ପଞ୍ଚାୟତ ରାୟ: ବିଜେଡି ବହୁତ ଆଗରେ; ପଶ୍ଚିମରେ ବିଜେପି, ଦକ୍ଷିଣରେ କଂଗ୍ରେସ ଖାତା ଖୋଲିଲେ

୩୧୫ ଜିଲ୍ଲା ପରିଷଦ ଜୋନ୍‌ର ଗଣତି ଚାଲିଛି

ଭୁବନେଶ୍ବର: ପଞ୍ଚାୟତ ଭୋଟ୍ ଗଣତିର ପ୍ରଥମ ଦିନରେ ତଥା ପ୍ରଥମ ପର୍ଯ୍ୟ‌ାୟରେ ବିଜେଡି ଏକପା‌ଖିଆ ଆଗୁଆ ଚାଲିଛି। ଗଣତି ଯେତେ ବଢ଼ୁଛି ବିରୋଧୀଙ୍କ ଗଡ଼ ସେତେ ଭୁଶୁଡ଼ୁଛି। ଅଧିକାଂଶ ଜିଲ୍ଲାରେ ବିରୋଧୀ ମୂଳପୋଛ ହେବା ସ୍ଥିତି ଉପୁଜିଛି। ଆଜି ୩୦ଟି ଜିଲ୍ଲାର ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ର ଗଣତି ଚାଲିଥିବାବେଳେ ଅପରାହ୍ନ ୬ଟା ସୁଦ୍ଧା ବିଜେଡି ୨୭୩ଟି, ବିଜେପି ୨୦ଟି, କଂଗ୍ରେସ ୧୫ଟି ଜୋନ୍‌ରେ ଆଗୁଆ ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଦୁଇଟି ଏବଂ ଅନ୍ୟ ଦଳର ପ୍ରାର୍ଥୀମାନେ ୫ଟି ଆସନରେ ଆଗୁଆ ଅଛନ୍ତି। ଉପକୂଳ ଓଡ଼ିଶାରେ ବିଜେପି ଖୋର୍ଦ୍ଧା ଜିଲ୍ଲାକୁ ଛାଡ଼ିଦେଲେ କେଉଁଠି ବି ଟକ୍କର ଦେବା ସ୍ଥିତିରେ ନାହିଁ। କଂଗ୍ରେସ ଅବସ୍ଥା ବି ସେୟା। ଏଠାରେ ବିଜେପି ଏକତରଫା ବିଜୟ ଆଡ଼କୁ ଅଗ୍ରସର ହେଉଛି।

ଉତ୍ତର ଓଡ଼ିଶାରେ ବିଜେଡ଼ି ବି ସବୁଠୁ ଆଗରେ ରହିଛି। ମୟୂରଭଞ୍ଜରେ ଗତ ନିର୍ବାଚନରେ ବିଜେପି ବଡ଼ ସଫଳତା ପାଇଥିବାବେଳେ ଏଥର ମୂଳପୋଛ ସ୍ଥିତିରେ ପହଞ୍ଚିଛି। ଏହାବାଦ୍ ବାକି ଜିଲ୍ଲାରେ ଶାସକ ଦଳ ଆଗୁଆ ଅଛି। ବର୍ତ୍ତମାନ ସୁଦ୍ଧା ବିଜେପି କେବଳ ଖୋର୍ଦ୍ଧାରେ ୩ଟି, କଳହାଣ୍ଡିରେ ୪ଟି,ବରଗଡ଼ରେ ୩ଟି, ବଲାଙ୍ଗୀରରେ ୨ଟି, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ଗଞ୍ଜାମ, କଟକ, ବୌଦ୍ଧ, ଅନୁଗୁଳରେ ଗୋଟିଏ ଲେଖାଏଁ ଆସନକୁ ଛାଡ଼ିଦେଲେ ଆଉ କେଉଁଠି ବିଜେଡିକୁ କଡ଼ା ଟକ୍କର ଦେଉନି। ସେହିପରି କଂଗ୍ରେସ ଦକ୍ଷିଣ ଓଡ଼ିଶାରେ ରାୟଗଡ଼ାରେ ୪ଟି,କୋରାପୁଟରେ ୫ଟି, କନ୍ଧମାଳ ଓ ଗଜପତିରେ ଦୁଇଟି ଲେଖାଏଁ, ନବରଙ୍ଗପୁର ଓ କଟକରେ ଗୋଟିଏ ଲେଖାଏଁ ଆସନରେ ଆଗରେ ଅଛି। ଆଉ ଅଧିକାଂଶ ସ୍ଥାନରେ କଂଗ୍ରେସ ତୃତୀୟ ସ୍ଥାନେର ରହୁଥିବା ଦେଖିବାକୁ ମିଳିଛି।
ଅପରପକ୍ଷେ ଆଜିର ଗଣତି ଶେଷ ହେଲାବେଳକୁ ବିଳମ୍ବିତ ରାତି ହେବ ବୋଲି କୁହାଯାଉଛି। ଏହାପରେ କିଏ କେତେ ଆସନ ହାତଉଛନ୍ତି ତାହା ସ୍ପଷ୍ଟ ହେବ।

ମୋଟ୍‌ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ଥିବା ୯୧୯୧୩ଟି ବୁଥ୍‌ ମଧ୍ୟରୁ ଆଜି ୩୧୫ଟି ଜୋନ୍‌ର ପ୍ରାୟ ୩୦ହଜାରରୁ ଅଧିକ ବୁଥ୍‌ ଫଳାଫଳ ଆସିବାର ଅଛି। ହେଲେ ପ୍ରାୟ ୧୧୨୨୫ଟି ବୁଥ୍‌ର ଫଳାଫଳରେ ବିଜେଡି ବିରୋଧୀ ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ଦେଇଛି। ବିଜେଡି ଅଧିକାଂଶ ଜିଲ୍ଲାରେ ଭଲ କରୁଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ରବିବାର ୩୦୭ଟି ଏବଂ ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତିଦିନ ଧାର୍ଯ୍ୟ ଜୋନ୍‌ର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଭୋଟ୍‌ ଗଣତି ହେବ ବୋଲି ନିଷ୍ପତ୍ତି ହୋଇଛି। ୨୮ତାରିଖ ସୁଦ୍ଧା ହିଁ ସମସ୍ତ ଭୋଟ୍ ଗଣତି ଶେଷ ହେବ। ୨୯ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ୯୧୯୧୩ଟି ୱାର୍ଡମେମ୍ବର ପଦବି, ୬୭୯୩ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ର ବିଜେତାଙ୍କ ନାମ ଘୋଷଣା କରିବେ।

ସମ୍ବନ୍ଧିତ ଖବର