ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବ ବିଜେଡି

ଭୁବନେଶ୍ବର : ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମଦିବସ ପାଳନ କରାଯିବ। ଏହି ଉପଲକ୍ଷେ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରିବ। ଦଳ ଗୋଟିଏ ଦିନରେ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରିବାକୁ ଦଳ ଲକ୍ଷ୍ୟ ରଖିଛି। ଆଜି ବିଜେ଼ଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦିଆଯାଇଛି। ଜନ୍ମଦିନରେ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରକ୍ତଦାନ ଶିବିରରେ ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ପଟ୍ଟନାୟକ ନିଜେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବେ ବୋଲି ଦଳ କହିଛି।

ଗୁରୁବାର ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ସାଧାରଣ ସମ୍ପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ବିଗତ ଦୁଇ ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବରେ ବିଜେଡି ଓଡ଼ିଶାବାସୀଙ୍କ ସେବା କରିଆସୁଛି। ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୯୯ତମ ଜୟନ୍ତୀ ପାଳନ ଅବସରରେ ୨୦୧୫ ମସିହା ମାର୍ଚ୍ଚ ୫ ତାରିଖରେ ଦଳ ସ୍ବଚ୍ଛାକୃତ ରକ୍ତଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲା। ରାଜ୍ୟର ଅଗଣିତ ଛାତ୍ର, ଯୁବକ, ମହିଳା, ଶ୍ରମିକ, କୃଷକ, ସଂଖ୍ୟାଲଘୁ, ଆଇନଜୀବୀ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ବିଜେଡିର ଶୁଭେଚ୍ଛୁ ଓ ଜନସାଧାରଣଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ବର୍ଷତମାମ ଚାଲୁଛି। ପ୍ରତି ଜିଲ୍ଲା, ବ୍ଲକ, ସହରାଞ୍ଚଳ ଓ ପଞ୍ଚାୟତରେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇ ଏବେସୁଦ୍ଧା ୩ ଲକ୍ଷ ୮ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଆବଶ୍ୟକ ସମୟରେ ଏହି ରକ୍ତକୁ ଜୀବନ ବଞ୍ଚାଇବା ପାଇଁ ଯୋଗାଇ ଦିଆଯାଇଛି। ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାକୁ ବିଜେଡି ନିରନ୍ତର ପ୍ରୟାସ ଜାରି ରଖିଛି।

ଶ୍ରୀ ସାମନ୍ତରାୟ କହିଥିଲେ, ଏହି କାର୍ଯ୍ୟକ୍ରମର ସଫଳତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟର ୫୯ଟି ପ୍ରମୁଖ ସ୍ଥାନରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ରକ୍ତଦାନ ଶିବିରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରକ୍ତଦାତାଙ୍କ ଗହଣରେ ନିଜର ଜନ୍ମଦିନ ପାଳିବେ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ଅନନ୍ତ ନାରାୟଣ ଜେନା, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ଦଳର ସାଧାରଣ ସମ୍ପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର