ଯାଜପୁର/ବ୍ୟାସନଗର : ଯାଜପୁର ଜିଲ୍ଲାରେ ପୁଣି ବିଜେଡି ବାଜିମାତ କରି ୨ଟି ପୌର ପରିଷଦ ଅଧ୍ୟକ୍ଷ ଆସନ ହାତେଇ ନେଇଛି। ପୂର୍ବ ସ୍ଥିତି ବଜାୟ ରଖି ଯାଜପୁର ପୌରାଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ରଞ୍ଜୁଲତା ହୋତା ଓ ବ୍ୟାସନଗର ପୌରାଧ୍ୟକ୍ଷା ଭାବେ ସଙ୍ଗୀତା ପିଙ୍ଗୁଆ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଯାଜପୁର ପୌର ପରିଷଦ ନିର୍ବାଚନ ଏକପାଖିଆ ବିଜେଡି ସପକ୍ଷରେ ଯାଇଥିବାରୁ ବିରୋଧୀ ବିଜେପି ଓ କଂଗ୍ରେସ ଧରାଶାୟୀ ହୋଇଛନ୍ତି। ଯାଜପୁର ପୌର ପରିଷଦର ଅଧ୍ୟକ୍ଷ ସହିତ ସମୁଦାୟ ୧୮ଟି ଆସନ ବିଜେଡି ଦଖଲ କରିଛି।
ଅପରପକ୍ଷରେ ବ୍ୟାସନଗର ପୌର ପରିଷଦର ୨୬ଟି ୱାର୍ଡ ମଧ୍ୟରୁ ବିଜେଡି ୧୫ଟି ଆସନ ଦଖଲ କରିଛି। କଂଗ୍ରେସ ୫ଟି ଓ ବିଜେପି ୩ଟି ଓ ବିଦ୍ରୋହୀ ୩ଟି ଆସନ ଦଖଲ କରିଛନ୍ତି। ଯାଜପୁର ଭଳି ବ୍ୟାସନଗରରେ ଶାସକ ଦଳ ସେପରି ଶକ୍ତି ପ୍ରଦର୍ଶନ କରିପାରି ନାହିଁ। ୨୧ ନମ୍ବର ୱାର୍ଡ ବ୍ୟତୀତ ଅନ୍ୟ ସମସ୍ତ ସ୍ଥାନରେ ଶାସକ ଦଳ ବିଜେଡି କଡ଼ା ଟକ୍କରର ସମ୍ମୁଖୀନ ହୋଇଛି। ମୋଟ ୨୬ଟି ୱାର୍ଡ ମଧ୍ୟରୁ ୧୫ଟି ରେ ବିଜେଡି ବିଜୟୀ ହୋଇଥିବା ବେଳେ ୯ଟି ୱାର୍ଡରେ ଦ୍ବିତୀୟ ସ୍ଥାନରେ, ଦୁଇଟି ୱାର୍ଡ ୧୨ ଓ ୨୬ରେ ତୃତୀୟ ସ୍ଥାନକୁ ଖସି ଯାଇଛି। କଂଗ୍ରେସ ୫ଟି ଆସନରେ ବିଜୟୀ ହୋଇଥିବାବେଳେ ୯ଟି ଆସନରେ କଡ଼ାଟକ୍କର ଦେଇ ଦ୍ବିତୀୟ ସ୍ଥାନରେ ରହିଛି। ବିଜେପି ୩ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ ମାତ୍ର ଗୋଟିଏ ଆସନରେ ଦ୍ବିତୀୟ ସ୍ଥାନରେ ରହିଛି। ୧୨ଟି ସ୍ଥାନରେ ତୃତୀୟ ସ୍ଥାନରେ ରହିଛି। ସ୍ବାଧୀନ ପ୍ରାର୍ଥୀମାନେ ଶାସକ ଦଳଠାରୁ ଆରମ୍ଭ କରି ବିରୋଧୀ ଦଳକୁ ଟକ୍କର ଦେଇ ୩ଟି ଆସନ ଦଖଲ କରିଥିବାବେଳେ ୭ଟି ୱାର୍ଡରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି।