ଭୋଟ୍‌ ଗଣତିର ଦ୍ବିତୀୟ ଦିନରେ ୩୦୫ରୁ ୨୪୫ ଜୋନ୍‌ରେ ବିଜେଡି ଆଗରେ

ଭୁବନେଶ୍ବର: ପ୍ରଥମ ଦିନର ଗଣତି ଭଳି ଦ୍ବିତୀୟ ଦିନରେ ବି ବିଜେଡିର ବିଜୟ ଯାତ୍ରା ଜାରି ରହିଛି। ରାଜ୍ୟ ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ୨ଟା ସୁଦ୍ଧା ବି‌ଜେଡି ସବୁ ଜିଲ୍ଲାରେ ଏକତରଫା ଭାବେ ଆଗରେ ଅଛି। ଏପରିକି ଆଜି ଗଣତି ହେଉଥିବା ୩୦୫ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ୨୪୫ଟିରେ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଆଗରେ ଅଛି। ସେହିପରି ବିଜେପି ୨୩ଟିରେ, କଂଗ୍ରେସ ୧୫ଟି ଜୋନ୍‌ରେ ଆଗରେ ଅଛି। ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଏବଂ ଅନ୍ୟାନ୍ୟା ଦଳ ୩ଟି ଜୋନ୍‌ରେ ଆଗରେ ଅଛନ୍ତି।

ବିଜେଡି ପ୍ରଥମ ଦିନର ଗଣତିରେ ୮୯% ସିଟ୍‌ରେ ଆଗରେ ଥିବାବେଳେ ଆଜି ୮୬% ସିଟ୍‌ରେ ଆଗରେ ଅଛି। ମୋଟ୍ ୮୫୩ଟି ଜୋନ୍‌ରେ ଥିବା ୯୧୯୧୩ ଟି ବୁଥ୍‌ରୁ ବର୍ତ୍ତମାନ ସୁଦ୍ଧା ୪୧୭୬୩ଟିରେ ଗଣତି ସରିଥିବାବେଳେ ବିଜେଡି ୫୩୨ଟିରେ, ବିଜେପି ୩୭ଟି, କଂଗ୍ରେସ ୩୦ଟି, ସ୍ବାଧୀନ ପ୍ରାର୍ଥୀ ୪ଟି ଏବଂ ଅନ୍ୟାନ୍ୟ ରାଜନୈତିକ ଦଳ ୫ଟିରେ ଆଗରେ ଅଛନ୍ତି। ଏବେ ସୁଦ୍ଧା ବିଜେପି ବାଲେଶ୍ବରରେ ୫ଟି, ବରଗଡ଼ରେ ୪ଟି,ବଲାଙ୍ଗୀରରେ ୪ଟି,କଳାହାଣ୍ଡିରେ ୪ଟି, ଖୋର୍ଦ୍ଧାରେ ୩ଟି ଆସନରେ ଆଗରେ ଅଛି। କଂଗ୍ରେସ ଗଜପତିରେ ୩ଟି, ରାୟଗଡ଼ାରେ ୩ଟି, କୋରାପୁଟରେ ୧୧ଟି, କନ୍ଧମାଳରେ ୩ଟି, ବଲାଙ୍ଗୀରରେ ୨ଟି ସିଟ୍‌ରେ ଆଗରେ ଅଛି। ସ୍ବାଧୀନ ପ୍ରାର୍ଥୀ ନୟାଗଡ଼, ନବରଙ୍ଗପୁର, ରାୟଗଡ଼ା, କୋରାପୁଟରେ ଆଗରେ ଥିବାବେଳେ ଅନ୍ୟ ଦଳର ପ୍ରାର୍ଥ ସୁନ୍ଦରଗଡ଼, ମୟୂରଭଞ୍ଜରେ ଆଗରେ ଅଛନ୍ତି।

ଏଥିରେ ଜେଏମ୍ଏମ୍‌ ମୟୂରଭଞ୍ଜରେ ୪ଟି ସିଟ୍‌ରେ ଆଗରେ ଅଛି। ଅପରପକ୍ଷେ ବିଜେପି ୧୩ଟି ଜିଲ୍ଲାରେ ଖାତା ଖୋଲିବା ସ୍ଥିତିରେ ନଥିବାବେଳେ କଂଗ୍ରେସ ୧୯ଟି ଜିଲ୍ଲାରେ ଖାତା ଖୋଲିପାରିନି। ବିଜେଡି କିନ୍ତୁ ବରଗଡ଼, ମୟୂରଭଞ୍ଜ, ବଲାଙ୍ଗୀର, ଗଞ୍ଜାମ,ଭଦ୍ରକ,କଟକ ସମେତ ସାରା ଓଡ଼ିଶାରେ ବିରୋଧୀଙ୍କ ଠାରୁ ବହୁ ଆଗରେ ଅଛି। ବିଶେଷ କରି ଉପକୂଳ ଓଡ଼ିଶାରେ ଏକତରଫା ଭାବେ ବିଜୟ ହାସଲ କରି ଚାଲିଛି। ଆଜି ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣତି ଚାଲିବାକୁ ଥିବାରୁ ଚୂଡ଼ାନ୍ତ ଫଳାଫଳ ଆସିବା ବାକି ଅଛି। ପ୍ରଥମ ଦିନରେ ଯେଉଁ ୩୧୫ଟି ଜୋନ୍‌ରେ ଗଣତି ହେଉଥିଲା ତାହାର ଫଳାଫଳ ଆସିବା ପରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ବିଜୟ ଉତ୍ସବରେ ମାତିଛନ୍ତି। ସେହିପରି ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟମାନଙ୍କ ଫଳାଫଳ ଘୋଷଣା ସରିଥିବାରୁ ଗାଁଗାଁରେ ଆଜି ପ୍ରାର୍ଥୀ ବିରାଟ ଶୋଭାଯାତ୍ରାରେ ଯାଇ ବିଜୟ ଉତ୍ସବ ମନାଉଛନ୍ତି।

ସୂଚନାଯୋଗ୍ୟ ଯେ, ଆଜିର ଗଣତି ପରେ ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତିଦିନ ଧାର୍ଯ୍ୟ ଜୋନ୍‌ର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଭୋଟ୍‌ ଗଣତି ହେବ ବୋଲି ନିଷ୍ପତ୍ତି ହୋଇଛି। ୨୮ତାରିଖ ସୁଦ୍ଧା ହିଁ ସମସ୍ତ ଭୋଟ୍ ଗଣତି ଶେଷ ହେବ। ୨୯ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ୯୧୯୧୩ଟି ୱାର୍ଡମେମ୍ବର ପଦବି, ୬୭୯୩ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ର ବିଜେତାଙ୍କ ନାମ ଘୋଷଣା କରିବେ।

ସମ୍ବନ୍ଧିତ ଖବର