ଯୁବକଙ୍କୁ ଅପହରଣ ପରେ ଗୁଳିମାଡ଼: ବିଜେଡି-କଂଗ୍ରେସ ମୁହାଁମୁହିଁ

ଥାନା ସମ୍ମୁଖରେ କଂଗ୍ରେସର ରାସ୍ତା ଅବରୋଧ, ଆମ କର୍ମୀଙ୍କ ଉପରେ ହୋଇଛି ଆକ୍ରମଣ: ବିଜେଡି

ଜୟପୁର : ଜୟପୁର ସହର‌ରେ ଗୁଳି ଫୁଟାଇ ଯୁବକଙ୍କୁ ଅପହରଣ। ମରଣାନ୍ତକ ଆକ୍ରମଣ କରି ରାସ୍ତା କଡ଼ରେ ଫିଙ୍ଗିଦେଲେ ଦୁର୍ବୃତ୍ତ। କେଉଁ କାରଣରୁ ସହର ଏମିତି ହଠାତ୍‌ ଅଶାନ୍ତ ହେଲା ସ୍ପଷ୍ଟ ହୋଇପାରି ନାହିଁ। କିନ୍ତୁ ଏହି ଘଟଣାକୁ କେନ୍ଦ୍ରକରି ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ। ପରସ୍ପରକୁ ଆକ୍ଷେପ କରିବା ପରେ ଉଷ୍ମ ହୋଇଛି ଜୟପୁର ରାଜନୀତି।

ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ୪ଟାରେ କାର୍ତ୍ତିକ ନାଗଙ୍କୁ କିଛି ସହଯୋଗୀ ଡାକିଥିଲେ। ଦୁଇଟି ସ୍କୁଟିରେ ବାରିଣୀପୁଟ ଆଡ଼େ ଯିବା ସମୟରେ ଗୋଟିଏ କଳା ସ୍କର୍ପିଓ ଏବଂ ଗୋଟିଏ ବାଇକ୍‌ ସେମାନଙ୍କୁ ପିଛା କରିଥିଲା। ଗାନ୍ଧୀ ଛକ ପରେ କାର୍ତ୍ତିକଙ୍କୁ ଲକ୍ଷ୍ୟ କରି ପିଛା କରୁଥିବା ଗାଡ଼ିରୁ ଗୁଳିମାଡ଼ ହୋଇଥିଲା। ଅଳ୍ପକେ କାର୍ତ୍ତିକ ବଞ୍ଚି ଯାଇଥିଲେ, ସ୍କୁଟି ଛାଡ଼ି ସହଯୋଗୀଙ୍କ ସହ ‌ଜୀବନ ବିକଳରେ ଦୌଡ଼ିଥିଲେ। କିନ୍ତୁ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ହାଟପଦା ନିକଟରୁ ଅପହରଣ କରି ହାତୁଡ଼ିରେ ଆକ୍ରମଣ କରିବା ସହ ହାତର ଶିରା କାଟି ଦେଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜୟପୁର ସଦର ଥାନା ଅନ୍ତର୍ଗତ କୁମୁଲିପୁଟ ନିକଟରେ ଫୋପାଡ଼ି ଦେଇଥିଲେ। ବହୁ ସମୟ ଧରି କାର୍ତ୍ତିକ ଘରକୁ ନ ଫେରିବାରୁ ଭଉଣୀ ସବିତା ରାଜପୁତ ଟାଉନ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ପୁଲିସ ଖୋଜାଖୋଜି କରି କୁମୁଲପୁଟ ରାସ୍ତା କଡରୁ କାର୍ତ୍ତିକଙ୍କୁ ଉଦ୍ଧାର କରିଥିଲା। ରାବଣାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କୋରାପୁଟ ଓ ପରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଆଜି ରାସ୍ତାକୁ ଓହ୍ଲାଇଥିଲା କଂଗ୍ରେସ। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଥାନା ଘେରାଉ ସହ ଜାତୀୟ ରାଜପଥ ଅଢ଼େଇ ଘଣ୍ଟା ଧରି ଅବରୋଧ କରାଯାଇଥିଲା।

ସେହିପରି ବିଜେଡିର ପୌରାଧ୍ୟକ୍ଷ ପ୍ରାର୍ଥୀ ସୂର୍ଯ୍ୟନାରାୟଣ ରଥ ବି ଘଟଣାରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଆହତ ଯୁବକ ବିଜେଡି କର୍ମୀ ଅଟନ୍ତି, ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଦାବି କରୁଛୁ। ଏହି ଘଟଣାର ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣାରେ ସ୍ଥାନୀୟ ଲିଙ୍ଗରାଜ ନଗର ଅଞ୍ଚଳର ଚନ୍ଦ୍ରସାଇ ସଗରିଆ (୪୨), କୁମୁଲିପୁଟର ପ୍ରଶାନ୍ତ ଖରା (୨୯) ଓ ଅଜୟ ହରିଜନ (୨୫) ଓ କୋରାପୁଟ ଏଲ୍‌ଆଇସି କଲୋନିର ରାକେଶ ଦାଶ (୩୦)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ତଥା ଅନ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ କରାଯାଇଥିବା ଏସ୍‌ପି ବରୁଣ ଗୁଣ୍ଠପାଲୀ କହିଛନ୍ତି।

ସମ୍ବନ୍ଧିତ ଖବର