ବିଜେଡି ଓ ବିଜେପି ମୁଖ୍ୟାଳୟ ଚେହେରା ବଦଳିବ

ରାଜ୍ୟ ସରକାରଙ୍କ ଠାରୁ ଜମି କିଣି ନେଲେ ୨ ଦଳ

୨ ଦଳକୁ ଆଉ ଦୁଇଟି ଲେଖାଏଁ କ୍ବାର୍ଟର୍ସର ଜମି
କର୍ପୋରେଟ୍‌ ଢାଞ୍ଚାରେ ଭବନ ନିର୍ମାଣ ଯୋଜନା

ଭୁବନେଶ୍ବର : ଖୁବ୍ ଶୀଘ୍ର ବିଜେଡି ଓ ବିଜେପିର ରାଜ୍ୟ ମୁଖ୍ୟାଳୟ ନୂଆ ରୂପ ପାଇବ। ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ କର୍ପୋରେଟ୍ ଅଫିସ୍ ଢାଞ୍ଚାରେ ନୂଆ କୋଠା ନିର୍ମାଣ କରିବେ। ଏଥିପାଇଁ ଦୁଇ ଦଳ ସାଧାରଣ ପ୍ରଶାସନ ବିଭାଗ ନିକଟରେ ଆବେଦନ କରି ଜମି କିଣି ନେଇଛନ୍ତି। ଆସନ୍ତା ବର୍ଷେରୁ ଦୁଇ ବର୍ଷ ମଧ୍ୟରେ ଦୁଇଟି ଦଳର ରାଜ୍ୟ କାର୍ଯ୍ୟାଳୟର ରୂପ ବଦଳିଯିବ।

ମିଳିଥିବା ସୂଚନା ଅନୁଯାୟୀ, ଭିଆଇଆର୍-୩ କ୍ବାର୍ଟର୍ସ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ପାଇଁ ଆବଣ୍ଟନ ହୋଇଥିବା ବେଳେ ବିଜେଡି ତାର ମୁଖ୍ୟାଳୟ ସମ୍ପ୍ରସାରଣ ଓ ନୂଆ କାର୍ଯ୍ୟାଳୟ ପାଇଁ ୟୁନିଟ-୬ରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କୁ ଆବଣ୍ଟନ ହେଉଥିବା କ୍ବାର୍ଟର୍ସ ଭି ୨/୧ ଏବଂ ଭି ୨/୨କୁ ନେଇଛି। ଏହି ଦୁଇଟି କ୍ବାର୍ଟର୍ସର ଜମି ବିଜେଡିକୁ ଲିଜ୍ ଆକାରରେ ଦିଆଯିବା ପରେ ବିଜେଡି ଏହାକୁ ଫ୍ରି ହୋଲ୍ଡ କରିନେଇଛି। ଅର୍ଥାତ୍ ଏହି କ୍ବାର୍ଟର୍ସ ଯେଉଁ ଜମିରେ ନିର୍ମାଣ ହୋଇଛି ତାହାକୁ ବିଜେଡି ସରକାରୀ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟଙ୍କା ଜମା କରି କିଣି ନେଇଛି। ଏବେ ଏଠାରେ ନୂ୍ଆ କୋଠା ନିର୍ମାଣ ହେବ। ଏଥିପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି। ଆସନ୍ତା ରଥଯାତ୍ରା ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟାଳୟର ଶିଳାନ୍ୟାସ କରିବା ନେଇ ଆପାତତଃ ସ୍ଥିର ହୋଇଛି। ଏହି ଜମି ବିମାନବନ୍ଦର ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ଅଧିକ ଉଚ୍ଚ କୋଠା ନିର୍ମାଣ ପାଇଁ ଅନୁମତି ମିଳିବନି। ତେଣୁ ଏଠାରେ ବି+ଜି+୪ କୋଠା ନିର୍ମାଣ ପାଇଁ ପ୍ରଥମେ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଡିଜାଇନ୍ ଦେଖିବା ପରେ ଏହାକୁ ବି+ଜି+୩ କରିବାକୁ କହିଥିଲେ। ସେହି ଅନୁଯାୟୀ ଡିଜାଇନ୍ ପ୍ରସ୍ତୁତ ହୋଇଛି। ଏଠାରେ ଯେଉଁ କୋଠା ନିର୍ମାଣ ହେବ ତାହାକୁ ଓଡ଼ିଶାର ଏକ ଠିକା ସଂସ୍ଥା ନିର୍ମାଣ କରିବେ।

ବିଜେଡିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ଅନୁଯାୟୀ ନୂଆ ରାଜ୍ୟ କାର୍ଯ୍ୟାଳୟର ଡିଜାଇନ୍ ପ୍ରସ୍ତୁତ ହୋଇଛି। ଏବେ ଥିବା କାର୍ଯ୍ୟାଳୟ ପଛ ପାର୍ଶ୍ବରେ ଏହା ନିର୍ମାଣ ହେବ। କୋଠାର ବେସ୍‌ମେଣ୍ଟ ଓ ତଳ ମହଲା ପାର୍କିଂ ପାଇଁ ରହିବ। ବାକି ତିନି ମହଲା ଦଳୀୟ କାର୍ଯ୍ୟ ପାଇଁ ରହିବ। ଏଠାରେ ଦଳ ସଭାପତିଙ୍କର ସ୍ବତନ୍ତ୍ର ପ୍ରକୋଷ୍ଠ ରହିବ।

ଏହାବାଦ୍ ଦଳର ବିଭିନ୍ନ ସେଲ୍ ପାଇଁ କାର୍ଯ୍ୟାଳୟ ରହିବ। ପୂରା କୋଠା ୱାଇଫାଇ ହେବ। ଏକାଧିକ ସମ୍ମିଳନୀ କକ୍ଷ, ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ରୁମ୍, ବିଜେଡି ଆଇଟି ସେଲ୍, ଷ୍ଟୁଡିଓ, କ୍ୟାଣ୍ଟିନ୍, ଲାଇବ୍ରେରି ଏବଂ ଅନ୍ୟାନ୍ୟ ସୁବିଧା ରହିବ।

ସେହିପରି ଜନପଥ କଡ଼ରେ ୟୁନିଟ୍-୩ରେ ସରକାରୀ କ୍ବାର୍ଟର୍ସ ୪ଆର୍ ୩/୧ ଏବଂ ୩/୨ରେ ଚାଲିଥିବା ବିଜେପି ରାଜ୍ୟ କାର୍ଯ୍ୟାଳୟ ବି ଏକ କର୍ପୋରେଟ୍ ଅଫିସ୍ ଡିଜାଇନ୍ରେ ନୂଆ ରୂପ ପାଇବ। ଏଥି ପାଇଁ ଦଳ ପକ୍ଷରୁ ଜମି ମଗାଯାଇଥିଲା। ଏହା ପରେ ବିଜେପିକୁ ବର୍ତ୍ତମାନର କାର୍ଯ୍ୟାଳୟ ନିକଟରେ ୪ଆର୍ ୨/୧ ଏବଂ ୪ଆର୍ ୨/୨ କ୍ବାର୍ଟର୍ସ ଆବଣ୍ଟନ ହୋଇଛି। ବିରଜେପି ବି ସାଧାରଣ ପ୍ରଶାସନ ବିଭାଗରେ ଅର୍ଥ ଜମା କରି ଜମି କିଣି ନେଇଛି। ପୂର୍ବରୁ ସେମାନଙ୍କୁ ଯେଉଁ କ୍ବାର୍ଟର୍ସ ଆବଣ୍ଟନ ହୋଇଥିଲା ତା’ର ଜମି ଓ ବାକି କ୍ବାର୍ଟର୍ସର ଜମି ସେମାନେ ସ୍ଥାନୀୟ ଅଞ୍ଚଳର ବେଞ୍ଚମାର୍କ ମୂଲ୍ୟ ଅନୁଯାୟୀ ଅର୍ଥ ଦେଇ କିଣିଛନ୍ତି। ଏଠାରେ ବହୁତଳ କୋଠା ନିର୍ମାଣରେ କିଛି ସମସ୍ୟା ନ ଥିବାରୁ ବିଜେପି ପ୍ରାୟ ୧୦ ମହଲା କୋଠା ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ନୂଆ କାର୍ଯ୍ୟାଳୟ ପାଇଁ ଏକାଧିକ ବାର ଡିଜାଇନ୍ ପ୍ରସ୍ତୁତ ହୋଇଥିଲେ ହେଁ ଏହା ପସନ୍ଦ ନ ହେବାରୁ ଏହାର ଡିଜାଇନ୍ ଦିଲ୍ଲୀର ଏକ ସଂସ୍ଥା ଦ୍ବାରା ପ୍ରସ୍ତୁତ ହେଉଛି। ଏହି ନୂଆ କାର୍ଯ୍ୟାଳୟରେ ଭୂତଳ ପାର୍କିଂ ବ୍ୟବସ୍ଥା ରଖିବ। ଏହା ବାଦ୍ ପୂରା କୋଠାରେ ୱାଇଫାଇ ସଂଯୋଗ ରହିବ। ଏକାଧିକ ସମ୍ମିଳନୀ କକ୍ଷ, ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ରୁମ୍, ଆଇଟି ସେଲ୍, ଷ୍ଟୁଡିଓ, କ୍ୟାଣ୍ଟିନ୍, ଲାଇବ୍ରେରି ଆଦି ରହିବ। କେଉଁ ମହଲାରେ କ’ଣ ରହିବ, କିଏ କେଉଁଠ ବସିବେ, ଏହାର କାରୁକାର୍ଯ୍ୟ କିପରି ଆକର୍ଷଣୀୟ ହେବ, ସେନେଇ ତର୍ଜମା ଚାଲିଥିବାରୁ ଡିଜାଇନ୍ ଚୂଡ଼ାନ୍ତ ହୋଇପାରିନି।

ସାଧାରଣ ପ୍ରଶାସନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ୟୁନିଟ-୬ରେ ଥିବା ଦୁଇଟି ଡାକ୍ତର କ୍ବାର୍ଟର୍ସ ବହୁ ଦିନ ହେଲା ଅବ୍ୟବହୃତ ହୋଇ ପଡ଼ିଥିଲା। ଏହା ବହୁ ପୁରୁଣା ହୋଇଯାଇଥିବାରୁ ରହିବା ଉପଯୋଗୀ ନ ଥିଲା। ବିଜେଡି ଏହି ଜମି ମାଗିବାରୁ ପୂର୍ତ୍ତ ଓ ସାଧାରଣ ପ୍ରଶାସନ ବିଭାଗ ଦ୍ବାରା ଜମି ଓ ଘର ମାପଚୁପ କରି ଅର୍ଥ ଜମା କରିବାକୁ କୁହାଯାଇଥିଲା। ଦଳ ପକ୍ଷରୁ ଅର୍ଥ ଜମା କରି ଏହି ଜମି କିଣାଯାଇଛି। ସେଠାରେ ପ୍ରାୟ ଏକ ଏକର ଜମି ରହିଛି। ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଲାଗି ଥିବା ଦୁଇଟି କ୍ବାର୍ଟର୍ସରେ ଯେଉଁମାନେ ରହୁଥିଲେ ସେମାନଙ୍କୁ ଅନ୍ୟତ୍ର କ୍ବାର୍ଟର୍ସ ଆବଣ୍ଟନ ହୋଇଛି। ସେମାନେ କ୍ବାର୍ଟର୍ସ ଛାଡ଼ି ସାରିଲେଣି। ଏହି ଜମି ଦେବା ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗ ଓ ପୂର୍ତ୍ତ ବିଭାଗ ଦ୍ବାରା ଏଠାରେ ଥିବା ଜମି ଓ କୋଠାର ମୂଲ୍ୟାୟନ କରି ଅର୍ଥ ଜମା କରିବାକୁ କୁହାଯାଇଥିଲା। ଦୁଇଟି କ୍ବାର୍ଟର୍ସ ଭଲ ସ୍ଥିତିରେ ଥିବାରୁ ସେମାନଙ୍କୁ ପ୍ରତି କ୍ବାର୍ଟର୍ସ ପିଛା ୧୫ଲକ୍ଷ ୧୮ହଜାର ୩୭ଟଙ୍କା ଲେଖାଏଁ ଜମା କରିବାକୁ କୁହାଯାଇଥିଲା। ସେମାନେ କ୍ବାର୍ଟର୍ସ ବାବଦକୁ ୩୦ଲକ୍ଷ ୩୬ହଜାର ୭୪ଟଙ୍କା ଜମା କରିଛନ୍ତି। ଏହାବାଦ୍ ଏହି ଦୁଇଟି କ୍ବାର୍ଟର୍ସ ଥିବା ପ୍ରାୟ ଦେଢ ଏକର ଜମିକୁ ସେମାନେ ବେଞ୍ଚମାର୍କ ମୂଲ୍ୟ ଦେଇ କିଣିଛନ୍ତି।

ଅପର ପକ୍ଷେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା କଂଗ୍ରେସ କାର୍ଯ୍ୟାଳୟ ପାଇଁ ରାଜ୍ୟ ସରକାର ଜମି ଲିଜ୍ରେ ଦେଇଥିବାରୁ ତାଙ୍କୁ ଫ୍ରି ହୋଲ୍ଡ କରିବାର ସୁଯୋଗ ଦେବାକୁ ଯୋଜନା ଅଛି।

ସମ୍ବନ୍ଧିତ ଖବର