ଭଦ୍ରକ/ଧାମନଗର: ପଞ୍ଚମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦୁଇଦିନ ବାକିଥିବା ବେଳେ ରାଜନୈତିକ ଆକ୍ରୋଶରୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଜାହାଙ୍ଗୀର ଗ୍ରାମର ଜଣେ ବିଜେଡି କର୍ମୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଧାମନଗର ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆଜି ଜାହାଙ୍ଗୀର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ସୂଚନା ମୁତାବକ, ଗତକାଲି ରାତି ୯ଟା ବେଳେ ବିଜେପି ନେତା ମନମୋହନ ସାମଲ ଦୋବଲ ଜୋନ୍‌ରେ ପ୍ରଚାର ସାରି ଫେରୁଥିଲେ। ତାଙ୍କ ସହିତ କେତେକ ବିଜେପି କର୍ମୀ ମଧ୍ୟ ରହିଥିଲେ। ଏହି ସମୟରେ ଜାହାଙ୍ଗୀର ଗ୍ରାମର ପ୍ରତାପ ଚନ୍ଦ୍ର ରାଉତ ଘରକୁ ଫେରୁଥିବାବେଳେ ବିଜେପି କର୍ମୀମାନେ ତାଙ୍କୁ ଅଟକାଇ ଥିଲେ। ଏହାକୁ ନେଇ ଯୁକ୍ତିତର୍କ ହେବା ପରେ ବିଜେପି କର୍ମୀମାନେ ପ୍ରତାପଙ୍କୁ ପିଟି ପିଟି ମାରି ଦେଇଥିବା ପରିବାର ଲୋ‌କେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଥାନା କେସ୍ ନମ୍ବର ୭୭/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ବ୍ୟବଚ୍ଛେଦ ପରେ ପ୍ରତାପଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଯେଉଁମାନେ ଏ ଘଟଣାରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

Advertisment

ସେପଟେ ହତ୍ୟାକାଣ୍ଡ ପଛରେ ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ସଂପୃକ୍ତି ଥିବା ଅଭିଯୋଗ କରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଆଜି ଧାମନଗରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ବିଜେପି ନେତା ମନମୋହନଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଥିବା ଓ ପରାଜୟ ଭୟରେ ବିଜେପି ହିଂସାତ୍ମକ ଆଚରଣ କରୁଥିବା କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାୟଙ୍କ ସହିତ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ବାଇଁ, ପୂର୍ବତନ ବିଧାୟକ ରାଜୁ ଦାସ, ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ ଉପସ୍ଥିତ ରହି ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏ ସଂକ୍ରାନ୍ତରେ ବିଜେଡି ପକ୍ଷରୁ ଧାମନଗର ଥାନାରେ ୧୯ ଜଣଙ୍କ ନାମରେ ଏତଲା ଦିଆଯାଇଛି।

ଅନ୍ୟପକ୍ଷରେ ପ୍ରତାପଙ୍କ ମୃତ୍ୟୁ ଘଟଣାକୁ ହତ୍ୟାକାଣ୍ଡର ରୂପ ଦେଇ ବିଜେଡି ହୀନ ରାଜନୀତି କରୁଛି ବୋଲି ବିଜେପିର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀ ଆଜି ଭଦ୍ରକଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ପୁଲିସ ପ୍ରତାପଙ୍କ ମୃତ୍ୟୁର ସତ୍ୟାସତ୍ୟ ଅନୁସନ୍ଧାନ କରୁ। ଧାମନଗରରେ ବିଜେପି କ୍ଷମତାରେ ରହିଥିବା ବେଳେ ବିଜେଡି ଏଠାରେ କ୍ଷମତା ଦଖଲ ପାଇଁ ଔଷଧ ବିକଳରେ ତାଟିଆ କାମୁଡ଼ୁଛି। ସାରା ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ରାଜନୈତିକ ଆକ୍ରୋଶରୁ ସାମ୍ବାଦିକମାନେ ବି ଆକ୍ରମଣରୁ ବାଦ ପଡ଼ୁନାହାନ୍ତି ବୋଲି ଶ୍ରୀ ସେଠୀ କଟାକ୍ଷ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ବିଜେପି ଓବିସି ସେଲର ରାଜ୍ୟ ସଂଯୋଜକ ରଘୁନାଥ ପାତ୍ର ଯୋଗ ଦେଇ ବିଜେଡିର ଏଭଳି ହୀନ ରାଜନୀତିକୁ ନିନ୍ଦା କରିଥିଲେ।