ିଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ଆଜି ରିସର୍ଚ୍ଚ ସ୍କଲାର କନ୍‌କ୍ଲେଭ୍‌ରେ ବହୁ ସଂଖ୍ୟକ ଛାତ୍ରୀ ସାମିଲ ହୋଇଥିଲେ।

ଶିକ୍ଷାବିତ୍‌ଙ୍କ ମତରେ ସମାବର୍ତନ ଉତ୍ସବ ପାଳିତ ହୋଇଥିଲେ ବିଶ୍ବବିଦ୍ୟାଳୟଗୁଡ଼ିକ ନା‌କ୍‌ ମାନ୍ୟତା ସମୟରେ ଲାଭବାନ ହୋଇଥାନ୍ତି। ବର୍ତମାନ ଏହାକୁ ବନ୍ଦ କରାଯିବା ଦ୍ବାରା ତାହା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ବିଶ୍ବବିଦ୍ୟାଳୟ ବିଧି ଅନୁଯାୟୀ କୁଳାଧିପତି ସମାବର୍ତନ ଉତ୍ସବରେ ଯୋଗ ନ ଦେଇପାରିଲେ କୁଳପତି ସମାବର୍ତନ ଉତ୍ସବ କରିପାରିବା ବିଧି ରହିଛି। ସମ୍ପୂର୍ଣ୍ଣ ବନ୍ଦ କରାଯିବା ଦ୍ବାରା ପଦକ ଓ ଡିଗ୍ରିଧାରୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେବ। କୁଳାଧିପତି ଏଭଳି ଘଟଣାରେ ହସ୍ତକ୍ଷେପ କରିବା ସହ ସମାବର୍ତନ ଉତ୍ସବ ଲାଗି ଅନୁମତି ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର