ଚାଷୀଙ୍କ ଦୁର୍ଦଶା ପାଇଁ ବିଜେଡି-ବିଜେପି ଦାୟୀ: କଂଗ୍ରେସ

ଇତିଶ୍ରୀ ମାମଲା ନେଇ ସିବିଆଇ ତଦନ୍ତରେ ସନ୍ଦେହ

୭ରେ କୁନ୍ଦୁଲି ପୀଡ଼ିତା ପାଇଁ ଆନ୍ଦୋଳନ ଧମକ

ଭୁବନେଶ୍ୱର : ବିଜେଡି ସରକାର ଆସିବା ଦିନଠାରୁ ରାଜ୍ୟରେ ଚାଷୀଙ୍କ ଦୁର୍ଦଶା ବଢ଼ିଚାଲିଛି। ଫସଲ ହାନି ଯୋଗୁଁ ଚାଷୀଙ୍କ ଆତ୍ମହତ୍ୟା ତାଲିକା ବି ଲମ୍ବା ହେବାରେ ଲାଗିଛି। ଅନୁରୂପ ଭାବେ ମୋଦି ସରକାର ଚାଷୀ ବିରୋଧୀ। ଚାଷୀଙ୍କୁ ଫସଲର ଉତ୍ପାଦନ ମୂଲ୍ୟର ଦେଢ଼ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ଆଜି ତାହା ପ୍ରତାରଣାରେ ପରିଣତ ହୋଇଛି। କିନ୍ତୁ ରାଜ୍ୟରେ ଉଭୟ ବିଜେଡି ଏବଂ ବିଜେପି ନେତାଏଁ ରାଜଧାନୀ ରାସ୍ତାରେ ଚାଷୀଙ୍କ ପାଇଁ କୁମ୍ଭୀରକାନ୍ଦଣା କରି ମାଲକୁସ୍ତିରେ ଲାଗିପଡ଼ିଛନ୍ତିି।

ଆଜି କଂଗ୍ରେସ ଭବନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ଚାଷୀଙ୍କ ଦୁର୍ଦଶା ସକାଶେ ଉଭୟ ବିଜେଡି ଏବଂ ବିଜେପିକୁ ଦାୟୀ କରିଛନ୍ତିି। ବିଜେଡିର ବରଗଡ଼ ଜିଲ୍ଲା ସୋହେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧ ହଜାର କୋଟିର ପ୍ୟାକେଜ୍‌ ଘୋଷଣା କରିଥିଲେ। ସେହି ପ୍ୟାକେଜ୍‌ ଆଜି ଚାଷୀଙ୍କ ଆତ୍ମହତ୍ୟାର କାରଣ ପାଲଟିଛି। ଦୁଇବର୍ଷରେ ପ୍ରାୟ ୧୩୦ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଧାରଣ ନେଇ ସେ ମୋଦି ସରକାରଙ୍କୁ ସମାଲୋଚନା କରିଥିଲେ। ଓଡ଼ିଶାରେ ଧାନର ଉତ୍ପାଦନ ଖର୍ଚ କ୍ୱିଣ୍ଟାଲ୍‌ ପିଛା କିପରି ୧୩୭୦ ଟଙ୍କା ହେଲା ବୋଲି ସେ ପଚାରିଥିଲେ। ଚାଷୀଙ୍କ ପ୍ରତି ଦରଦ ଥିଲେ, କ୍ୱିଣ୍ଟାଲ୍‌ ପିଛା ଧାନର ସହାୟକ ମୂଲ୍ୟ ୩୭୫୦ ଟଙ୍କା କରିବାକୁ ଶ୍ରୀ ହରିଚନ୍ଦନ ବିଜେପିକୁ ଆହ୍ଵାନ ଦେଇଥିଲେ।

ଚକଡ଼ା ପୋକ, ମରୁଡ଼ି ଏବଂ ଲଗାଣ ବର୍ଷାଜନିତ କ୍ଷୟକ୍ଷତି ନିମନ୍ତେ କ୍ଷତିପୂରଣ ବାବଦରେ ରିଲିଫ କୋଡ୍‌କୁ ସଂଶୋଧନ କରିବାକୁ ସେ ଗୁରୁତ୍ୱ ଦେଇଥିଲେ। ସରକାରୀ ସହାୟତା ବାବଦରେ ପ୍ରତି ହେକ୍ଟର ଜଳସେଚିତ ଜମି ନିମନ୍ତେ ୫୦ ହଜାର ଏବଂ ଅଣଜଳସେଚିତ ଜମି ପାଇଁ ୧୫ ହଜାର ଟଙ୍କା ଦେବାକୁ ସେ ପ୍ରସ୍ତାବ ଦେଇଥିଲେ। ବର୍ତମାନ ସରକାର ଜଣେ ଜଣେ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ବାବଦରେ ୭୮ ଟଙ୍କା, ୨୦୦ ଟଙ୍କା ଦେଉଥିବା ହାସ୍ୟାସ୍ପଦ କଥା ବର୍ଣ୍ଣନା କରି ଏ ନେଇ ଅନ୍ୟୂନ ଜଳସେଚିତ ଜମି ନିମନ୍ତେ ୭ ହଜାର ଏବଂ ଅଣଜଳସେଚିତ ଜମି ପାଇଁ ୫ ହଜାର ଟଙ୍କା ଦେବାକୁ ପିସିସି ସଭାପତି ଦାବି କରିଥିଲେ। ଚାଷୀମାନଙ୍କ ସମସ୍ୟାର ସମାଧାନ କରାନଗଲେ ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ କଂଗ୍ରେସ ତରଫରୁ ବଡ଼ ଧରଣର ଆନ୍ଦୋଳନ ହେବ ବୋଲି ଶ୍ରୀ ହରିଚନ୍ଦନ ଚେତାଇ ଦେଇଥିଲେ। ଲଗାଣ ବର୍ଷାରେ କ୍ଷୟକ୍ଷତି ଆକଳନ ସରକାର ଯର୍ଥାର୍ଥ ଭାବେ କରିନଥିବା ଦର୍ଶାଇଥିଲେ କଂଗ୍ରେସ କୃଷକ ସେଲ୍‌ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ।

ଇତିଶ୍ରୀ ପ୍ରଧାନ ମାମଲା ଘଟଣା ନେଇ ସେ କହିଲେ ଯେ ପୂର୍ବରୁ କ୍ରାଇମବ୍ରାଞ୍ଚ ଏହି ମାମଲାକୁ ରଫାଦଫା କରି ଦେଇଥିଲା। ଏବେ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ ସେହି ତଦନ୍ତକୁ ବନ୍ଦ କରିଦେଇଛି। ସୁପ୍ରିମ କୋର୍ଟରେ ସିବିଆଇ ଦାଖଲ କରିଥିବା ସଦ୍ୟତନ ରିପୋର୍ଟରୁ ଜଣାଯାଏ ଯେ ଅଭିଯୁକ୍ତ ଦଣ୍ଡସେନାଙ୍କ ନାର୍କୋ ଆନାଲିସସ୍‌ ପାଇଁ ସିବିଆଇ ତାଙ୍କୁ ଗାନ୍ଧୀନଗର ନେଇଥିଲା। କିନ୍ତୁ ଏଭଳି ପରୀକ୍ଷା କରିନଥିଲା। ଯଦି ବିଜେପି ନେତାମାନେ ସତରେ ମାମଲାକୁ ପୁନର୍ବାର ଖୋଲିବାକୁ ଚାହାନ୍ତି, ତେବେ ଭାଷଣ ନ ଦେଇ ପଦକ୍ଷେପ ନେବାକୁ ଶ୍ରୀ ହରିଚନ୍ଦନ ଚ୍ୟାଲେଞ୍ଜ ଦେଇଥିଲେ। କୁନ୍ଦୁଲି ଗଣଦୁର୍ଷ୍କମ ଘଟଣାରେ ପୁଲିସର ଆଚରଣ ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ। ଏ ନେଇ ବିଶଦ ବିବରଣୀ ଦେଇଥିଲେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଯଦି ମା’ ପାଖରେ ପୁଲିସ ପୀଡ଼ିତାଙ୍କୁ ନ ଛାଡ଼େ, ଆସନ୍ତା ଡିସେମ୍ବର ୭ ତାରିଖରେ କୋରାପୁଟର ପଟ୍ଟାଙ୍ଗୀରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର