ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍ ଛକ କଂଗ୍ରେସ ଭବନ ସମ୍ମୁଖରେ ଆଜି ଏକ ନିଆରା ବାହାଘର ଉତ୍ସବ ଦେଖିବାକୁ ମିଳିଛି। ବାହାଘରରେ ବିଜେପି ବର ଓ ବିଜେଡି କନ୍ୟା ସାଜିଥିଲା। ଏଥିପାଇଁ ନିମନ୍ତ୍ରଣ ପତ୍ର ମଧ୍ୟ ଆଗରୁ ବଣ୍ଟାଯାଇଥିଲା। ହିନ୍ଦୁ ରୀତିନୀତି ଅନୁଯାୟୀ ସ୍ବତନ୍ତ୍ର ବେଦୀ ଉପରେ ଏହି ବାହାଘର ଉତ୍ସବ କରାଇଥିଲା କଂଗ୍ରେସ। ଛାତ୍ର କଂଗ୍ରେସ ପକ୍ଷରୁ ଆୟୋଜିତ ଏଭଳି ବାହାଘର ଆଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ଉଭୟ ବର ଓ କନ୍ୟା ପକ୍ଷରେ ଛାତ୍ର କଂଗ୍ରେସ କର୍ମୀମାନେ ରହି ବିଭିନ୍ନ ନେତାଙ୍କ ମାସ୍କ ପିନ୍ଧି ବାହାଘରରେ ସାମିଲ ହୋଇଥିଲେ। ଶଙ୍ଖ ଓ ପଦ୍ମ ମାସ୍କ ପିନ୍ଧି ବେଦୀରେ ବସିଥିଲେ କଂଗ୍ରେସ କର୍ମୀ। ସ୍ବତନ୍ତ୍ର ଭାବେ ବ୍ରାହ୍ମଣ ବିବାହ କରାଇବା ସହ ହାତଗଣ୍ଠି ଫିଟାଯାଇଥିଲା। ବରକନ୍ୟା ବେଦୀ ଚାରିପଟେ ୭ଥର ବୁଲିଥିଲେ। ଏହି କାର୍ଯ୍ୟକ୍ରମରେ ବାଜା ଓ ଡିଜେ ବାଜିଥିଲା, ବାଣ ବି ଫୁଟିଥିଲା। ବିଜେପି ଓ ବିଜେଡି ପରସ୍ପରକୁ ଫୁଲ ହାର ଦେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେଲେଙ୍ଗାନାରେ ଯେପରି ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିଲା, ଓଡ଼ିଶାରେ ମଧ୍ୟ ସେହି ରାସ୍ତା ଆପଣାଇଛି ରାଜ୍ୟ ଛାତ୍ର କଂଗ୍ରେସ। କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ନିଜେ ଉପସ୍ଥିତ ରହି ଛାତ୍ର କଂଗ୍ରେସ କର୍ମୀମାନଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା। ଛାତ୍ର କଂଗ୍ରେସ ସଭାପତି ୟାସିର ନଓ୍ୱାଜ କହିଛନ୍ତି, ବିଜେପି-ବିଜେଡି ଦୁଇଟି ଦଳ ସ୍ବାମୀ ସ୍ତ୍ରୀ ଭଳି ରହୁଛନ୍ତି। ଦୀର୍ଘ ୨୪ ବର୍ଷ ଲିଭ-ଇନ୍ ସମ୍ପର୍କରେ ରହିଲେ।
ଓଡ଼ିଶାରେ ଏହି ଲିଭ-ଇନ୍ ସମ୍ପର୍କ ଗ୍ରହଣୀୟ ନୁହେଁ। ତେଣୁ ଏମାନଙ୍କୁ ଆମେ ବିବାହ କରାଇଦେଲୁ। ବିଜେଡି ଓ ବିଜେପି ସବୁ ନିଷ୍ପତ୍ତିରେ ଏକ। କେବଳ ଲୋକଙ୍କୁ ଦେଖାଇବା ପାଇଁ ବିଧାନସଭାରେ କଳିର ଡ୍ରାମା କରନ୍ତି। କିନ୍ତୁ ଲୋକସଭାରେ ଏମାନଙ୍କର ଭୂମିକା ସ୍ୱାମୀ-ସ୍ତ୍ରୀ ପରି। କଳା କୃଷି ଆଇନ, ଏନଆରସି, ସିଏଏ, ମଣିପୁର ଦଙ୍ଗା, ଜିଏସ୍ଟି ବୋଝ, ବିମୁଦ୍ରୀକରଣର ବିପର୍ଯ୍ୟସ୍ତ ପରିସ୍ଥିତି, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ପ୍ରଭୃତି ପ୍ରସଙ୍ଗରେ ସଂସଦରେ ଏହି ଦୁଇ ଦଳର ଭୂମିକା ସ୍ୱାମୀ-ସ୍ତ୍ରୀ ଭଳି ପରିଲକ୍ଷିତ ହୋଇଛି। ଏଣୁ ତାଙ୍କର ସୁସମ୍ପର୍କକୁ ହୃଦୟଙ୍ଗମ କରି ଛାତ୍ର କଂଗ୍ରେସ ଏହି ବିବାହ ଉତ୍ସବ ଆୟୋଜନ କରିଥିବା ସେ କହିଥିଲେ।
ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, ବିଜୟ ପଟ୍ଟନାୟକ, ମାନସ ଚୌଧୁରୀ ଓ ରଣଜିତ ପାତ୍ରଙ୍କ ସମେତ ପ୍ରକାଶ ମିଶ୍ର, ସଂକୁନା କହଁର, ଅଜୟ ସାହୁ, ମହମ୍ମଦ ଗୁଲଫାମ, କାର୍ତ୍ତିକେଶ୍ୱର କାଣ୍ଡି, ଭାଗ୍ୟଶ୍ରୀ ମହାନ୍ତି, ସୁବ୍ରତ ମହାପାତ୍ର, ଉଦିତ ପ୍ରଧାନ, ରଣଜିତ ସେନାପତି, ଲିପିକା ପାତ୍ର, ସ୍ପନ୍ଦନ ସ୍ୱାଇଁ, ପ୍ରଦୀପ ମହାପାତ୍ର, ସାଗର ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ଗୋପନ ମାର୍ଥା, ସନ୍ଦୀପ ରାଉତରାୟ, ଆର୍ଯ୍ୟାନ ସାସମଲ, ସୁଦୀପ ସାମଲ, ବିଶ୍ୱଭୂଷଣ ମହାପାତ୍ର, ସରୋଜ ବାରିକ, ସୁରଜ ରାଉତ, ରାଜେଶ ବାରିକ, ଯୁବରାଜ ମହାନ୍ତି, ସୌମ୍ୟରଞ୍ଜନ ବରାଳ, ଜୟକୃଷ୍ଣ ସୁବୁଦ୍ଧି, ବଳରାମ ନନ୍ଦ, ବଳରାମ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।