ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବି ବଦଳିଗଲା : ସଂସ୍କୃତି ବିଭାଗର ବିଚିତ୍ର ସ୍ଥିତି

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ନି‌େର୍ଦ୍ଦଶକୁ ବି ବିଭାଗ ମାନିବାକୁ ପ୍ରସ୍ତୁତ ନୁହେଁ। ସଂସ୍କୃତି ନିର୍ଦ୍ଦେଶକ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ନିଯୁକ୍ତିରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ତତ୍‌କାଳୀନ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ ଗତ ୩୧ ତାରିଖରେ ଅବସର ଗ୍ରହଣ କରିଥିଲେ। ତାଙ୍କ ପରେ ବିଭାଗର ଅତିରିକ୍ତ ଶାସନ ସଚିବ ରଞ୍ଜନ ଦାସ ନିର୍ଦ୍ଦେଶକ ଦାୟିତ୍ବରେ ରହିବା ପାଇଁ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା। ଏହା ସହ ଶ୍ରୀ ଦାସ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ବୋଲି ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା। ଗତ ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଉଭୟ ପ୍ରସ୍ତାବକୁ ସ୍ବୀକୃତି ଦେଇଥିଲେ।

ଗତକାଲି ଶ୍ରୀ ଦାସ ସଂସ୍କୃତି ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ। କିନ୍ତୁ ଓଡ଼ିଆ ଭ‌ାଷା ପ୍ରତିଷ୍ଠାନର ଦାୟିତ୍ବ ନେଲେ ନାହିଁ। ତାଙ୍କୁ ଦୁଇଟି ଦାୟିତ୍ବ ଦିଆଯିବ ବୋଲି ଗୋଟିଏ ଫାଇଲ୍‌ରେ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଲେ। କିନ୍ତୁ ଶ୍ରୀ ଦାସଙ୍କୁ ଗୋଟିଏ ଦାୟିତ୍ବ ଦିଆଯାଇ ଆଉ ଗୋଟିଏ ଦାୟିତ୍ବ ସମ୍ପର୍କରେ ବିଭାଗ ନୀରବ ରହିଲା। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ସତ୍ତ୍ବେ ବିଭାଗ ପକ୍ଷରୁ ୧୩ ଦିନ ହେଲା ଏ ସମ୍ପର୍କରେ ବିଜ୍ଞପ୍ତି ଜାରି ନ ହେବା ଆଶ୍ଚର୍ଯ୍ୟର ବିଷୟ। ‌ଓଡ଼ିଆ ଭ‌ାଷା ପ୍ରତିଷ୍ଠାନର ପୂଣ୍ଣର୍କାଳୀନ ନିର୍ଦ୍ଦେଶକ ଏ ଯାଏ ନିଯୁକ୍ତି ହୋଇ ନ ଥିଲା ବେଳେ ସଂସ୍କୃତି ନି‌େର୍ଦ୍ଦଶକ ଏହି ଦାୟିତ୍ବରେ ରହିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ ଉଠୁଛି। କାହା ସ୍ବାର୍ଥକୁ ଆଖି ଆଗରେ ରଖି ସଂସ୍କୃତି ବିଭାଗରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଚାପି ଦିଆଗଲା, ତାହା ଏବେ ଚର୍ଚ୍ଚାର ବିଷୟ‌ ହୋଇଛି।

ସମ୍ବନ୍ଧିତ ଖବର