ଏମ୍‌ଏସ୍‌ପିକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ମାମୁଲି ବୃଦ୍ଧି ଚାଷୀଙ୍କ ଆୟ ଦ୍ବିଗୁଣିତ କରିବନି

ଏମ୍‌ଏସ୍‌ପି ୨୯୩୦ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ କୃଷି ମନ୍ତ୍ରୀ
ଗୋଟିଏ ପ୍ରସଙ୍ଗରେ ୪ ବର୍ଷରେ ଗଲାଣି ୧୧ ଚିଠି

ଭୁବନେଶ୍ବର : ୨୦୨୨ ସୁଦ୍ଧା ଚାଷୀର ଆୟ ଦ୍ବିଗୁଣିତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ମାତ୍ର ୭୨ ଟଙ୍କା ବୃଦ୍ଧି କରିଛନ୍ତି। ଏହି ମାମୁଲି ବୃଦ୍ଧି ଚାଷୀଙ୍କ ଆୟ ବୃଦ୍ଧିରେ ଆଦୌ ସହାୟକ ହେବନାହିଁ କହିଛନ୍ତି ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ। ଏହି ପ୍ରସଙ୍ଗରେ ସେ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଆଜି ଏକ ଚିଠି ଲେଖିଛନ୍ତି। ଚାଷୀଙ୍କ ସୁରକ୍ଷା ନିମନ୍ତେ ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର ଦିଗରେ ସ୍ବାମୀନାଥନ୍ କମିଟି ସୁପାରିସ୍‌କୁ ବିଚାର କରିବାର ଆବଶ୍ୟକତା ରହିଛି। ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ଆଶୁ ସମାଧାନ ପାଇଁ ଶ୍ରୀ ସାହୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି।

ଧାନର ଏମ୍‌ଏସ୍‌ପି ମାତ୍ର ୭୨ ଟଙ୍କା ବଢ଼ି ୧୯୪୦ ଟଙ୍କା ହୋଇଛି। ଏମ୍‌ଏସ୍‌ପି ଅତି କମ୍‌ରେ ୨୯୩୦ ଟଙ୍କା କରିବା ପାଇଁ ଓଡ଼ିଶା ବିଧାନସଭାରେ ୨୦୧୭ ଓ ୨୦୧୮ ମସିହାରେ ସର୍ବସମ୍ମତ ସଂକଳ୍ପ ଗୃହୀତ ହୋଇଥିଲା। କିନ୍ତୁ କେନ୍ଦ୍ର ସରକାର ଏହାକୁ ବିଚାରକୁ ନେଇ ନାହାନ୍ତି। କୃଷିମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟ କୃଷି ବିଭାଗ ପକ୍ଷରୁ ୨୦୧୭ ମସିହା ପର ଠାରୁ ଏମ୍‌ଏସ୍‌ପି ବୃଦ୍ଧି ପାଇଁ ୮ ଥର କେନ୍ଦ୍ର କୃଷି ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ନିଜେ କୃଷିମନ୍ତ୍ରୀ ମଧ୍ୟ ପୂର୍ବରୁ ଦୁଇ ଥର ଚିଠି ଲେଖିଛନ୍ତି। ତାହା ସତ୍ତ୍ବେ କୌଣସି ସୁଫଳ ମିଳିନାହିଁ।

କୃଷିମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର କୃଷକମାନଙ୍କ ମଧ୍ୟରୁ ଏକ ବୃହତ ସଂଖ୍ୟା କ୍ଷୁଦ୍ର ଓ ନାମମାତ୍ର ଚାଷୀ l ବହୁ ସମୟରେ ଚାଷୀମାନେ ବିଭିନ୍ନ ପ୍ରାକୃତି ଦୁର୍ବିପାକ ଏବଂ ରୋଗପୋକ ଦାଉରୁ କ୍ଷତିର ସମ୍ମୁଖୀନ ହୋଇଥା’ନ୍ତି। ଗତ କୋଡ଼ିଏ ବର୍ଷ ମଧ୍ୟରେ ସାତ ଥର ବାତ୍ୟା, ଅନେକ ଥର ବନ୍ୟା, ମରୁଡ଼ି ଓ ରୋଗପୋକ ଜନିତ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏହା ଦ୍ୱାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘଟିଥାଏ। ଏହି ପରିପ୍ରେକ୍ଷୀରେ ରାଜ୍ୟର ଅର୍ଥନୀତି ଧାନ ଫସଲର ଉତ୍ପାଦନ ଏବଂ ଏହାର ବିକ୍ରିବଟା ଉପରେ ନିର୍ଭର କରିଥାଏ। ୨୦୧୯-୨୦ ବର୍ଷରେ ରାଜ୍ୟ ସରକାରଙ୍କ ଦ୍ୱାରା ୭୦ ଲକ୍ଷ ୫୬ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା। ଏହାର ପ୍ରାପ୍ୟ ବାବଦରେ କୃଷକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୨,୦୮୭ କୋଟି ଟଙ୍କା ସିଧାସଳଖ ପ୍ରଦାନ କରାଯାଇଛି। ପୂର୍ବରୁ ଧାନର ଏମ୍‌ଏସ୍‌ପି ୧୮୬୮ ଟଙ୍କା ଥିଲା ବେଳେ ଏବେ ୧୯୪୦ ଟଙ୍କା ହୋଇଛି। ସେହିପରି ଗ୍ରେଡ୍‌ ଏ ଧାନର ଏମ୍‌ଏସ୍‌ପି ୧୯୬୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡିଶା ମୁଖ୍ୟତଃ ଏକ ଧାନ ଉତ୍ପାଦନକାରୀ ରାଜ୍ୟ ହୋଇଥିବା ବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଗତ ବର୍ଷ ଠାରୁ ମାତ୍ର ୭୨ଟଙ୍କା ବୃଦ୍ଧି ରାଜ୍ୟର ଚାଷୀ ମାନଙ୍କ ହିତରେ ସାହାଯ୍ୟ କରିବ ନାହିଁ l ଧାନର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ଏବଂ ଅନ୍ୟ କ୍ଷେତ୍ରରେ ହେଉଥିବା ଆୟ ବୃଦ୍ଧିକୁ ସମତାଳ ଦେଇ କୃଷକମାନଙ୍କ ଆୟ ବୃଦ୍ଧି ହେବ ଆବଶ୍ୟକ। ବର୍ତ୍ତମାନର ଏମ୍‌ଏସ୍‌ପିରେ ଓଡ଼ିଶାର ଚାଷୀ ଧାନ ବିକ୍ରି କରିଲେ ସେମାନେ ଗରିବ ହୋଇଯିବାର ଆଶଙ୍କା ରହିଛି। ଏମ୍‌ ଏସ୍‌ ସ୍ଵାମୀନାଥନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି କୃଷିଜାତ ଦ୍ରବ୍ୟର ମୂଲ୍ୟ ଏହାର ଉତ୍ପାଦନ ନିମନ୍ତେ ବ୍ୟୟ ହୋଇଥିବା ଅର୍ଥର ଅନୁନ୍ୟ ଦେଢ଼ ଗୁଣ କରିବାକୁ ସୁପାରିସ୍‌ କରିଛନ୍ତି। ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ବିଧାନସଭାରେ ୨୦୧୭ ଓ ୨୦୧୮ ମସିହାରେ ସର୍ବ ସମ୍ମତି କ୍ରମେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା, ଯାହା ଦ୍ୱାରା ଚାଷୀମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନିମନ୍ତେ ନ୍ୟାୟ ସଙ୍ଗତ ଓ ଯୁକ୍ତି ଯୁକ୍ତ ମୂଲ୍ୟ ପାଇପାରିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରାଗଲେ ହିଁ ଚାଷୀମାନେ ୨୫ ପ୍ରତିଶତ ଲାଭ ପାଇପାରିବେ ବୋଲି ଶ୍ରୀ ସାହୁ ତାଙ୍କ ଚିଠିରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର