ମହିଳାଙ୍କୁ ସମ୍ମାନ ନବୀନଙ୍କ ଏକ ରାଜନୈତିକ ନାରା: ବିଜେପି

୫୦ ବହୁଚର୍ଚ୍ଚିତ ଗଣଦୁଷ୍କର୍ମର ତାଲିକା ଜାରି ହେଲା

ଭୁ‌ବନେଶ୍ବର: ୩୩ ପ୍ରତିଶତ ଲୋକସଭା ଆସନରେ ବିଜେଡି ମହିଳାଙ୍କୁ ନିର୍ବାଚନ ଲଢ଼ାଉଥିବା ଦାବି କରୁଥିବା ବେଳେ ୧୯ ବର୍ଷ ଶାସନରେ ରାଜ୍ୟରେ ମହିଳାଙ୍କ ସ୍ଥିତି କାହିଁକି ଦୟନୀୟ ରହିଛି ବୋଲି ପ୍ରଶ୍ନ କରିଛି ବିଜେପି। ୨୦୧୭ ଜାନୁଆରିରୁ ୨୦୧୮ ଜାନୁଆରି ମଧ୍ୟରେ ବହୁଚର୍ଚ୍ଚିତ ୫୦ଟି ଗଣଦୁଷ୍କର୍ମ ମାମଲାର ତାଲିକା ଜାରି କରିବା ସହ ମହିଳାଙ୍କୁ ସମ୍ମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ରାଜନୈତିକ ନାରା ବୋଲି ଦଳ ଆକ୍ଷେପ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଲେ, ବିଜେଡିର ୧୯ ବର୍ଷ ଶାସନରେ ରାଜ୍ୟରେ ମହିଳାଙ୍କ ସମ୍ମାନ, ସୁରକ୍ଷା ଓ ବିକାଶ ରସାତଳଗାମୀ ହୋଇଯାଇଛି। ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ପଛୁଆ ଆଦିବାସୀ ଝିଅମାନେ ଅଧିକ ନିର୍ଯ୍ୟାତିତ ହୋଇଛନ୍ତି। ବିଧାନସଭାରେ ଖୋଦ୍ ରାଜ୍ୟ ସରକାର ସ୍ବୀକାର କରିଛନ୍ତି ଯେ ସରକାରଙ୍କ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟମାନଙ୍କରେ ୧୨ ଜଣ ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ସନ୍ତାନ ପ୍ରସବ ମଧ୍ୟ କରିଛନ୍ତି। ୨୦୧୭-୧୮ ବର୍ଷରେ ୪୪୫ ଜଣ ଅନୁସୂଚିତ ଜାତି ଓ ଜନଜାତିର ମହିଳା ଦୁଷ୍କର୍ମର ଶୀକାର ହୋଇଛନ୍ତି ବୋଲି ସରକାର ଲିଖିତ ଉତ୍ତର ଦେଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ସାରା ଦେଶରେ ମହିଳାଙ୍କୁ ଅସଦାଚରଣ ମାମଲାରେ ଓଡ଼ିଶା ଦେଶର ୧ ନମ୍ବର ସ୍ଥାନରେ ରହିଛି। ମହିଳାଙ୍କ ବିରୋଧରେ ଧର୍ତ୍ତବ୍ୟ ଅପରାଧ ମାମଲାରେ ଓଡ଼ିଶା ଦେଶରେ ତୃତୀୟ ରହିଛି। ସେହିପରି ଦୁଷ୍କର୍ମକାରୀଙ୍କୁ ଶାସକ ଦଳର ମନ୍ତ୍ରୀ, ବିଧାୟକ ସୁରକ୍ଷା ଦେବା ପ୍ରସଙ୍ଗ ମଧ୍ୟ‌ ଗଣମାଧ୍ୟମର ଶିରୋନାମା ପାଲଟିଛି। ଯାଜପୁର ଜିଲ୍ଲାରେ ଗରିବଙ୍କୁ ପକ୍କା ଘର ଦେବାକୁ କହି ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମର୍ଥକଙ୍କ ଦ୍ବାରା ବିଜେଡି କାର୍ଯ୍ୟାଳୟରେ ମହିଳାଙ୍କୁ ଦୁଷ୍କର୍ମ କରା‌ଯାଇଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସେହିପରି ମହିଳା କମିସନ୍‌ ସଦସ୍ୟାଙ୍କୁ ମଧ୍ୟ ଶ୍ରୀ ଦାସ ଦୁର୍ବବ୍ୟବହାର ପ୍ରଦର୍ଶନ କରିଥିଲେ। ଶ୍ରୀମତୀ ସାମନ୍ତସିଂହାର ଆହୁରି କହିଛନ୍ତି, ମାତୃ ମୃତ୍ୟୁହାରରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନରେ ଅଛି। ନବଜାତକ ମୃତ୍ୟୁରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ଅଛି। ଶଶୁ ମୃତ୍ୟୁହାରରେ ଦେଶରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ଅଛି। ରାଜ୍ୟର ୨୦ଟି ଜିଲ୍ଲାରେ ପିଲାମାନଙ୍କ ସ୍ଥିତି ଆଫ୍ରିକୀୟ ଦେଶମାନଙ୍କ ଠାରୁ ଉଦ୍‌ବେଗଜନକ ରହିଛି। ଏହି ଜିଲ୍ଲାଗୁଡ଼ିକରେ ୪୦ ପ୍ରତିଶତରୁ ଅଧିକ ଶିଶୁ ବୟସ ତୁଳନାରେ କମ୍ ଉଚ୍ଚତା ଓ କମ୍ ଓଜନ ରହୁଛନ୍ତି। ଅପପୁଷ୍ଟି ହିଁ ଏହାର ମୁଖ୍ୟ କାରଣ। ରାଜ୍ୟର ୫୦ ପ୍ରତିଶତରୁ ଅଧିକ ମହିଳା ରକ୍ତହୀନତାର ଶୀକାର ହୋଇଛନ୍ତି। ରାଜ୍ୟରେ ମହିଳାମାନେ ଅଟୋରେ, ରାସ୍ତାରେ ପ୍ରସବ କରିବା ଏକ ସାଧାରଣ ଘଟଣା। ଏହା କ’ଣ ମୁଖ୍ୟମନ୍ତ୍ରୀଙ୍କର ମହିଳାଙ୍କୁ ସମ୍ମାନ ବୋଲି ‌ବିଜେପି ପ୍ରଶ୍ନ କରିଛି।

ସମ୍ବନ୍ଧିତ ଖବର