୮ରେ ବିଜେଡି-ବିଜେପିର ପତିଆରା ଲଢ଼େଇ

ଅମିତ ଶାହା, ନବୀନଙ୍କୁ ସ୍ବାଗତ ପାଇଁ ବଡ ପ୍ରସ୍ତୁତି, ନିଜନିଜର ୫ ହଜାରରୁ ଅଧିକ କର୍ମୀଙ୍କୁ ଏକାଠି କରିବେ

କଟକ : ଅଗଷ୍ଟ ୮ ତାରିଖରେ କଟକର ଜବାହରଲାଲ୍ ନେହରୁ ଇନଡୋର୍ ଷ୍ଟାଡିୟମରେ ହେବାକୁ ଯାଉଥିବା ସମାବେଶକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ‘ପ୍ରଜାତନ୍ତ୍ରର ୭୫ତମ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇ ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳର ଦୁଇ ଦିଗ୍‌ଗଜଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମର ଗୁରୁତ୍ବ ବଢାଉଛି। କିନ୍ତୁ ଏଥିପାଇଁ ଚାଲିଥିବା ପ୍ରସ୍ତୁତିପର୍ବ ଏବେ ରାଜନୈତିକ ଶକ୍ତି ପ୍ରଦର୍ଶନର କ୍ଷେତ୍ର ପ୍ରସ୍ତୁତ କରିଛି। ଦିନ ୧୧ଟାରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅମିତ ଶାହା ଭୁବନେଶ୍ବରରୁ କଟକ ଜାତୀୟ ରାଜପଥରେ ଆସିବେ। କଟକରେ ‌ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଯାଇ ବି ସେଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଫଳରେ ଅମିତ ଶାହାଙ୍କର କଟକରେ ଏକ ପ୍ରକାର ରୋଡ୍ ସୋ ହେବାକୁ ଯାଉଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ଆସି ବାଲିଯାତ୍ରା ଉପର ପଡ଼ିଆରେ ଓହ୍ଲାଇବେ ଏବଂ ସେଠାରୁ ତାଙ୍କୁ ଇନଡୋର୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ପାଛୋଟି ନିଆଯିବ।

ତଥ୍ୟ ଅନୁଯାୟୀ କାର୍ଯ୍ୟକ୍ରମ ସ୍ଥଳରେ ଶକ୍ତି ପ୍ରଦର୍ଶନ ସୁଯୋଗରେ ଯେଭଳି କେହି ଆଗପଛ ନ ହେବ‌େ, ସେଥିପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଉଛି। ଗ୍ୟାଲେରିରେ ୩ ହଜାର ଲୋକ ବସିବା ପାଇଁ ବ୍ୟବସ୍ଥା ଥିବା ବେଳେ ବିଜେଡି ଓ ବିଜେପି ସମର୍ଥକଙ୍କୁ ସମାନ ଭାବେ ପ୍ରବେଶ ସୁଯୋଗ ଦିଆଯିବାର ବ୍ୟବସ୍ଥା କରାଯାଇଛି। ସେହିଭଳି ଷ୍ଟାଡିୟମ୍ ଫ୍ଲୋର୍‌ରେ ୩୫୦ ଲୋକଙ୍କ ପାଇଁ ବ୍ୟବସ୍ଥା ଥିବା ବେଳେ ଉଭୟ ଦଳକୁ ଦେଢ ଶହ, ଦେଢ ଶହ କରି ବାଣ୍ଟି ଦିଆଯାଇଥିବା ବେଳେ ୫୦ ସିଟ୍ ଅନ୍ୟମାନଙ୍କ ପାଇଁ ରଖାଯାଇଛି। ଇନଡୋର୍ ଷ୍ଟାଡିୟମକୁ ପ୍ରବେଶ ପାଇଁ କଟକ ଡିସିପିଙ୍କ ସ୍ବାକ୍ଷର ଥିବା କାର୍ଡ ଦିଆଯାଉଛି। କାର୍ଯ୍ୟକ୍ରମ ସ୍ଥଳରେ ଯଦିଓ ବିଜେଡି, ବିଜେପି ଭିତରେ ସମତୁଲ ରକ୍ଷା ପାଇଁ ଏ ପ୍ରକାର ଉଦ୍ୟମ ହୋଇଛି, କିନ୍ତୁ ବାହାରେ ଶକ୍ତି ପ୍ରଦର୍ଶନ ପାଇଁ ଉଭୟ ଦଳ ଅଣ୍ଟା ଭିଡିଛନ୍ତି। ଉଭୟ ଦଳ ପକ୍ଷରୁ ଗଲା କିଛି ଦିନ ହେଲା ଜୋରଦାର ପ୍ରସ୍ତୁତି ବୈଠକ ଜାରି ରହିଛି। ଗୋଟିଏ ପଟେ କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ଘନଘନ ପ୍ରସ୍ତୁତି ବୈଠକ ଚାଲିଥିବା ବେଳେ ଅନ୍ୟପଟେ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡ଼ୁଙ୍କ ନେତୃତ୍ବରେ ପ୍ରସ୍ତୁତି ବୈଠକ ଚାଲିଛି।

ସୂଚନା ଅନୁଯାୟୀ ବିଜେଡି ପକ୍ଷରୁ ୪ ହଜାରରୁ ଅଧିକ କର୍ମୀ ସେଠାରେ ପହଞ୍ଚିବେ। ୩ ହଜାର କର୍ମୀ ହେଲିପ୍ୟାଡ୍ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରି ଇନଡୋର୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ନେବେ ଏବଂ ଦେଢ ହଜାର କର୍ମୀ ଷ୍ଟାଡିୟମ୍ ଭି‌ତରେ ରହିବେ। ବିଜେପି ପକ୍ଷରୁ ମଧ୍ୟ ଅନୁରୂପ ପ୍ରସ୍ତୁତି ଚାଲିଛି। ଅମିତ ଶାହା ଯେହେତୁ ରାସ୍ତାରେ ଆସିବେ ସେଥିପାଇଁ ବିଜେପି ପକ୍ଷରୁ ୫ ହଜାରରୁ ଅଧିକ କର୍ମୀ ତାଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ରହିବେ।

ଏକ ସମ୍ବାଦପତ୍ରର କାର୍ଯ୍ୟକ୍ରମ ହେଉଥିଲେ ବି ଏବେ ଏଭଳି ଢଙ୍ଗରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ପକ୍ଷରୁ ନିଜନିଜ ନେତାଙ୍କୁ ସ୍ବାଗତ କରିବାର ପ୍ରସ୍ତୁତି ବିଭିନ୍ନ ମହଲରେ ଉତ୍ସୁକତା ସୃଷ୍ଟି କରିବା ସହିତ ଏବେ ସହରରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ‌ହୋଇଛି।

ସମ୍ବନ୍ଧିତ ଖବର