୨ ବିଧାୟକଙ୍କ ଟିକେଟ କଟିଲା: ସମ୍ବଲପୁରରୁ ପ୍ରସନ୍ନ, ପାରାଦୀପରୁ ଦାମଙ୍କ ବୋହୂ ଲଢ଼ିବେ

ଲେଖାଶ୍ରୀ ବାଲେଶ୍ବର ଲୋକସଭା ପ୍ରାର୍ଥୀ, ୩୩% ଲୋକସଭା ଆସନରେ ମହିଳା

ଭୁବନେଶ୍ବର: ନର୍ଲା ବିଧାୟକ ଭୂପିନ୍ଦର ସିଂହଙ୍କ ଟିକେଟ କଟିଛି। ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ଟିକେଟ ମିଳିନି। କିନ୍ତୁ ତାଙ୍କ ପତ୍ନୀ ଗୀତାଞ୍ଜଳି ରାଉତରାୟଙ୍କୁ ବିଜେଡି ସେହି ଆସନରୁ ପ୍ରାର୍ଥୀ କରିଛି। ସମ୍ବଲପୁରରେ ବିଜେଡି ଟିକେଟ ନେଇ ସ୍ଥାନୀୟ ସଂଗଠନ ବହୁ ଭାଗ ହୋଇଥିଲା। ଯେ‌ଉଁମାନେ ପ୍ରମୁଖ ଦାବିଦାର ଥିଲେ, ସେମାନଙ୍କୁ ସୁଯୋଗ ମିଳିନି। ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପରେ ବିଜେଡି ସୁପ୍ରିମୋ ଭରସା କରିଛନ୍ତି। ସେଠାରେ ସେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମୁକାବିଲା କରିବେ।

ବିଜେପି ଛାଡ଼ି ବିଜେଡିରେ ମିଶିଥିବା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦଳ ବିଶ୍ବାସକୁ ନେଇଛି। ତାଙ୍କୁ ବାଲେଶ୍ବର ଲୋକସଭା ଆସନ ଲାଗି ବିଜେଡି ପ୍ରାର୍ଥୀ କରିଛି। ବିଜେପିର ବରିଷ୍ଠ ନେତା ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ତାଙ୍କର ଲଢ଼େଇ ହେବ। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡି ଟିକେଟ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଟକରାଟକରି ଚରମ ସୀମାରେ ପହଞ୍ଚିଥିଲା। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ ନ ଦେବା ପାଇଁ ଅନ୍ୟ ଆଶାୟୀମାନେ ହାତ ମିଳାଇଥିଲେ। କିନ୍ତୁ ତାହାର ପ୍ରଭାବ ନବୀନ ନିବାସରେ ପଡ଼ିନି। ବରଂ ଅନନ୍ତଙ୍କ ଉପରେ ଦ୍ବିତୀୟଥର ପାଇଁ ଦଳ ଆସ୍ଥା ସ୍ଥାପନ କରିଛି। ଏହିଭଳି ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ୯ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି। ପାଞ୍ଚ ବିଧାୟକ ନିଜ ନିଜ ଟିକେଟ ବଜାୟ ରଖିଛନ୍ତି। ସେମାନେ ହେଲେ ରେଢ଼ାଖୋଲରୁ ରୋହିତ ପୂଜାରୀ, ତାଳଚେରରୁ ବ୍ରଜ ପ୍ରଧାନ, ବାଲିଗୁଡ଼ାରୁ ଚକ୍ରମଣି କଅଁର, ଲକ୍ଷ୍ମୀପୁରରୁ ପ୍ରଭୁ ଜାନି ଓ ଭୁବନେଶ୍ବର ମଧ୍ୟରୁ ଅନନ୍ତ ନାରାୟଣ ଜେନା।

ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇସାରିଛନ୍ତି। ସେହି ଜାଗାରେ ବିଜେଡି ପୂର୍ବତନ ସାଂସଦ ମାଧବ ସର୍ଦ୍ଦାରଙ୍କୁ ପ୍ରାର୍ଥୀ କରିଛି। ନର୍ଲାରେ ଭୂପିନ୍ଦର ସିଂହଙ୍କ ଜାଗାରେ ମନୋରମା ମହାନ୍ତିଙ୍କୁ ବିଜେଡି ଟିକେଟ ମିଳିଛି। ଶ୍ରୀମତୀ ମହାନ୍ତି ଏବେ ନର୍ଲା ବ୍ଲକ୍‌ର ଅଧ୍ୟକ୍ଷା ଅଛନ୍ତି। ବର୍ତ୍ତମାନ ଯାଏ ବିଜେଡି ୧୧୭ଟି ବିଧାନସଭା ଆସନ ଘୋଷଣା କରିସାରିଛି। ବହୁତ କମ୍ ବିଧାୟକଙ୍କ ଟିକେଟ କଟିଛି। ଟିକେଟ କଟିଥିବା ଅନେକ ନେତାଙ୍କ ମଧ୍ୟରୁ ଅଧିକାଂଶଙ୍କ ପରିବାର ସଦସ୍ୟ ପ୍ରାର୍ଥୀ ହୋଇଛନ୍ତି। ଆଉ ୩/୪ ଦିନ ଭିତରେ ଅବଶିଷ୍ଟ ୩୦ଟି ଆସନରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ୨୦୧୯ ପରି ୨୦୨୪ ନିର୍ବାଚନରେ ବିଜେଡି ପକ୍ଷରୁ ଲୋକସଭାରେ ୩୩% ଆସନରେ ମହିଳା ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ସେହି ଅନୁଯାୟୀ ଏଥର ୭ଟି ଲୋକସଭା ଆସନରେ ମହିଳା ପ୍ରାର୍ଥୀ ଦିଆଯାଇଛି। ସେଗୁଡ଼ିକ ହେଲା ଭୁବନେଶ୍ବର, ଯାଜପୁର, ଭଦ୍ରକ, କୋରାପୁଟ, ଜଗତସିଂହପୁର, ଆସିକା ଓ ବାଲେଶ୍ବର।

ସମ୍ବନ୍ଧିତ ଖବର