ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନର ମତ ଗଣନା। ଏହାର ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ ଗତ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ବିଜେଡି ଆଗରେ ରହିବ। ତାଜା ତଥ୍ୟ ଅନୁଯାୟୀ, ୮୦ଟି ଭିତରୁ ବିଜେଡି ୫୩ ଟି, ବିଜେପି ୧୯ଟି, କଂଗ୍ରେସ ୩ଟି  ଓ ୫ଟି ସ୍ଥାନରେ ସ୍ବାଧୀନ ପୌର ଅଧ୍ୟକ୍ଷ ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି।

Advertisment

ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ପୌର ନିର୍ବାଚନରେ କାଉନସିଲର/କର୍ପୋରେଟର, ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ୨୪ ତାରିଖରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ସକାଳ୮ଟାରୁ ଭୋଟ୍ ଗଣତି ଜାରି ରହିଥିବା ଜଣାଯାଇଛି। ଇଭିଏମରେ ମତଦାନ ହୋଇଥିବାରୁ ଅପରାହ୍ନ ସୁଦ୍ଧା କେଉଁ ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବେ ତାହା ଜଣାପଡ଼ିଯିବ। ହେଲେ ଗଣତି ପୂର୍ବରୁ ପ୍ରାର୍ଥୀଙ୍କ ହୃତ୍‌ସ୍ପନ୍ଦନ ବଢ଼ିବାରେ ଲାଗିଛି। ଯେଉଁ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାକୁ ଯଥାସମ୍ଭବ ଉଦ୍ୟମ କରିଥିଲେ ସେମାନେ ଏବେ ପୂଜାର୍ଚ୍ଚନାରେ ଲାଗିଛନ୍ତି। ସବୁ ଦଳର ପ୍ରାର୍ଥୀ ବିଜୟ ଆଶା ବାନ୍ଧି ବସିଛନ୍ତି। ଅପେକ୍ଷା ଆଜିର ଫଳାଫଳକୁ।

ଅପରପକ୍ଷେ ଭୋଟ୍ ଗଣତି ଯେପରି ସୁରୁଖୁରୁରେ ହେବ, ସେନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ୧୦୬ଟି ପୌରାଞ୍ଚଳ ଓ ତିନିଟି ମହାନଗର ନିଗମରେ ମତଦାନ ହୋଇଥିଲେ ହେଁ ଧାମନଗରକୁ ଛାଡ଼ି ବାକି ୧୦୮ଟି ସ୍ଥାନରେ ଶନିବାର ଭୋଟ୍ ଗଣତି ହେଉଛି। ଏଥର ଏନ୍ଏସିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ଦୁଇଟି ଲେଖାଏଁ ଟେବୁଲ୍ ରଖାଯାଇଛି। ମ୍ୟୁନିସପାଲଟିରେ କାଉନସିଲର ଓ ଅଧ୍ୟକ୍ଷଙ୍କ ଭୋଟ୍ ଗଣତି ପାଇଁ ୫ଟି ଲେଖାଏଁ ଟେବୁଲ୍ ରଖାଯାଇଛି। ସେହିପରି ତିନିଟି ମହାନଗର ନିଗମର କର୍ପୋରେଟର ଓ ମେୟରଙ୍କ ଭୋଟ୍ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲ୍ ରଖାଯାଇଛି। ଯଥାସମ୍ଭବ ଶୀଘ୍ର ଭୋଟ୍ ଗଣତି ଶେଷ କରିବାକୁ କମିସନଙ୍କ ପକ୍ଷରୁ ବ୍ୟବସ୍ଥା ହୋଇଛି।