ପଞ୍ଚାୟତ ରାୟ: ପୋଛିନେଉଛି ବିଜେଡି, ପଛରେ ବିଜେପି-କଂଗ୍ରେସ

ଭୁବନେଶ୍ବର: ଆଜି ଠାରୁ ପଞ୍ଚାୟତ ଭୋଟ୍ ଗଣତି ଆରମ୍ଭ ହୋଇଥିବାବେଳେ ଶାସକ ବିଜେଡି ସବୁ ଜିଲ୍ଲାରେ ଆଗରେ ରହିଛି। ଆଜି ୩୦ଟି ଜିଲ୍ଲାର ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ର ଗଣତି ଚାଲିଥିବାବେଳେ ଅପରାହ୍ନ ୨ଟା ସୁଦ୍ଧା ବିଭିନ୍ନ ଜୋନ୍‌ରେ କେଉଁ ପ୍ରାର୍ଥୀ ଆଗରେ ଅଛନ୍ତି ତାହା ଏକପ୍ରକାରର ସ୍ପଷ୍ଟ ହୋଇଗଲାଣି। ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୨୬୮ଟି, ବିଜେପି ୨୬ଟି, କଂଗ୍ରେସ ୧୬ଟି ଜୋନ୍‌ରେ ଆଗୁଆ ଥିବାବେଳେ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଏବଂ ଅନ୍ୟ ଦଳର ପ୍ରାର୍ଥୀ ୪ଟି ଆସନରେ ଆଗୁଆ ଅଛନ୍ତି। ଉପକୂଳରୁ ଆରମ୍ଭ କରି ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବିଜେଡ଼ି ସବୁଠୁ ଆଗରେ ରହିଛି। ହେଲେ ଆଜିର ଗଣତି ଶେଷ ହେଲାବେଳକୁ ବିଳମ୍ବିତ ରାତି ହେବ ବୋଲି କୁହାଯାଉଛି। ଏହାପରେ କିଏ କେତେ ଆସନ ହାତଉଛନ୍ତି ତାହା ସ୍ପଷ୍ଟ ହେବ।

ମୋଟ୍‌ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ଥିବା ୯୧୯୧୩ଟି ବୁଥ୍‌ ମଧ୍ୟରୁ ଆଜି ୩୧୫ଟି ଜୋନ୍‌ର ପ୍ରାୟ ୩୫ହଜାରରୁ ଅଧିକ ବୁଥ୍‌ ଫଳାଫଳ ଆସିବାର ଅଛି। ହେଲେ ପ୍ରାୟ ୭ହଜାର ବୁଥ୍‌ର ଫଳାଫଳରେ ବିଜେଡି ବିରୋଧୀ ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ଦେଇଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିକୁ ଦେଖିଲେ, ୨୦୧୭ରେ ବିଜେପି ସବୁଠୁ ଅଧିକ ଆସନ ହାସଲ କରିଥିବା ମୟୂରଭଞ୍ଜରେ ଚିତ୍‌ପଟାଙ୍ଗ ମାରିଛି। ଏଠାରେ ଅପରାହ୍ନ ୨ଟା ସୁଦ୍ଧା ବିଜେଡି ୨୫ଟି ଆସନରେ ଆଗୁଆ ଥିବାବେଳେ ବିଜେପି ଓ କଂଗ୍ରେସ ପଛରେ ପଡ଼ିଛନ୍ତି। ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ଅଛନ୍ତି।

ସୁନ୍ଦରଗଡ଼ରେ ବି ବିଜେପି ଭଲ କରିପାରିନି। ଏଠାରେ ବିଜେପି ଏକତରଫା ଭାବେ ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ୧୫ଟି ଆସନରେ ଆଗରେ ଅଛି। ହେଲେ ବରଗଡ଼‌, ଖୋର୍ଦ୍ଧା, କଳାହାଣ୍ଡି, ଗଞ୍ଜାମରେ ବିଜେପି- ବିଜେଡି ମଧ୍ୟରେ ଗୋଡ଼ିଆଗୋଡ଼ି ଚାଲିଛି। କିଛି ସ୍ଥାନରେ ବିଜେପି ଆଗୁଆ ରହିଛି। ସେହିପରି କଂଗ୍ରେସ ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଜପତି, କଟକକୁ ଛାଡ଼ି ଆଉ କେଉଁଠି ବି ବର୍ତ୍ତମାନ ସୁଦ୍ଧା ରେସ୍‌ରେ ନାହିଁ। ବିଜେଡି ଅଧିକାଂଶ ଜିଲ୍ଲାରେ ଭଲ କରୁଥିବାରୁ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କେବଳ ଜିଲ୍ଲା ପରିଷଦ ନୁହେଁ। ସରପଞ୍ଜ, ସମିତି ସଭ୍ୟ ଏବଂ ୱାର୍ଡମେମ୍ବର ପଦବିର ବିଜେତାଙ୍କ ନାମ ବି ଘୋଷଣା ହୋଇଛି। ବ୍ଲକ ସ୍ତରରେ ବିଡିଓମାନେ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି।

ସୂଚନାଯୋଗ୍ୟ ଯେ, ରବିବାର ୩୦୭ଟି ଏବଂ ସୋମବାର ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ର ଭୋଟ୍ ଗଣତି କରିବାକୁ ନିଷ୍ପତ୍ତି ହୋଇଛି। ପ୍ରତିଦିନ ଧାର୍ଯ୍ୟ ଜୋନ୍‌ର ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ଭୋଟ୍‌ ଗଣତି ହେବ ବୋଲି ନିଷ୍ପତ୍ତି ହୋଇଛି। ୨୮ତାରିଖ ସୁଦ୍ଧା ହିଁ ସମସ୍ତ ଭୋଟ୍ ଗଣତି ଶେଷ ହେବ। ୨୯ତାରିଖ ପୂର୍ବରୁ ନିର୍ବାଚନ ଅଧିକାରୀମାନେ ୯୧୯୧୩ଟି ୱାର୍ଡମେମ୍ବର ପଦବି, ୬୭୯୩ଟି ସରପଞ୍ଚ ଓ ସମିତି ସଭ୍ୟ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ର ବିଜେତାଙ୍କ ନାମ ଘୋଷଣା କରିବେ।

ସମ୍ବନ୍ଧିତ ଖବର