ବରଗଡ଼: ବରଗଡ଼ ଲୋକସଭାରେ ବିଜେଡି ଖେଳିଛି ମହିଳା କାର୍ଡ। ବିଜେଡିରୁ ପରିଣୀତା ମିଶ୍ର ସାଂସଦ ପ୍ରାର୍ଥୀ ହୋଇଛନ୍ତି। ଆଜି ସେ ତାଙ୍କ ସ୍ୱାମୀ ସୁଶାନ୍ତ ମିଶ୍ରଙ୍କ ସହ ବିଜେଡିରେ ଯୋଗଦେଇ ଟିକେଟ୍‌ ହାତେଇଛନ୍ତି। ସୁଶାନ୍ତ ମିଶ୍ର ବରଗଡ଼ ଜିଲ୍ଲା ବିଜେପି ଉପସଭାପତି ରହିଥିଲେ। ସକାଳୁ ସେ ରାଜ୍ୟ ସଭାପତିଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଥିଲେ। ବିଜେପି ତାଙ୍କୁ କ୍ରମାଗତ ଦୁଇଥର ଅଣଦେଖା କରିଥିବାରୁ ସେ ଦଳରୁ ଇସ୍ତଫା ଦେଇଥିବା ଜଣାଯାଇଛି। ଏହାପୂର୍ବରୁ ସୁଶାନ୍ତ କଂଗ୍ରେସରେ ମଧ୍ୟ ଜଣେ ଟାଣୁଆ ନେତା ଭାବରେ ନିଜର ପ୍ରଭାବ ରଖିଥିଲେ।

Advertisment

ଗତ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳରୁ ଭଟଲି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିଲେ। କିନ୍ତୁ ଟିକେଟ ନପାଇବାରୁ ସେ ଭଟଲି ନିର୍ବାଚନମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିଲେ। ନିର୍ବାଚନରେ ବିଜେଡି ବାଜିମାତ କରିଥିଲେ ବି ସୁଶାନ୍ତ ଦ୍ୱିତୀୟ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ସମୟରେ ସେ ବିଜେପିରେ ଯୋଗଦେଇ ସଂଗଠନ ବଢ଼ାଇଥିଲେ। କିନ୍ତୁ, ଦଳ ୨୦୧୯ ନିର୍ବାଚନରେ ତାଙ୍କୁ ଟିକେଟ ଦେଇନଥିଲା। ଏଥର ମଧ୍ୟ ସେ ଆଶାୟୀ ଥିବାବେଳେ ଦଳ ତାଙ୍କୁ ଟିକେଟ ଦେଇନାହିଁ। ଫଳରେ, ଆଜି ସେ ପତ୍ନୀ ପରିଣୀତାଙ୍କ ସହିତ ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦେଇଥିଲେ। ଏହାପରେ ସଂଧ୍ୟାରେ ପରିଣୀତାଙ୍କ ନାମ ବିଜେଡିର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।