ବାହୁଡ଼ାରେ ଘର ସଜଡ଼ା : ବିଜେଡିର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ଆରମ୍ଭ

ପ୍ରଥମ ଥର ପାଇଁ ୮ ବରିଷ୍ଠଙ୍କୁ ଉପସଭାପତି ପଦ
୯ ଉପସଭାପତି ବି ରହିବେ, ଦାୟିତ୍ବ ଦିଆଗଲା
ସଂଜୟ ପୁଣି ସାଧାରଣ ସଂପାଦକ (ମୁଖ୍ୟାଳୟ)

ଭୁବନେଶ୍ବର : ମହାପ୍ରଭୁ ଶ୍ରୀଜଗନ୍ନାଥ ସିଂହଦ୍ବାରକୁ ଫେରିବା ସହିତ ବିଜେଡି କରୋନା ପରିପ୍ରେକ୍ଷୀରେ ଅଟକାଇଥିବା ସାଂଗଠନିକ ପୁନର୍ବିନ୍ୟାସ ବା ଘର ସଜଡ଼ା ପ୍ରକ୍ରିୟା ପୁଣି ଥରେ ଆରମ୍ଭ କରିଛି। ଏହି କ୍ରମରେ ଆଜି ଦଳ ପକ୍ଷରୁ ପ୍ରଥମ ଥର ପାଇଁ ଉପସଭାପତି ପଦବିର ବର୍ଗୀକରଣ କରାଯାଇଛି।

ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବରିଷ୍ଠ ଉପସଭାପତି ପଦବି ସୃଷ୍ଟି କରି ସେଥିରେ ୮ ଜଣ ନେତାଙ୍କୁ ନିଯୁକ୍ତି ଦେଇଛନ୍ତି। ସେମାନେ ହେଲେ ଅନଙ୍ଗ ଉଦୟ ସିଂହଦେଓ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରଫୁଲ ସାମଲ, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଲାଲ ବିହାରୀ ହିମିରିକା, ବିଧାୟକ ଅନନ୍ତ ଦାସ ଓ ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର।

ସେହିଭଳି ଦଳ ପୂର୍ବଭଳି ୯ ଜଣ ଉପସଭାପତିଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ମଧ୍ୟରେ ଦାୟିତ୍ବ ବାଣ୍ଟିଛି। ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନଙ୍କୁ ଆଦିବାସୀ ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଥିବାବେଳେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ ଦାୟିତ୍ୱ ଦେଇଛନ୍ତି ନବୀନ। ସେହିଭଳି ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ‘ମୋ ପରିବାର’, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପରିବେଶ, ବିଧାୟିକା ଉଷା ଦେବୀଙ୍କୁ ସାମାଜିକ କଲ୍ୟାଣ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ମହିଳା ସଶକ୍ତିକରଣ, ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ଆଞ୍ଚଳିକ ବିକାଶ, ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ସଶକ୍ତ ଓଡିଶା ଓ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ ଦାୟିତ୍ୱ ପ୍ରଦାନ କରାଯାଇଛି ।

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ (ଦଳୀୟ ମୁଖ୍ୟାଳୟ) ଭାବେ ନିଯୁକ୍ତି ଦେଇଛନ୍ତି ସଭାପତି। ଦଳୀୟ ସାଂଗଠନିକ ନିର୍ବାଚନ ପୂର୍ବରୁ ମଧ୍ୟ ତାଙ୍କୁ ଏହି ପଦବିରେ ନିଯୁକ୍ତି ମିଳିଥିଲା।

ଆଜି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ ଏହି ନୂଆ ନିଯୁକ୍ତି ତାଲିକା ଜାରି କରିଛନ୍ତି।

ନବୀନ ରାଜ୍ୟ ସଭାପତି ଭାବେ ଫେବ୍ରୁଆରି ୨୬ତାରିଖରେ ଦାୟିତ୍ବ ନେବା ପରେ ପୂର୍ବରୁ ମାର୍ଚ୍ଚ ୫ ତାରିଖ ଦିନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସଂଗଠନ ସଂପାଦକ ଭାବେ ନିଯୁକ୍ତି ଦେଇଥିଲେ। ଏହିଠାରେ ହିଁ ଦଳୀୟ ପୁର୍ନବିନ୍ୟାସ ପ୍ରକ୍ରିୟା ଅଟକିଯାଇଥିଲା। କରୋନା ପରିପ୍ରେକ୍ଷୀରେ ସଭାପତି ନିଜେ ଜୁନ୍ ୩୦ ଯାଏ ଏ ସଂକ୍ରାନ୍ତ କୌଣସି ନିଷ୍ପତ୍ତି ନେଇନଥିଲେ।

ବିଜେଡି ପକ୍ଷରୁ କୁହାଯାଇଛି, ପ୍ରଥମ ଥର ପାଇଁ ଉପସଭାପତିମାନଙ୍କୁ ନିର୍ଦିଷ୍ଟ ଦାୟିତ୍ବ ଦିଆଯାଇଛି। ଏଇଥିପାଇଁ ଯେ ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁଇଟି ସ୍ଲୋଗାନ ଦେଇଥିଲେ। ପ୍ରଥମଟି ଥିଲା ଓଡ଼ିଶା ମୋ ପରିବାର ଓ ଦ୍ବିତୀୟଟି ହେଲା ନବୀନ ଓଡ଼ିଶା ସଶକ୍ତ ଓଡ଼ିଶା। ଏବେ ଏ ଦିଗରେ ଦଳ କାର୍ଯ୍ୟ କରିବ।

ସେହିଭଳି ବରିଷ୍ଠ ଉପସଭାପତି ପଦବି ନେଇ ବିଜେଡି କହିଛି ଯେ ଦଳର ସଦସ୍ୟ ସଂଖ୍ୟା ଇତିମଧ୍ୟରେ ୧ କୋଟିରେ ପହଞ୍ଚିଛି। ଦଳ ଗଠନର ୨୩ବର୍ଷ ପରେ ବି ଏଭଳି ଏକ ପଦବି ସୃଷ୍ଟିର ଆବଶ୍ୟକତା ପଡ଼ିଲା। ଏଇଥିପାଇଁ ଯେ ବରିଷ୍ଠ ନେତାମାନେ ଏସବୁ ଦାୟିତ୍ବରେ ରହି ଦଳର ଶକ୍ତି ବୃଦ୍ଧ ପାଇଁ କାର୍ଯ୍ୟ କରିପାରିବେ ଓ ଜନସେବାରେ ନିଜକୁ ସାମିଲ କରିପାରିବେ।

ଉଲ୍ଲେଖଯୋଗ୍ୟ, ବିଜେଡିର ବରିଷ୍ଠ ଉପସଭାପତି ତାଲିକାରେ କିନ୍ତୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ନାହାନ୍ତି।

ସମ୍ବନ୍ଧିତ ଖବର