ବାରିପଦାରେ ଖଣ୍ଡପ୍ରଳୟ

ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କାର୍ଯ୍ୟକର୍ତ୍ତା ଗୁରୁତର

କଳାପତାକା ଧରି ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ୍‌ ଆଡ଼କୁ ମାଡ଼ିଗଲେ
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପୁଅ ଆହତ

ବାରିପଦା : ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ଅବସରରେ ବାରିପଦାରେ ଖଣ୍ଡପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଭା ଆରମ୍ଭ ପର୍ଯ୍ୟନ୍ତ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲା। ଯଦିଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ବିଜେପି ଓ ଅନ୍ୟ କିଛି ସଂଗଠନ ବିରୋଧ କରିବ ବୋଲି ପୂର୍ବରୁ ସୂଚନା ‌ଥିଲା, ସେ ଦୃଷ୍ଟିରୁ ଆଜି ପୁଲିସ ସକାଳୁ କିଛି ବିଜେପି ନେତ୍ରୀଙ୍କୁ ଘରୁ ଆଣି ଥାନାରେ ଅଟକ ରଖିଥିଲା। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସଭା ଆରମ୍ଭ ହେବାର କିଛି ସମୟ ପରେ ବିଜେପି ଜିଲ୍ଲା ସଭାନେତ୍ରୀ ସରୋଜିନୀ କିସ୍କୁ, କୌଶଲ୍ୟା ନାୟକ, ହେମଲତା ଦାସ, ସୁଜାତା ଷଡ଼ଙ୍ଗୀ ପ୍ରମୁଖ ପୁଲିସକୁ ଚକ୍‌ମା ଦେଇ କଳା ଶାଢ଼ୀ ପିନ୍ଧି ସଭାସ୍ଥଳ ନିକଟରେ ପହଞ୍ଚି ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ନାରାବାଜି କରିଥିଲେ। ମାତ୍ର ପୁଲିସ ତତ୍‌କ୍ଷଣାତ୍‌ ସେମାନଙ୍କୁ ଥାନାକୁ ଆଣି ଅଟକ ରଖିଥିଲା।

ତେବେ ମୁଖ୍ୟମନ୍ତ୍ରୀ ସଭା ସାରି ହେଲିପ୍ୟାଡ୍‌କୁ ଗଲା ପରେ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଥିଲା। ବିଜେପି ଯୁବମୋର୍ଚ୍ଚାର କିଛ କାର୍ଯ୍ୟକର୍ତ୍ତା ହଠାତ୍‌ ହାତରେ କଳା ପତାକା ଧରି ହେଲିପ୍ୟାଡ୍‌ ଆଡ଼କୁ ଦୌଡ଼ିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନାରାବାଜି ମଧ୍ୟ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବିଜେଡି ଛାତ୍ର ଓ ଯୁବ ସଂଗଠନର କିଛି କର୍ମକର୍ତ୍ତା କଳାପତାକା ଦେଖାଉଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପୁଅ ତଥା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ସୁରଜ ସୂର୍ଯ୍ୟବଂଶୀ, ଭଦ୍ରକ ବିଜେପି ଯୁବନେତା ଦେବାଂଶୁ ରାଉତ, ମୟୂରଭଞ୍ଜ ବେତନଟୀ ବ୍ଲକ୍‌ର ଯୁବନେତା କୁନା ମହାନ୍ତ, ଦିଲୁ ଦାସ ପ୍ରମୁଖ ଗୁରୁତର ଆହତ ହୋଇଥିଲେ। ସୁରଜଙ୍କ ମୁଣ୍ଡରେ ଆଘାତ ଲାଗିଥିବାବେଳେ କୁନା ମହାନ୍ତଙ୍କ ମୁହଁ ଫାଟିଯାଇଛି। ଆହତମାନେ ପିଆରଏମ୍‌ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାକୁ ନେଇ ବାରିପଦାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର