ରାହୁଲଙ୍କ ଓଡ଼ିଶା ଗସ୍ତ ନେଇ ବିଜେଡି ଓ ବିଜେପି ଆତଙ୍କିତ

ତଥ୍ୟ ଓ ସତ୍ୟକୁ ସାମ୍ନା କର: କଂଗ୍ରେସ

ଭୁବନେଶ୍ବର : ଓଡ଼ିଶା ଗସ୍ତକାଳରେ କଂଗ୍ରେସର ଜାତୀୟ ସଭାପତି ରାହୁଲ ଗାନ୍ଧୀ ଦେଇଥିବା ସାଂଘାତିକ ତଥ୍ୟକୁ ନେଇ ଉଭୟ ବିଜେଡି ଓ ବିଜେପି ଆତଙ୍କିତ ହୋଇପଡିଛନ୍ତି ବୋଲି କଂଗ୍ରେସ କହିଛି। ଉଭୟ ଦଳର ନେତାମାନେ ପିଲାଳିଆମି ଛାଡି ତଥ୍ୟ ଓ ସତ୍ୟର ସାମ୍‌ନା କରିବାକୁ ପରାମର୍ଶ ଦେଇଛି ରାଜ୍ୟ କଂଗ୍ରେସ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କ˚ଗ୍ରେସ ନେତା ପଞ୍ଚାନନ କାନୁନ୍‌ଗୋ, ମିଡିଆ ସେଲ୍‌ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଓ ଉପସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ରାହୁଲ ଗାନ୍ଧୀଙ୍କ ବରଗଡ ସମାବେଶରେ ଦେଇଥିବା ବକ୍ତବ୍ୟ ସଂପର୍କରେ ସୂଚନା ଦେଇଥିଲେ। ଉତ୍କଟ ବେକାରି ସମସ୍ୟା, ସରକାରୀ ଚାକିରି କ୍ଷେତ୍ରରେ ଖାଲି ପଡିଥିବା ୧.୫ ଲକ୍ଷ ପଦବି, ଚିଟ୍‌ଫଣ୍ତ କ୍ଷତିଗ୍ରସ୍ତଙ୍କୁ ପ୍ରତାରଣା, ୬୦ ହଜାର କୋଟିର ଖଣି ଦୁର୍ନୀତି ଇତ୍ୟାଦି ପ୍ରସଙ୍ଗ ଉଠାଇଥିଲେ ରାହୁଲ। ଏ ନେଇ ବିଜେଡି ଓ ଏହାର ପୂର୍ବତନ ସହଯୋଗୀ ବିଜେପି ପ୍ରତିକ୍ରିୟାଶୀଳ ହୋଇ ‘ହୋମ୍‌ୱାର୍କ’ ଓ ଅନ୍ୟାନ୍ୟ ମନ୍ତବ୍ୟ ଦେବା ହାସ୍ୟାସ୍ପଦ ଓ ଶସ୍ତା ରାଜନୀତିର ନମୁନା ବୋଲି ସେମାନେ କହିଥିଲେ।

ରାହୁଲଙ୍କ ବକ୍ତବ୍ୟ ସହିତ ନିଜସ୍ବ ତଥ୍ୟ ଯୋଡ଼ି ସତ୍ୟପ୍ରକାଶ କହିଲେ, ରାଜ୍ୟରେ ବର୍ତମାନ ଶିଶୁରୋଗ ବିଶେଷଜ୍ଞ ପଦବି ୬୮ ପ୍ରତିଶତ, ଭେଷଜ ବିଭାଗରେ ୬୭ ପ୍ରତିଶତ, ସ୍ତ୍ରୀ ଓ ପ୍ରସୂତିରୋଗ ବିଶେଷଜ୍ଞ ୩୫ ପ୍ରତିଶତ ଓ ରଞ୍ଜନରଶ୍ମି ବିଭାଗରେ ୮୯ ପ୍ରତିଶତ ପଦବି ଖାଲି। ସେହିପରି ରାଜ୍ୟରେ ୭୨୫୮୭ ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ୩୪୯୪୧ଟିର ନିଜସ୍ବ ଘର ନାହିଁ। ୧୦୧୬୬ ଗାଁକୁ ଅଦ୍ୟାବଧି ରାସ୍ତା ନାହିଁ। ୧୯ ଲକ୍ଷରୁ ଅଧିକ ପକ୍କାଘର ନିର୍ମାଣ କରିଥିବା ବିଜେଡି ସରକାର ବାହାସ୍ପୋଟ ମାରୁଥିବା ବେଳେ ଅସଲରେ ୧୧ ଲକ୍ଷ ପକ୍କାଘର ତିଆରି ହୋଇଛି। ଏସବୁ ତଥ୍ୟ ପ୍ରମାଣିତ କରୁଛି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମିଥ୍ୟା ତଥ୍ୟର ସୌଦାଗର ବୋଲି ସେ ଅଭିଯୋଗ କରିଛନ୍ତି।

ବରିଷ୍ଠ ନେତା ଶ୍ରୀ କାନୁନ୍‌ଗୋ କହିଥିଲେ, କ˚ଗ୍ରେସ ସରକାର ସମୟରେ ପାରାଦୀପ ବନ୍ଦର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ, ସାର କାରଖାନା, ବିଭିନ୍ନ ଜାଗାରେ ଚିନିକଳ, ତେଲ କାରଖାନା, ଚୌଦ୍ବାର ଓଟିଏମ୍‌ ମିଲ୍‌, ଶୀତଳଭଣ୍ତାର ପ୍ରତିଷ୍ଠା ଇତ୍ୟାଦି ଅନେକ କାର୍ଯ୍ୟ ହୋଇଥିଲା। ଏ ପଟେ ଓଟିଏମ୍‌ କପଡା ମିଲ୍‌ ବନ୍ଦ ହେବା ସହିତ ରାଜ୍ୟରେ ୧୫ ହଜାରରୁ ଅଧିକ କ୍ଷୁଦ୍ର ଏବ˚ ମଧ୍ୟମ ଶିଳ୍ପ ବନ୍ଦ ହେବା ବିଜେଡି ସରକାରଙ୍କର ଅବଦାନ। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପରେ ଦେଶର ତଥ୍ୟ ପରିବର୍ତନ ଭଳି ଗୁରୁତର ଷଡ଼ଯନ୍ତ୍ର କରାଯାଉଥିବା ଦର୍ଶାଇ ଦେଶବିଦେଶର ୧୦୮ଜଣ ପ୍ରମୁଖ ଅର୍ଥନୀତିଜ୍ଞ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଅଶୋକ ସାମଲ, ପ୍ରଶାନ୍ତ ଶତପଥୀ, ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର